ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣର ସଙ୍ଗୀନ ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏହି ତିନୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଏହି ତିନୋଟି ଜିଲ୍ଲା ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ । ହେଲଥ୍ ଏମର୍ଜେନ୍ସୀକୁ ଛାଡ଼ିଦେଲେ କୌଣସି ଲୋକ ଘରୁ ବାହାରି ପାରିବେ ନାହିଁ । ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
ଗତ ୪ ଓ ୫ ତାରିଖରେ ଭୁବନେଶ୍ୱର ସଟ୍ ଡାଉନ୍ ରୁ ସୁଫଳ ମିଳିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । କାରଣ ଗତ ୫ ଦିନ ଧରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରୁ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । କେସ୍ ନଂ ୬୧ ରୁ କେସ୍ ନଂ ୮୯ ସମୁଦାୟ ୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ ଏହି ତିନୋଟି ଜିଲ୍ଲାର । ସବୁଠାରୁ ବଡ଼କଥା ହେଲା, ଏମାନଙ୍କ ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି । କିଏ ସିଧାସଳଖ କୋଲକତାରୁ ଆସି ସଂକ୍ରମିତ ହୋଇଛନ୍ତି ତ ଆଉ କେହି ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସୁତରାଂ ପଶ୍ଚିମବଙ୍ଗ ଫେରନ୍ତାମାନେ ଏବେ କରୋନା ସଂକ୍ରମଣର କାରଣ ହୋଇଛନ୍ତି । ଲକ୍ ଡାଉନ୍ ନିୟମ ଭାଙ୍ଗି ହଜାର ହଜାର ସଂଖ୍ୟାରେ ଲୁଚିଛପି ଆସିଥିବାରୁ ସମସ୍ତଙ୍କୁ ଠାବ କରାଯାଇପାରୁନାହିଁ ।
ସମସ୍ତଙ୍କୁ ଠାବ କରି କ୍ୱାରେଣ୍ଟାଇନ୍ କରିବା ଏବଂ ସାମ୍ପଲ୍ ଟେଷ୍ଟ କରିବାର ନିହାତି ଆବଶ୍ୟକତା ଦେଖାଦେଇଥିବାରୁ ସରକାର ସଟ୍ ଡାଉନ୍ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି । ନଚେତ୍ ଅବସ୍ଥା ଆହୁରି ସଙ୍ଗୀନ ହେବାର ଆଶଙ୍କା ରହିଛି । ଜନସାଧାରଣ ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅପିଲ୍ କରିଛନ୍ତି ।
ପୁଲିସ ଡିଜି ଶ୍ରୀ ଅଭୟ ମଧ୍ୟ ଏ ଦିଗରେ ଜନସାଧାରଣଙ୍କ ସହଯୋଗ ଚାହିଁଛନ୍ତି । ସଟ୍ ଡାଉନ୍ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାର ଚେତାବନୀ ଦେଇଛନ୍ତି ।