ଭୁବନେଶ୍ୱର: ଅଶ୍ଲୀଳ ଫୋନ୍ କଲ୍, ମେସେଜ୍ ଜରିଆରେ ଅଧାରୁ କମ୍ ବୟସର ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୁକ୍ତ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାନ୍ଧିଛି ମହିଳା ଥାନା ପୁଲିସ । ତାଙ୍କ ବିରୋଧରେ ଆଇପିସି ଦଫା ୩୫୪ ଏବଂ ୬୭ ଆଇଟି ଆକ୍ଟ୍ ରେ କେସ୍ ଲାଗିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ଯାଇଛନ୍ତି ।
ଆୟୁଷ ନିର୍ଦ୍ଦେଶାଳୟରେ ଠିକାରେ କାର୍ଯ୍ୟ କରୁଥିବା ୨୫ ବର୍ଷୀୟା ଆକାଉଣ୍ଟସ୍ ଅଧିକାରୀ ଗତ ୬ ତାରିଖରେ ମହିଳା ଥାନାରେ ନିର୍ଦ୍ଦେଶକଙ୍କ ବିରୋଧରେ ଏତଲା ଦେଇଥିଲେ । ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ତାଙ୍କୁ ବାରମ୍ବାର ଫୋନ୍ ରେ ଅଶ୍ଲୀଳ ଇଙ୍ଗିତ କରୁଥିଲେ ଏବଂ ହ୍ୱାଟସ୍ ଆପ୍ ରେ ଅଶ୍ଲୀଳ ମେସେଜ୍ ଦେଉଥିଲେ । ଅଭିଯୋଗକାରିଣୀ ଏସବୁର ଅଡ଼ିଓ କ୍ଲିପ୍ ଏବଂ ହ୍ୱାଟସ୍ ଆପ୍ କଥାବାର୍ତ୍ତାର ସ୍କ୍ରିନ୍ ସଟ୍ ଦେଇଥିଲେ ମହିଳା ଥାନା ପୁଲିସକୁ ।
ନଜର ପକାନ୍ତୁ କ’ଣ ସେହି ମେସେଜ୍..
ତମେ ଯେତେବେଳେ ମୋ ଚାମ୍ବରକୁ ଆସ, ମୁଁ ଏକ୍ସଟାଇଟେଡ୍ ହୋଇଯାଏ । ଆମ ଦୁଇଜଣଙ୍କ ଭିତରେ ଭଲ ଦୋସ୍ତି ହେବା ଦରକାର ।
ଦିନେ ଖୋଲା ପଡ଼ିଆକୁ ଯିବା । ସେଠି ଗୀତ ଗାଇବା, ନାଚିବା, ପେଟେ ପେଟେ ପିଇବା, ଯାହା ଇଚ୍ଛା ତାହା କରିବା । ତେବେ ଯାଇ ଭଲ ଦୋସ୍ତି ହେବ ନା ।
ତୁମେ ଗାଧୋଇବା ବେଳେ ବାଥରୁମ୍ ରୁ ମତେ ଟିକେ ଭିଡ଼ିଓ କଲ୍ କର, ପ୍ଲିଜ୍.. ।
ଡରନି.. ଯଦି ପ୍ରୋବ୍ଲେମ୍ ହେଲା, ମୁଁ ତମକୁ ସ୍ତ୍ରୀର ପରିଚୟ ଦେବି ।
ଅଭିଯୋଗକାରିଣୀ ତାଙ୍କ ଏତାଲାରେ ଦର୍ଶାଇଥିଲେ ଯେ ଗତବର୍ଷ ଅଗଷ୍ଟ ମାସରେ ଆୟୁଷ ନିର୍ଦ୍ଦେଶକ ଭାବେ ବିଭୁ ଷଡ଼ଙ୍ଗୀ ଯୋଗଦେବା ପରଠୁ ତାଙ୍କ ଉପରେ ଖରାପ ନଜର ପକାଇଥିଲେ । ଅଫିସ୍ କାମ ବାହାନାରେ ତାଙ୍କୁ ବାରମ୍ବାର ଚାମ୍ବରକୁ ଡାକୁଥିଲେ । ଗତ ଜୁନ୍ ୨୮ ରେ ତାଙ୍କୁ ହ୍ୱାଟସ୍ ଆପ୍ ରେ ନିଜର ଉଲଗ୍ନ ଭିଡ଼ିଓ ପଠାଇବା ସହ ବାଥରୁମ୍ ରୁ ଭିଡ଼ିଓ କଲ୍ କରିବାକୁ କହିଥିଲେ । ଏଭଳି ଅସଭ୍ୟ ଆଚରଣରୁ ନିବୃତ୍ତ ରହିବାକୁ ସେ ବସ୍ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କର ଉତ୍ପାତ କମିବା ପରିବର୍ତ୍ତେ ବଢ଼ିଥିଲା । ଅନ୍ୟ ଉପାୟ ନ ପାଇ ଶେଷରେ ମହିଳା ଥାନାର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି ।
ସହକର୍ମୀ ଯୁବତୀଙ୍କ ଅଭିଯୋଗ ପରେ ଫେରାର୍ ହୋଇଯାଇଥିଲେ ନିର୍ଦ୍ଦେଶକ ଷଡ଼ଙ୍ଗୀ । ପରଦିନ ମହିଳା ଥାନାକୁ ଏକ କାଉଣ୍ଟର୍ ଏତଲା ପଠାଇଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ବୋଲି ଦାବି କରିଥିଲେ । ଅଭିଯୋଗକାରିଣୀଙ୍କ ନିଯୁକ୍ତି ବେଆଇନ ହୋଇଥିବାରୁ ସେ ଭିଜିଲାନସ୍ ତଦନ୍ତ ପାଇଁ ଲେଖିଛନ୍ତି । ତେଣୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ସଫେଇ ରଖିଥିଲେ ।
ନିଜେ ଥାନା ଆସିବାକୁ ସାହାସ କରି ନ ଥିବା ଏହି ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ଆଜି ଦ୍ୱିପ୍ରହରେ ମହାଶୟ ମହିଳା ଥାନାରେ ପହଞ୍ଚିଥିଲେ । ପୁଲିସ ତାଙ୍କୁ ଦୀର୍ଘ ପ୍ରାୟ ୨ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା ।
ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ ବୋଲି କ୍ୟାମେରା ଆଗରେ ନିର୍ଲଜ ସଫେଇ ଦେଇଛନ୍ତି ନିର୍ଦ୍ଦେଶକ ଷଡ଼ଙ୍ଗୀ । ଉକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ୍ ମିଶି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା କହିଛନ୍ତି ।
ସୂଚନାଯୋଗ୍ୟ, ୨୫ ବର୍ଷୀୟା ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲାରେ ଆଜି ଜେଲ୍ ଯାଇଥିବା ଏହି ବରିଷ୍ଠ ଓଏଏସ୍ ଅଧିକାରୀ ଆସନ୍ତା ଡିସେମ୍ବରରେ ଚାକିରିରୁ ଅବସର ଗ୍ରହଣ କରିବେ ।