ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷା-ଜ୍ଞାନ ପ୍ରସଙ୍ଗ ନୂଆ ନୁହେଁ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଆରେ କହି ନ ପାରିବା ନିଶ୍ଚିତ ଦୁର୍ଭାଗ୍ୟଜନକ । ମାତ୍ର ବୈଷ୍ଣବ ପରିଡ଼ାଙ୍କ ଭଳି ନେତାଙ୍କ ମୁହଁରେ ଏହାର ସମାଲୋଚନା ଆହୁରି ଦୁର୍ଭାଗ୍ୟଜନକ । ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ ତାଙ୍କ ଝାଳରୁ ରକ୍ତ ନିଗାଡୁଥିଲେ ମନା ନାହିଁ । ମାତ୍ର ଆଗରୁ ଥିଲେ କେଉଁଠି ? ନବୀନଙ୍କ ଦଳ ବିଜେଡ଼ିକୁ ଆସିବା ଏବଂ ରାଜ୍ୟସଭା ଗାଦି ପାଇ ଦିଲ୍ଲୀ ମଜା ନେଲାବେଳକୁ ତାଙ୍କ ଓଡ଼ିଆ ସ୍ୱାଭିମାନ ଥିଲା କେଉଁଠି ? ଗତକାଲି ସମ୍ବଲପୁରରେ ନବୀନ ସରକାରକୁ ମୋଗଲ ଶାସକଙ୍କଠାରୁ ଭୟଙ୍କର ବୋଲି କହିବା ବେଳେ ତାଙ୍କୁ ସାମାନ୍ୟତମ ଲଜ୍ଜା ଲାଗିଲାନି କେମିତି ?
ବୈଷ୍ଣବ ପରିଡ଼ା ଜଣେ ସୁବିଧାବାଦୀ ରାଜନେତା । ଏକଥା ଆମେ କହୁନୁ, ତାଙ୍କର ରାଜନୈତିକ ଇତିହାସ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଅନୁଭବ କହୁଛି । ବାମପନ୍ଥୀ ଚିନ୍ତାଧାରାରୁ ଆସିଥିବା ଏହି ଭଦ୍ରବ୍ୟକ୍ତି ପରବର୍ତ୍ତୀ ସମୟରେ ପୁଜିଂବାଦ ଓ ସାମନ୍ତବାଦ ପ୍ରତି ଆକର୍ଷିତ ହୋଇଥିଲେ । ବାମପନ୍ଥୀ ଚିନ୍ତାଧାରା ଓ କାର୍ଲ ମାକ୍ସ ଆଦର୍ଶରେ ଉଦବୁଦ୍ଧ ହୋଇ ଦୀର୍ଘ ୩୫ ବର୍ଷ ଧରି ବାମବଳୟର କ୍ଷମତାରେ ଯଶସ୍ୱୀ ଲାଭ କରିଥିଲେ । ମସ୍କୋରେ ତାଙ୍କ ୧୫ ବର୍ଷର ରହଣୀ ତାଙ୍କୁ ପ୍ରାଚୁର୍ଯ୍ୟର ସୁଖ ଆଣିଦେଇଥିଲା । ଦୁରଦୃଷ୍ଟି ସମ୍ପନ୍ନ ବୈଷ୍ଣବଙ୍କର ୧୯୯୩ ମସିହାରେ ହଠାତ୍ ଜାନକୀ ବାବୁଙ୍କ ପ୍ରତି ପ୍ରେମ ଉଛୁଳିଥିଲା । କୁହାଯାଏ, ୧୯୯୫ ମସିହାରେ ଜାନକୀ ବାବୁ କ୍ଷମତାକୁ ଫେରିଲା ପରେ ବୈଷ୍ଣବ ବାବୁ ଭୁବନେଶ୍ୱରରେ ନିଜ ପାଇଁ ଜାଗାବାଡ଼ି ହାତେଇ ମାଲେମାଲ ହୋଇଥିଲେ ।
