ଭୁୁବନେଶ୍ୱର: ସରକାରୀ ଏଜେନ୍ସୀ ମଧ୍ୟରେ ସମନ୍ୱୟ ରକ୍ଷା କରି ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଓଲଟି ତ୍ରୁଟି ଧରୁଥିବା ଗଣମାଧ୍ୟମକୁ ତାଗିଦ୍ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଆତଙ୍କ ସୃଷ୍ଟିକାରୀ କରୋନା ମହାମାରୀକୁ କ୍ରିକେଟ୍ ଖେଳ ସହ ଯୋଡି ସାମ୍ବାଦିକମାନଙ୍କୁ ପାଠ ପଢ଼ାଇଛନ୍ତି ।
ବାଗଚୀ କହିଛନ୍ତି, କୋଭିଡ୍-୧୯ ଆଇପିଏଲ୍ କିମ୍ବା ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ । ଆପଣ ପ୍ରତିଟି ବଲ୍ ର ସମୀକ୍ଷା କରନ୍ତୁ ନାହିଁ । ଏଇ ଆବେଗ ନୁହେଁ, ପ୍ରତ୍ୟୟର ସମୟ । ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚାଇବୁ ।
ଗଣମାଧ୍ୟମକୁ ସିଧା ଜଣାଇ ଦେଇଛନ୍ତି ଯେ ଆପତକାଳୀନ ସ୍ଥିତିରେ ଘଟଣା ଘଟିବା କ୍ଷଣି ଆମେ ଖବର ଦେବା ସମ୍ଭବ ନୁହେଁ । ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଦରକାର, ତାହା ଦେବୁ । ଯେଉଁଠି ଜନହିତ ଆଶଙ୍କା ନାହିଁ, ସେଠି ବ୍ୟକ୍ତିଗତ ବିବରଣୀ ଦେବୁ ନାହିଁ । ସେଥିପାଇଁ ସମୀକ୍ଷା ଓ ସମାଲୋଚନା କରିବାର ଆବଶ୍ୟକତା ନାହିଁ । କୋଭିଡ୍ ହସ୍ପିଟାଲ୍ କି ଟେଷ୍ଟିଂ ଜାଗା ଆଗରେ ଓବି ଭ୍ୟାନ୍ ଠିଆ କରାଇବା ସମୟ ଇଏ ନୁହେଁ ।
ଗଣମାଧ୍ୟମକୁ ବାଗଚୀଙ୍କ ଏହି ପାଠ ପଢ଼େଇବା କାରଣ ସ୍ପଷ୍ଟ । ସତ୍ୟନଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଇ ଗତକାଲି ବିଏମସି ସେହି ଅଞ୍ଚଳକୁ ସିଲ୍ କରିବା ପରେ ଦ୍ୱନ୍ଦରୁ ବିବାଦ ଆରମ୍ଭ ହୋଇଛି । ପ୍ରଥମେ “ମିଡ଼ ଡ଼େ ଓଡ଼ିଶା” ଏବଂ ପରେ ଅନ୍ୟ ଗଣମାଧ୍ୟମଗୁଡ଼ିକ ସରକାରଙ୍କ ବେତାଳିଆ ତଥ୍ୟ ସାମନାକୁ ଆଣିବା ପରେ ସରକାର ବୋଧହୁଏ ବିବ୍ରତ ହୋଇପଡ଼ିଛନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ହଜମ କରିନାହାନ୍ତି ମୁଖ୍ୟ ମୁଖପାତ୍ର ବାଗଚୀ । ଗଣମାଧ୍ୟମ ଜରିଆରେ ଲୋକଙ୍କ ମନରୁ ଆତଙ୍କ ଓ ଦ୍ୱନ୍ଦ ଦୂର କରିବା ପରିବର୍ତ୍ତେ ଓଲଟି ସାମ୍ବାଦିକଙ୍କୁ ପରାମର୍ଶ ଆଳରେ ତାଗିଦ୍ କରିଛନ୍ତି ।
ଯାହା ବି ହେଉ, କରୋନା ସଙ୍କଟ ବେଳେ ଏହି ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚା କରିବାର ଏହା ସମୟ ନୁହେଁ । ଏହାଦ୍ୱାରା ସରକାରୀ କଳର କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି । ତେବେ ସରକାରଙ୍କ ତୁଣ୍ଡ ହୋଇଥିବା ବାଗଚୀଙ୍କ ଭଳି ଜଣେ ବିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କ ତୁଣ୍ଡରୁ ଗଣମାଧ୍ୟମକୁ ଏଭଳି ତାଗିଦ୍ ରାଜ୍ୟର ସାଧାରଣ ଜନତା ବି ପସନ୍ଦ କରିନାହାନ୍ତି ।
ବାସ୍ତବତା ହେଉଛି, ରାଜ୍ୟର ପ୍ରତିଟି ଗଣମାଧ୍ୟମ ସରକାରଙ୍କ କରୋନା ମୁକାବିଲାରେ ଯଥେଷ୍ଟ ସହଯୋଗ ଯୋଗାଇ ଆସୁଛନ୍ତି ଏବଂ ଯୁଦ୍ଧ ଜିତିବା ପର୍ଯ୍ୟନ୍ତ ସରକାରଙ୍କ ସାଙ୍ଗରେ ରହିବାକୁ ପ୍ରସ୍ତୁତ ଅଛନ୍ତି । ସରକାରଙ୍କର ସାହାଯ୍ୟ, ସମର୍ଥନ ସମବେଦନା ନ ଥିବା ସତ୍ତ୍ୱେ ସାମ୍ବାଦିକମାନେ ନିଜର ଦାୟିତ୍ୱ ପ୍ରତି ନିଷ୍ଠାବାନ ହୋଇ ସଂଯମ ଆଚରଣ ଦେଖାଉଛନ୍ତି । ଏଭଳି ସମୟରେ ବାଗଚୀ ସାମ୍ବାଦିକଙ୍କ ମନରେ ଆଘାତ ନ ଦେଇ ନିଜେ ସଂଯମ ହେବାକୁ ବୁଦ୍ଧୀଜୀବୀମାନେ ପରାମର୍ଶ ଦେଇଛନ୍ତି ।