ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ୫୩ ବର୍ଷୀୟ ଚାରିଥରିଆ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ଦିଲ୍ଲୀ କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି । ଉନ୍ନାଓର ୧୭ ବର୍ଷୀୟା ନାବାଳିକାକୁ ସେ ଅପହରଣ କରି ରେପ୍ କରିଥିବା ପ୍ରମାଣିତ ହୋଇଛି । ଆସନ୍ତା ୧୯ ତାରିଖରେ କୋର୍ଟ ତାଙ୍କ ପାଇଁ ଦଣ୍ଡବିଧାନ ଘୋଷଣା କରିବେ । ତେବେ ତାଙ୍କର ସହଯୋଗୀ ତଥା ସହ ଅଭିଯୁକ୍ତ ଶଶୀ ସିଂଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଧର୍ମେଶ ଶର୍ମା ନିର୍ଦୋଷରେ ଖଲାସ କରିଛନ୍ତି । ମାତ୍ର ୪ ମାସ ତଳେ ବିଜେପିରୁ ବହିଷ୍କୃତ ଏହି ରେପିଷ୍ଟ୍ ବିଧାୟକ ସମାଜ ପାଇଁ କଳଙ୍କ ହୋଇଛନ୍ତି ।
କ’ଣ ଥିଲା ଅଭିଯୋଗ..
ଚାକିରି ଖଣ୍ଡେ ପାଇଁ କାକୁତୀ କରିବାକୁ ବାପା ବୟସର ବିଧାୟକଙ୍କ ଘରକୁ ୨୦୧୭ ଜୁନ୍ ୪ ତାରିଖ ସଂଧ୍ୟାରେ ଯାଇଥିଲେ ଉନ୍ନାଓର ୧୭ ବର୍ଷର ଗରିବ ନାବାଳିକା । ବିଧାୟକଙ୍କ ଲୋଲୁପ ଦୃଷ୍ଟି ପଡ଼ିଲା ବାଳିକା ଉପରେ । ଚାକିରି ଦେବାର ପ୍ରଲୋଭନ ଦେଇ ଝିଅଟିକୁ ରେପ୍ କଲେ । ସାତ ଦିନ ପରେ ବିଧାୟକଙ୍କ ମହିଳା ସହଯୋଗୀ ଶଶୀ ସିଂ ଝିଅଟିକୁ ସେଇ ଚାକିର କଥା କହି ଘରୁ ଡାକିନେଲେ । ବିଧାୟକ ତାଙ୍କ ଭାଇ ଓ ସହଯୋଗୀଙ୍କୁ ଧରି ନିଜ ଆଡ୍ଡାରେ ଝିଅଟିକୁ ରଖି ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କଲେ । ୯ ଦିନ ଧରି ନଜରବନ୍ଦୀରେ ରଖି ଏଭଳି ଅତ୍ୟାଚାର ଚାଲିଲା ।
ଜୁନ୍ ୨୦, ୨୦୧୭ରେ ପୀଡ଼ିତା ଝିଅଟି ଅପହର୍ତ୍ତାଙ୍କ କବଳରୁ ମୁକୁଳିବା ପରେ ପରିବାର ସହ ଥାନାକୁ ଯାଇ ବିଧାୟକଙ୍କ ନାଁରେ ଏତଲା ଦେଲା । ପୁଲିସ ଶୁଣିଲାନି । