ପଦୋନ୍ନତି ପାଇଲେ ୩୧୬୬ କର୍ମଚାରୀ
ଭୁୁବନେଶ୍ୱର: ତଳିଆ କର୍ମଚାରୀଙ୍କ ପଦୋନ୍ନତି ଫାଇଲ୍ ବର୍ଷ ବର୍ଷ ଧରି ପଡ଼ି ରହୁଥିଲା । ଉପରିସ୍ଥ ଅଧିକାରୀଙ୍କ ମର୍ଜିରେ ଝୁଲୁଥିଲା ସେମାନଙ୍କ ଭାଗ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଛାଟ ଏହାକୁ ବଦଳାଇ ଦେଇଛି । ଡିସେମ୍ବର ୩୧ ତାରିଖ ସୁଦ୍ଧା ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପାଳନ ହୋଇଛି । ଡିସେମ୍ବର ୨୪ରୁ ୩୧ ତାରିଖ ସୁଦ୍ଧା ସର୍ବମୋଟ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି । ପଦୋନ୍ନତି କ୍ଷେତ୍ରରେ ଏହା ରେକର୍ଡ ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଉକ୍ତ ସମୟ ମଧ୍ୟରେ ବିଭିନ୍ନ ବିଭାଗରୁ ଗ୍ରୁପ୍-ଏ ରେ ୮୫୨ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ୍-ବି ରେ ୫୨୭, ଗ୍ରୁପ୍-ସି ରେ ୧୪୯୬ ଏବଂ ଗ୍ରୁପ୍-ଡି ରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି । ଏହାପୂର୍ବରୁ ଅର୍ଥାତ୍ ୨୦୧୯ ବର୍ଷରେ ଜାନୁଆରୀରୁ ନଭେମ୍ବର ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ ଜଣ ପଦୋନ୍ନତି ପାଇଥିଲେ । ଡିସେମ୍ବର ମାସର ପଦୋନ୍ନତି ସଂଖ୍ୟା(୩୧୬୬)କୁ ମିଶାଇ ୨୦୧୯ ବର୍ଷରେ ବିଭିନ୍ନ ବର୍ଗର ୧୨,୯୩୨ ଜଣ କର୍ମଚାରୀ ପଦୋନ୍ନତି ସୁବିଧା ପାଇପାରିଛନ୍ତି । ସେଥିମଧ୍ୟରୁ କେବଳ ଜିଲ୍ଲାସ୍ତରରେ ୩୧୩୯ ଜଣ ଦୋନ୍ନତି ପାଇଛନ୍ତି ।
ବିଭାଗୱାରୀ ତାଲିକାରେ ସ୍ୱରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ ଜଣ ପଦୋନ୍ନତି ପାଇଥିବା ବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରୁ ୧୩୦୭ ଜଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି । ଜିଲ୍ଲାସ୍ତରରେ କଟକ ଜିଲ୍ଲାରୁ ସର୍ବାଧିକ ୭୪୮ ଜଣ ପଦୋନ୍ନତି ପାଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରୁ ୨୧୮ ଓ ଗଞ୍ଜାମରୁ ୧୯୪ ଜଣଙ୍କୁ ମିଳିଛି ପଦୋନ୍ନତି ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନୂତନ ୫ଟି ନୀତିରେ ସମୟ, ସ୍ୱଚ୍ଛତା, ମିଳିତ ଉଦ୍ୟମ, ବୈଷୟିକ କୌଶଳର ପ୍ରୟୋଗ ଜରିଆରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି । ୫ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ କର୍ମଚାରୀଙ୍କୁ ବିବେଚନା କରାଯାଉଛି । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅସଜଡ଼ା ପଦୋନ୍ନତି ପ୍ରକ୍ରିୟାକୁ ଆଗ ସଜାଡ଼ିଛନ୍ତି । କର୍ମଚାରୀଙ୍କ ପଦୋନ୍ନତିରେ ଅଯଥା ବିଳମ୍ବ ଉପରେ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଯୋଗ୍ୟ କର୍ମଚାରୀଙ୍କୁ ଯଥା ସମୟରେ ପଦୋନ୍ନତି ଦେବା ପାଇଁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦେଇଛନ୍ତି ।