ତେବେ ଜାନକୀବାବୁ କ୍ଷମତାରୁ ଗଲା ପରେ କଂଗ୍ରେସ ବୈରାଗୀ ହୋଇଗଲେ ବୈଷ୍ଣବ । ଆଖି ପକେଇଲେ ମୁଲାୟମ ସିଂ ଯାଦବଙ୍କ ଆଡକୁ । ମୁଲାୟମଙ୍କୁ ମନେଇ ସମାଜବାଦୀ ପାର୍ଟିରେ ମିଶିଗଲେ ଏବଂ ଓଡ଼ିଶାରେ ତାହାର ମୁଖିଆ ଦାୟିତ୍ୱ ହାତେଇନେଲେ । ୟୁପି ଏବଂ କେନ୍ଦ୍ରରେ ମୁଲାୟମ୍ ଙ୍କ ଅଖଣ୍ଡ କ୍ଷମତା ଥିବା ବେଳେ ବୈଷ୍ଣବ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି । ଓଡ଼ିଶାରେ ସମାଜବାଦୀ ପାର୍ଟିକୁ ଶକ୍ତିଶାଳୀ କରିବାକୁ ମୁଲାୟମ ତାଙ୍କ ଭଣ୍ଡାର ଖୋଲିବା ବୈଷ୍ଣବଙ୍କ ପାଇଁ କଚେ ପୁଅ ବାର ହୋଇଥିଲା । ମୁଲାୟମଙ୍କ ଟଙ୍କାରେ ଦଳକୁ ଶକ୍ତିଶାଳୀ କରିବା ବଦଳରେ ସେ ନିଜକୁ ଶକ୍ତିଶାଳୀ କରିଥିଲେ ଏବଂ ଦଳକୁ ଓଲଟି ବିପର୍ଯ୍ୟୟ ଭିତରକୁ ଠେଲି ଦେଇଥିଲେ । ଦଳରୁ ତଡ଼ା ଖାଇବା ପୂର୍ବରୁ ସେ ନିଜ ପାଇଁ ଆଉ ଏକ ସୁରକ୍ଷିତ ଜାଗା ଖୋଜିଥିଲେ । ବୈଷ୍ଣବଙ୍କ ତତ୍କାଳୀନ ସହଯୋଗୀମାନେ ଏକଥା ସ୍ୱୀକାର କରିଛନ୍ତି ।
୨୦୦୮ ମସିହାରେ ସେ ବିଜେଡ଼ିର ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ଶରଣ ପଶି ସଫଳ ହେଲେ । ପ୍ୟାରୀ ତାଙ୍କୁ ବିଜେଡ଼ିରେ କୋଳେଇ ନେବା ପରେ ବୈଷ୍ଣବ ତାଙ୍କ ଗୋଡ଼ ହାତ ଧରି ୨୦୧୦ ରେ ମାରିନେଲେ ରାଜ୍ୟସଭା ଆସନ । ଏହି ବୈଷ୍ଣବଙ୍କ ବିଜୟ ପାଇଁ ବିଜେଡ଼ି ଘୋଡା ବେପାରର ଅପବାଦ ସହିଥିଲା । ସେ ଯାହା ହେଉ, ୬ ବର୍ଷର କାର୍ଯ୍ୟକାଳ ସରିବା ପୂର୍ବରୁ ବୈଷ୍ଣବ ଦ୍ୱିତୀୟ ଇନିଂସ ପାଇଁ ଲାଳ ଗଡ଼ାଇଥିଲେ । କିନ୍ତୁ ସେତେବେଳକୁ ପ୍ୟାରୀ ନ ଥିଲେ । ପ୍ୟାରୀଙ୍କ ଅବର୍ତ୍ତମାନରେ ସେ ନବୀନଙ୍କୁ ମନେଇବାକୁ ଉଦ୍ୟମ କରିଥିଲେ । ତୃତୀୟ ମହଲା ଯାଇ ତାଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ । ମାତ୍ର ସେଠାରୁ ବ୍ୟର୍ଥ ହେଲା ପରେ ବୈଷ୍ଣବଙ୍କର ଓଡ଼ିଆ ଭାଷା ପ୍ରୀତି ଜୋର୍ ମନେପଡ଼ିଲା । ନବୀନଙ୍କ ଓଡ଼ିଆ ଭାଷା ଜ୍ଞାନ ଉପରେ ଭାଷଣ ମାରିଲେ । ରାଜ୍ୟସାରା ବୁଲି ତାଙ୍କୁ ବଦନାମ କଲେ । ସାଙ୍ଗକୁ ବ୍ଲାକ୍ ମେଲିଂ ବି ଆରମ୍ଭ କଲେ ।