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଯାଇ ଗୁହାରି କଲା । କିଛି ଫଳ ମିଳିଲାନି । ଓଲଟି ଝିଅର ବାପାଙ୍କୁ ଗଛରେ ବାନ୍ଧି ଲାଠି, ବେଲ୍ଟରେ ନିସ୍ତୁକ ପିଟିଲେ ବିଧାୟକଙ୍କ ଭାଇ ଓ ସହଯୋଗୀ । ଏହି ଘଟଣାରେ ବିଧାୟକଙ୍କ ଭାଇଙ୍କୁ ପୁଲିସ ଗିରଫ କରିବା ବଦଳରେ ମାଡ଼ ଖାଇ ଲହୁ ଲୁହାଣ ହୋଇଥିବା ପୀଡ଼ିତାର ବାପାଙ୍କୁ ୨୦୧୮ ଏପ୍ରିଲ୍ ୩ ତାରିଖରେ ଆର୍ମସ୍ ଆକ୍ଟ ଲଗାଇ ଗିରଫ କଲା । ଜେଲ୍ ରେ ୫ ଦିନର ରହଣୀରେ ଏପ୍ରିଲ୍ ୯ ତାରିଖରେ ତାଙ୍କୁ ପିଟି ପିଟି ମାରି ଦିଆଗଲା । ଏହି ହତ୍ୟାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ହତ୍ୟା କରାଗଲା । ପୀଡ଼ିତାଙ୍କ ଦାଦାଙ୍କୁ ୨୦ ବର୍ଷ ତଳର ଏକ ହତ୍ୟା ଉଦ୍ୟମ ମାମଲାରେ ୧୦ ବର୍ଷ ଜେଲ୍ଦଣ୍ଡ ଦିଆଗଲା । ବୟସ ଜାଲିଆତି ଅଭିଯୋଗ ଅଣାଯାଇ ଖୋଦ୍ ପୀଡ଼ିତାଙ୍କୁ ମକଦ୍ଦମାରେ ଫସାଗଲା ।
ଗଣଦୁଷ୍କର୍ମ ଘଟଣାର ୧୧ ମାସ ପରେ ଏପ୍ରିଲ୍ ୧୩, ୨୦୧୮ରେ ଅଭିଯୁକ୍ତ ବିଧାୟକଙ୍କୁ ସିବିଆଇ ଗିରଫ କଲା । ହେଲେ ଜେଲ୍ ରେ ବିଧାୟକଙ୍କ କିଛି ବଙ୍କା ହେଲାନି । ଲଜ୍ଜା, ଅନୁତାପ ବଦଳରେ ଉତ୍ପାତ ବଢ଼ିଲା । ଜେଲ୍ ରୁ ବିଧାୟକ ରଚିଲେ ପୀଡ଼ିତା ଓ ପରିବାରର ମୂଳୋତ୍ପାଟନ ଷଡ଼ଯନ୍ତ୍ର । ଏକ କାର୍ ରେ ଯାଉଥିବା ପୀଡ଼ିତା, ତାଙ୍କର ଦୁଇ ଆଣ୍ଟିଏବଂ ଓକିଲଙ୍କୁ ଟ୍ରକ୍ ମଡ଼ାଇ ଦିଆଗଲା । ସେଥିରେ ଦୁଇ ଆଣ୍ଟି ମରିଗଲେ । ପୀଡ଼ିତା ଏବଂ ତାଙ୍କ ଓକିଲ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି ହେଲେ ।
୨୦୧୯ ଅଗଷ୍ଟ ୯ରେ ବିଧାୟକଙ୍କ ବିରୋଧରେ କୋର୍ଟରେ ୧୨୦-ବି(ଅପରାଧ ଷଡ଼ଯନ୍ତ୍ର), ୩୬୩(ଅପହରଣ), ୩୬୬(ପ୍ରଲୋଭନ ଦେଇ ଅପହରଣ), ୩୭୬(ରେପ୍) ଏବଂ ପୋକସୋ ଆକ୍ଟରେ ଚାର୍ଜସିଟ୍ ହେଲା । ଅଗଷ୍ଟ ୧୯ରେ ଯାଇ ବିଜେପିରୁ ବହିଷ୍କୃତ ହେଲେ ବିଧାୟକ ।
ଇଏ ହେଉଛି ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମର କାହାଣୀ । ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି । ଛାତି ଥରାଇ ଦେଉଥିବା ଏହି କାହାଣୀର ମୁଖ୍ୟ ଖଳନାୟକ ଚାରି ଥରର ବିଧାୟକ କୁଲଦୀପ ସିଂ ସେଙ୍ଗାର ଆଉ ଅଭିଯୁକ୍ତ ନୁହଁନ୍ତି । କୋର୍ଟ ତାଙ୍କୁ ଦୋଷୀସାବ୍ୟସ୍ତ କରିଛି ।