ଭୁବନେଶ୍ୱର: ଆପଣମାନେ ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟ । ଆଜିଠାରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହୋଇଛି । ତେବେ ନିୟମ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ଅର୍ଥଦଣ୍ଡର ବ୍ୟବସ୍ଥା କରିଛନ୍ତି । ଯିଏ ମାସ୍କ ପିନ୍ଧିବେନି ତାଙ୍କୁ ୨୦୦ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ । ନିୟମ ଉଲ୍ଲଂଘନକାରୀ ପ୍ରଥମ ତିନି ଥର ଯାଏଁ ୨୦୦ ଟଙ୍କା ଲେଖାଏଁ ଫାଇନ୍ ଦେବେ । ମାତ୍ର ଚତୁର୍ଥ ଥରଠାରୁ ୫୦୦ ଟଙ୍କା ତଣ୍ଡ ଗଣିବେ ।
ଆଜି କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ପୂର୍ବରୁ ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପ୍ରଶାସନ ମାସ୍କ ପିନ୍ଧାକୁ ନିହାତି ଜରୁରୀ କରିଛନ୍ତି । ଲୋକମାନେ ମାସ୍କ ନ ପିନ୍ଧିଲେ ଦୋକାନରୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ନାହିଁ । ଏପରିକି ଔଷଧ ଦୋକାନୀ ମଧ୍ୟ ବିନା ମାସ୍କଧାରୀଙ୍କୁ ଔଷଧ ଦେବ ନାହିଁ । ସବୁ ଦୋକାନ ଆଗରେ ଏହା ଲେଖିକି ଟାଙ୍ଗିବାକୁ ଦୁଇ ଜିଲ୍ଲାର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।