ମିଳିଥିବା ଖବର ଅନୁଯାୟୀ , ୬ ମାସ ତଳେ ବୈଷ୍ଣବ ସଚିବାଳୟ ଯାଇ ନବୀନଙ୍କୁ ଭେଟିଥିଲେ । ଭାଷା ଆୟୋଗ ଗଠନ ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଅନ୍ୟ ରାଜ୍ୟ ଭଳି କ୍ୟାବିନେଟ୍ ମର୍ଯ୍ୟାଦା ସହ ନିଜ ପାଇଁ ଅଧ୍ୟକ୍ଷ ପଦ ମାଗିଥିଲେ । ବେଶ୍ କାକୁତୀମିନତୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ‘ହଉ ଦେଖିବା’ କହି ତାଙ୍କୁ ଫେରାଇବା ପରେ ବୈଷ୍ଣବ ପଗଡ଼ି କିଣି ଅପେକ୍ଷା କଲେ । ମାତ୍ର ଆଶା ମଉଳି ଯାଉଥିବାରୁ ସେ ଉତକ୍ଷିପ୍ତ ହୋଇପଡ଼ିଛନ୍ତି । ନବୀନଙ୍କୁ ମୋଗଲ ଶାସକଙ୍କଠାରୁ ଭୟଙ୍କର ଦର୍ଶାଇ ଗାଦି ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ।
କଥା ଖାଲି ସେତିକିରେ ସରିନାହିଁ । ଇତିମଧ୍ୟରେ ବୈଷ୍ଣବ ବିଜେପି ଆଡକୁ ଆଖେଇଥିବା ଜଣାପଡ଼ିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଯୋଗସୂତ୍ର ଚାଲିଥିବା ଏକ ସୂତ୍ରରୁ ଖବର ମିଳିଛି । ନବୀନଙ୍କୁ ଗାଳି ଦେଇ ଧର୍ମେନ୍ଦ୍ରଙ୍କୁ ଖୁସି କରାଇପାରିଲେ ତାଙ୍କର ଭବିଷ୍ୟତ ଉଜ୍ଜଳ ବୋଲି ବୋଧହୁଏ ସେ ଭାବିନେଇଛନ୍ତି । ତେବେ ସେ ଯାହା ହେଉ, ବୈଷ୍ଣବଙ୍କର ଏଭଳି ସୁବିଧାବାଦୀ ଚରିତ୍ର ବୁଦ୍ଧିଜୀବୀଙ୍କ ପାଇଁ ନୂଆ ଖବର ନହେଲେ ମଧ୍ୟ ତାହା ସେମାନଙ୍କୁ ବ୍ୟଥିତ କରିଛି । ଓଡ଼ିଆ ବିଭାଗର ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କ ମତରେ, ବୈଷ୍ଣବଙ୍କର ଓଡ଼ିଆ ଭାଷାପ୍ରୀତିକୁ ଆମେ ସମ୍ମାନ ଦେଉଛୁ । ମାତ୍ର ଭାଷା ସୁରକ୍ଷା ଆନ୍ଦୋଳନର ମୁଖା ପିନ୍ଧି ନିଜର ବ୍ୟକ୍ତିଗତ ଫାଇଦା ଚରିତାର୍ଥ ଉଦ୍ୟମକୁ ନିନ୍ଦା କରୁଛୁ । ଏଭଳି ଚରିତ୍ର ଓଡ଼ିଆ ଜାତିର ଗର୍ବ ନୁହେଁ, ବରଂ କଳଙ୍କ ବୋଲି ସେ କହିଛନ୍ତି ।
ବୈଷ୍ଣବ ଓଡିଆ ଜାତି ର ବିଷ। ଶିକ୍ଷାବିତ ହୋଇ ଶିକ୍ଷାର ମାନ କ୍ଷୁର୍ଣ୍ଣ କରିଛନ୍ତି । ତିରସ୍କାର ପାତ୍ର ।