ଭୁବନେଶ୍ୱର: ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ବିଜେପିର ମଙ୍ଗୁଆଳ ହେଉଥିବା ଖବର ବିଜେଡ଼ି ଶିବିରକୁ ଡରେଇଦେଇଛି । ଲୋକପ୍ରିୟ, ନିର୍ବିବାଦୀୟ, ଅବିବାହିତ, ସରଳ ଓ ବାଗ୍ନୀ ପ୍ରତାପଙ୍କ ନେତୃତ୍ୱକୁ ଟକ୍କର ଦେବାକୁ ବିଜେଡ଼ି ନେତାଙ୍କ ମନରେ ଛାନିଆଁ ପଶିଲାଣି । ବିଜେପୁର ଉପନିର୍ବାଚନ ବିଜୟକୁ ନେଇ ବିଜେଡ଼ି ନେତାଏ ଯେତେ ଫୁଟାଣି ମାରିଲେ ବି ବିଜେପି ବଳକୁ ସେମାନଙ୍କ ପ୍ରବଳ ଡର ଅଛି । ବିଜେପିର ନେତୃତ୍ୱ ପ୍ରତାପଙ୍କ ହାତକୁ ଆସିଗଲେ ବିଜେଡ଼ି ପାଇଁ ଚାଲେଂଜକର ହେବ ବୋଲି ଦଳର ନେତାମାନେ ସ୍ୱୀକାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପଙ୍କ ସମ୍ଭାବ୍ୟ ଯୋଡି ବିଜେଡ଼ିକୁ ପାଣି ପିଆଇବ ବୋଲି ସେମାନଙ୍କ ଆଶଙ୍କା ।
ପ୍ରତାପ ଷଡ଼ଙ୍ଗୀ ଦଳର ସଭାପତି ହୁଅନ୍ତୁ । ଏହା ବିଜେପିର ସଂଖ୍ୟା ଗରିଷ୍ଠ ନେତା ଓ ସମର୍ଥକ ଚାହୁଁଛନ୍ତି । ଆରଏସଏସ୍ ମଧ୍ୟ ପ୍ରତାପଙ୍କ ସପକ୍ଷରେ ଦୃଢ଼ ରହିଛି । ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରତାପ ଷଡ଼ଙ୍ଗୀ ଦଳର ନେତୃତ୍ୱ ନେବାକୁ ଅମଙ୍ଗ ଅଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ହାକିମାତିରେ ସେ କାମ କରିପାରିବେ ନାହିଁ ବୋଲି ପ୍ରଥମରୁ ରୋକଠୋକ୍ ଜଣାଇ ଦେଇଛନ୍ତି । ଦ୍ୱିତୀୟରେ, ତୃଣମୂଳସ୍ତରରେ ଦଳ ସଂଗଠନ ଦୁର୍ବଳ ଅଛି । ଦଳକୁ ସବଳ ଓ ସଂଗଠିତ କରି ନିର୍ବାଚନ ସାମନା କରିବା ପାଇଁ ହାତରେ ସମୟ ନାହିଁ ବୋଲି ସେ ଜଣାଇଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ବିକଳ୍ପ ପ୍ରାର୍ଥୀ ଭାବେ ନୟନ କିଶୋର ମହାନ୍ତିଙ୍କୁ ଆରଏସଏସ ଚାହୁଁଥିଲା ବେଳେ କନକ ବର୍ଦ୍ଧନ ସିଂହଦେଓ ଓ ସମୀର ମହାନ୍ତିଙ୍କ ନାଁ ମଧ୍ୟ ବିଚାରକୁ ନିଆଯାଇଛି । ତେବେ ଏ ପର୍ଯ୍ୟନ୍ତ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ସର୍ବାଗ୍ରେ ଆଗରେ ରହିଛି । ଆରଏସଏସ ଚାପ ଧରି ହାଇକମାଣ୍ଡ ତାଙ୍କୁ ମନାଇବା ଉଦ୍ୟମ ଜାରି ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ବିଜେପି ନେତାମାନେ ଉତ୍କଣ୍ଠାର ସହ ଚାହିଁଥିବା ବେଳେ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ବିଜେଡ଼ି ଶିବିର ଆଶଙ୍କାରେ ଅଛି । ପ୍ରତାପଙ୍କ ବ୍ୟକ୍ତିତ୍ୱ, ନିଷ୍କଳଙ୍କ ଭାବମୂର୍ତ୍ତି ଓ ବାଗ୍ମିତା ସାଧାରଣରେ ଗ୍ରହଣୀୟ । ନବୀନ ପଟ୍ଟନାୟକଙ୍କ ପ୍ରତିଦ୍ୱନ୍ଦୀ ଭାବେ ଲୋକେ ତାଙ୍କୁ ଗ୍ରହଣ କରିପାରିବେ । ଓଡ଼ିଶାର ସଂଖ୍ୟାଧିକ ଯୁବବର୍ଗ ମଧ୍ୟ ପ୍ରତାପଙ୍କ ସପକ୍ଷରେ ଥିବା ବିଭିନ୍ନ ସୋସିଆଲ୍ ମିଡ଼ିଆ ସର୍ଭେରୁ ଜଣାପଡ଼ିଛି । ବିଜେପିର ଦୁର୍ବଳ ସଂଗଠନକୁ ସଜାଡ଼ିବାରେ ପ୍ରତାପଙ୍କ ନେତୃତ୍ୱ ସଂଜୀବନୀ ହେବ ବୋଲି ବିଜେଡ଼ି ଆଶଙ୍କା କରୁଛି ।
ସବୁଠାରୁ ବଡ଼କଥା, ବିଜେଡ଼ି ପାଇଁ ବଡ଼ ସମସ୍ୟା ହେଉଛି ନେତାଙ୍କ ଅର୍ନ୍ତଦ୍ୱନ୍ଦ । ଲଗାତର ୪ ଥର ଶାସନ କ୍ଷମତାରେ ଥିବାରୁ ନେତାଙ୍କ ଗର୍ବ ଓ ଅହଂକାର ବଢ଼ିଯାଇଛି । ନବୀନ ପଟ୍ଟନାୟକଙ୍କ ଟାଣ ନେତୃତ୍ୱ ଓ ଭାବମୂର୍ତ୍ତି ତଳେ ଅଧିକାଂଶ ନିଜର ପତିଆରା ରଖିଥିଲେ ମଧ୍ୟ ନିଜସ୍ୱ ପତିଆରା ଓ ଗ୍ରହଣୀୟତା ବୋଲି କିଛି ନାହିଁ । ଅଧିକ ପତିଆରା ଦେଖାଉଥିବା ନେତାଙ୍କ ପଛରେ ପଡ଼ିଛନ୍ତି ତାଙ୍କ ଦଳର ପ୍ରତିଦ୍ୱନ୍ଦୀ । ନିର୍ବାଚନ ସମୟ ଯେତିକି ପାଖୋଉଛି ନେତାଙ୍କ ଭିତରେ ପତିଆରା ଲଢ଼େଇ ଜୋର୍ ହେଉଛି । ବିଜେପି ପାଇଁ ଏହା ପୁଂଜି ହୋଇଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଗୁରୁତ୍ୱ ଦେଇ କାମରେ ଲଗାଇଥିବାରୁ ଶକ୍ତି କାଟ କରୁନି । କ୍ଷମତା ନିଶାରେ ବିଜେପିର ଏହି ହାତଗଣତି ମୁଣ୍ଡିଆଳମାନେ ଏମିତି ଚୁର୍ ଯେ ସେମାନେ ସାଂଗଠନିକ ଶକ୍ତିବୃଦ୍ଧି କଥା ଭୁଲି ନିଜକୁ ଟିଭି ମୁହଁ ଦେଖାରେ ସୀମିତ କରିଛନ୍ତି । ଦଳର ସଭାପତି ବସନ୍ତ ପଣ୍ଡା ଧର୍ମେନ୍ଦ୍ରଙ୍କ ପପେଟ୍ ସାଜି ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ କବଳରେ ରହିଥିବା କୁହାଯାଉଛି । ଯାହାର ଫାଇଦା ବିଜେଡ଼ି ଏ ପର୍ଯ୍ୟନ୍ତ ନେଇ ଚାଲିଛି ।
ପ୍ରତାପ ଷଡଙ୍ଗୀ ବିଜେପି ର ସଭାପତି ହେବା ଅତ୍ୟନ୍ତ ଜରୁରୀ ।ତୃଣମୂଳ ସ୍ତରରେ ସଙ୍ଗଠନ ବହୁତ ଦୁର୍ବଳ ଅଛି ତାକୁ ସଞିବନୀ ଯୋଗାଇବାକୁ ହେଲେ ପ୍ରତାପ ନନାଙ୍କ ସଭାପତି ହେବା ଆବଶ୍ୟକ ।