ମୁମ୍ବାଇ: ଦମ୍ଭ ରହିଲାନି । ଉପମୁଖ୍ୟମନ୍ତ୍ରୀ ପଦର ମୋହ ଭାଙ୍ଗିଗଲା । ସୁପ୍ରିମ୍ କୋର୍ଟଙ୍କ ଫ୍ଲୋର ଟେଷ୍ଟ ନିର୍ଦ୍ଦେଶ ଆସିବାର ୪ ଘଣ୍ଟା ଭିତରେ ପଦରୁ ଇସ୍ତଫା ଦେଇଦେଲେ ସାଢ଼େ ତିନି ଦିନିଆ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର । ଅଜିତ୍ ଙ୍କୁ ବଳ କରି ଦ୍ୱିତୀୟବାର କ୍ଷମତା ପାଳିଥିବା ଦେବେନ୍ଦ୍ର ଫଡନାଭିସ୍ ଟଳମଳ ହୋଇଗଲେ । ପାୱାର୍ ପଦ ଛାଡ଼ିବାର ଘଣ୍ଟେ ନ ପୁରୁଣୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ଇସ୍ତଫା ଘୋଷଣା କଲେ ଫଡନାଭିସ୍ ।
ଆସନ୍ତାକାଲି ଅପରାହ୍ନରେ ଫ୍ଲୋର୍ ଟେଷ୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍ ଙ୍କୁ ସୁୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏଭଳି ଭାବେ ପଳାୟନପନ୍ଥୀ ସାଜିଛନ୍ତି ଫଡ଼ନାଭିସ୍ । ଅଜିତ୍ ପାୱାରଙ୍କୁ ସାଙ୍ଗରେ ରଖି ଏନସିପିର ସମର୍ଥନ ପାଇଯିବେ ବୋଲି ବିଜେପି ନେତୃତ୍ୱ ଅଙ୍କ କଷିଥିଲେ । ରାତି ଅଧିଆ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ଗାଦି ଅକ୍ତିଆର କଲେ । ମାତ୍ର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ କଠୋର ଲଗାମରୁ ହଲିପାରିଲେନି ଦଳୀୟ ବିଧାୟକ । ପୁତୁରା ଅଜିତ୍ ପାୱାର୍ ଙ୍କୁ ଛାଡ଼ି ୫୩ ଜଣ ଯାକ ଦଳୀୟ ବିଧାୟକ ଶରଦ ପାୱାରଙ୍କ ପଛରେ ଛିଡ଼ା ହେଲେ । ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ରେ ରହି ଉଦ୍ଧବ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ ଘୋଷଣା କଲେ । ଶକ୍ତି ପରୀକ୍ଷାରେ ନିଶ୍ଚିତ ପରାଜୟ ଜାଣିବା ପରେ ଅଜିତ୍ ପାୱାର ଅନୋନ୍ୟପାୟ ହୋଇ ଶେଷରେ ଉପମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ ହେଲେ । ବିଜେପି ପାଖରେ ସବୁ ବିକଳ୍ପ ବନ୍ଦ ହୋଇଗଲା । ଶେଷରେ ଫଡନାଭିସ୍ ହାତ ଟେକିଦେଇ ମୁଖ୍ୟମନ୍ତ୍ରୀ ଗାଦିରୁ ଓହ୍ଲାଇଗଲେ ।
ଏହି ଦୁଇ ମହାରଥୀଙ୍କ ମହାପ୍ରସ୍ଥାନ ସହ ମହାରାଷ୍ଟ୍ର ମହାନାଟକର ପ୍ରଥମାର୍ଦ୍ଧ ପରିସମାପ୍ତି ଘଟିଛି । ଦ୍ୱିତୀୟାର୍ଦ୍ଧରେ ଶିବସେନା, ଏନସିପି ଏବଂ କଂଗ୍ରେସ ମହାମେଣ୍ଟର ମହାସରକାର ଦେଖିବାକୁ ମିଳିପାରେ । ମହାମେଣ୍ଟର ନେତା ଭାବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକୁରଙ୍କୁ ମନୋନୀତ କରିସାରିଛି । ସଂଧ୍ୟାରେ ବିଧିବଦ୍ଧ ଭାବେ ତାଙ୍କୁ ସର୍ବସମ୍ମତି ନେତା ନିର୍ବାଚିତ କରାଯିବ । ରାଜ୍ୟପାଳ ଏବେ ଉଦ୍ଧବ ଠାକୁରଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାର ବାଟ ଫିଟିଛି ।
ଏଥିସହ ରାଜନୀତିରେ ନୀତି, ଆଦର୍ଶ କେଉଁସ୍ତରକୁ ଚାଲିଯାଇଛି ମହାରାଷ୍ଟ୍ର ତାହାର ମହାଉଦାହରଣ ସୃଷ୍ଟି କରିଛି । ଲୋକଙ୍କୁ ଇଡ଼ିଅଟ୍ ମନାଇବାର ହୀନ ଉଦ୍ୟମ କରିଛନ୍ତି ମହାଇଡ଼ିଅଟ୍ ରାଜନେତା । ଆଗାମୀ ଦିନରେ ଦେଶର ରାଜନୀତିରେ ଏହାର କିଭଳି ମହା ପ୍ରଭାବ ରହିବ ତାହାକୁ ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢ଼ିଛି ।