ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଯିବେ ରାଜ୍ୟସଭା । ଆଜି ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରିଲା ପରେ ପ୍ରତାପ ଦେବଙ୍କ ନାଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଷ୍ଣୁ ଦାସ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଓଡ଼ିଶାରୁ ଏହି ଗୋଟିଏ ଆସନ ଖାଲି ପଡ଼ିଥିଲା । ମୁଖ୍ୟମନ୍ତ୍ରୀ କାହାକୁ ପଠାଇବେ ତାହାକୁ ନେଇ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିଲା । କିଏ ଗୀତା ମେହେଟ୍ଟାଙ୍କ ନାଁ ଚର୍ଚ୍ଚା କରୁଥିଲେ ତ ଆଉ କେହି ବିଜୟ ପଟ୍ଟନାୟକ, ସନ୍ତୋଷ ଶତପଥୀଙ୍କ ଭଳି ବ୍ୟୁରୋକ୍ରାଟ୍ ଙ୍କ ନାଁ ଚର୍ଚ୍ଚା କରୁଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି । ୧୫ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ପ୍ରତାପ ଦେବ ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ବିଜେଡ଼ି ସଂଖ୍ୟା ଦୃଷ୍ଟିରୁ ତାଙ୍କୁ ନିର୍ବାଚନର ସାମନା କରିବାକୁ ପଡ଼ିବନି ।
ଦିଲ୍ଲୀ ଲବି ସମ୍ଭାଳିବା ପାଇଁ ପ୍ରତାପ ଦେବଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପଠାଇଥିବା କୁହାଯାଉଛି । ବୈଜୟନ୍ତ ପଣ୍ଡା ଓ ଭର୍ତ୍ତୃହରି ମହତାବ ଦିଲ୍ଲୀରେ ବିଜେଡ଼ି ଫେସ୍ ହୋଇ ଯେ ରହିନାହାନ୍ତି ତାହା ନବୀନଙ୍କର ଅନୁଭବ ହୋଇଛି । ନିର୍ବାଚନ ମାତ୍ର ଦୁଇ ବର୍ଷ ଥିବା ବେଳେ ଦିଲ୍ଲୀ ରାଜନୀତିର ଗୁରୁତ୍ୱ ଥିବାରୁ ପ୍ରତାପ ଦେବଙ୍କୁ ସେ ଉପଯୁକ୍ତ ବୋଲି ଭାବିଛନ୍ତି । ରାଜା ପୁଅ ସାଙ୍ଗକୁ ଭଲ ଇଂରାଜୀ ଓ ହିନ୍ଦୀ କହୁଥିବାରୁ ରାଜନୈତିକ ଚାଲବାଜିକୁ ସେ ହ୍ୟାଣ୍ଡଲ୍ କରିପାରିବେ ବୋଲି ନବୀନଙ୍କର ବିଶ୍ୱାସ ହୋଇଛି । ଅନ୍ୟପକ୍ଷରେ ପ୍ରତାପ ଦେବ ମଧ୍ୟ ରାଜ୍ୟ ରାଜନୀତିରେ ନିଜର ଭବିଷ୍ୟତକୁ ନେଇ ଆଶଙ୍କାରେ ଥିଲେ । ଆଳିରୁ ଗତଥର ହାରିଥିଲେ ସେ । ଜନସମ୍ପର୍କ ଓ ଲୋକପ୍ରିୟତାରେ ଦୁର୍ବଳ ଥିବାରୁ ଏଥର ଯେ ଜିତିପାରିବେ ସେହି ଆଶା ମଧ୍ୟ ହରାଇଥିଲେ । ରାଜ୍ୟସଭା ତାଙ୍କ ପାଇଁ ସବୁଠାରୁ ନିରାପଦ ମନେ କରୁଥିଲେ ସେ । ଆଉ ନବୀନ ବି ତାଙ୍କ ମନକଥା ବୁଝିଛନ୍ତି ।