ଭୁୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ୨୦୧୮ ହକି ବିଶ୍ୱକପ୍ ଓଡ଼ିଶାବାସୀଙ୍କ ସ୍ମୃତିରେ ତାଜା ଥିବା ବେଳେ ପୁଣି ଏକ ବଡ଼ ଖୁସି ଖବର ଆସିଛି । ଓଡ଼ିଶାକୁ ଲଗାତର ଦ୍ୱିତୀୟ ଥର ପାଇଁ ଆସିଛି ହକି ବିଶ୍ୱକପ୍ । ୨୦୨୩ ପୁରୁଷ ହକି ବିଶ୍ୱକପ୍ ସେହି କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ହେବ । ଆହୁରି ବଡ଼କଥା ହେଉଛି, ଖାଲି କଳିଙ୍ଗ ଷ୍ଟାଡିୟମ୍ ନୁହେଁ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡର ରାଉରକେଲାରେ ଏକାସାଙ୍ଗରେ ଖେଳାଯିବ ହକି ବିଶ୍ୱକପ୍ । ୨୦୧୮ ହକି ବିଶ୍ୱକପ୍ ଉଦଘାଟନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଘୋଷଣା କରିଛନ୍ତି । ୨୦୨୩ ହକି ବିଶ୍ୱକପ୍ ଆୟୋଜନର ଦାୟିତ୍ୱ ଓଡ଼ିଶାକୁ ମିଳିଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।
୨୦୨୩ ହକି ବିଶ୍ୱକପ୍ ର ଆୟୋଜନ ପାଇଁ ଭାରତ, ମାଲେସିଆ ଓ ବେଲଜିୟମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଆୟୋଜକ ହେବା ପାଇଁ ଏହି ତିନି ଦେଶ ବିଡ୍ ଦାଖଲ କରିଥିଲେ । ମାତ୍ର ଏହି ରେସ୍ ରେ ଅନ୍ୟ ଦୁଇ ଦେଶଙ୍କୁ ପଛରେ ପକାଇ ଭାରତ ବାଜି ମାରିଥିଲା । ତେବେ ଆୟୋଜକ ରାଷ୍ଟ୍ର ଭାରତ କେଉଁଁଠାରେ ଏହାର ଆୟୋଜନ କରିବ ତାହା ସମସ୍ତଙ୍କ ଅପେକ୍ଷାରେ ଥିଲା ବେଳେ ଓଡ଼ିଶାକୁ ପ୍ରଥମ ପସନ୍ଦର ଜାଗା ଭାବେ ବାଛି ନେଇଛି ହକି ଇଣ୍ଡିଆ । ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ୱସ୍ତରୀୟ ମହାଇଭେଣ୍ଟ ଆୟୋଜନର ବିରଳ ସୁଯୋଗ ହାସଲ କରିଛି ।
୨୦୧୮ ହକି ବିଶ୍ୱକପ୍ ର ସଫଳ ଆୟୋଜନ କରି ଓଡ଼ିଶା ସବୁସ୍ତରରେ ପ୍ରଶଂସିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଆୟୋଜନର ପୁରୋଧା ହୋଇଥିଲେ । ଆଗାମୀ ବିଶ୍ୱକପ୍ ଆୟୋଜନର ପୁନର୍ବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ବେଶ୍ ଖୁସିପ୍ରକଟ କରିଛନ୍ତି । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡକୁ ବିଶ୍ୱସ୍ତରରେ ପରିଚିତି ଦେବାକୁ ତାଙ୍କର ପ୍ରତିବଦ୍ଧତା ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବି ଆହୁରି ଖୁସି । କାରଣ କେବଳ କଳିଙ୍ଗ ଷ୍ଟାଡିୟମ୍ ନୁହେଁ, ରାଉରକେଲାକୁ ମିଳିଛି ହକି ବିଶ୍ୱକପ୍ ମହାଇଭେଣ୍ଟ ।
ସୁନ୍ଦରଗଡ଼ରେ ୧୭ଟି ବିଶ୍ୱସ୍ତରୀୟ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିବା ସହ ଏହାର ଶିଳାନ୍ୟାସ କରିଥିଲେ । ଖୁବ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ସୁନ୍ଦରଗଡ଼ରେ ନିର୍ମାଣ ହେବାକୁ ଯାଉଥିବା ଷ୍ଟାଡିୟମ୍ ର ଭିତ୍ତିଭୂମି ହକି ଖେଳ ପାଇଁ ଖ୍ୟାତ ୟୁରୋପୀୟ ଦେଶରେ ମଧ୍ୟ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚାଇ ଦେଇଛନ୍ତି ।
ଉତ୍ସବରେ ଉପସ୍ଥିତ ହକି ଇଣ୍ଡିଆ ସଭାପତି ଡ. ନରେନ୍ଦ୍ର ବାତ୍ରା ଓଡ଼ିଶା ସରକାରଙ୍କ ଆଗ୍ରହ ଓ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂରି ପ୍ରଶଂସା କରିଥିଲେ । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୮ ହକି ବିଶ୍ୱକପ୍ ଉପରେ ଏକ ଡକୁ୍ୟମେଣ୍ଟାରି ଏବଂ ଏକ କଫି ଟେବୁଲ ବୁକ ଉନ୍ମୋଚନ କରିଥିଲେ ।