ଭୁବନେଶ୍ୱର: ଗତ ୧୪ ତାରିଖରେ ବିଜୁ ଯୁବ ଜନତା ଦଳର ପୁର୍ନଗଠନ ହୋଇଥିଲା । ସେଥିରେ ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇଥିଲେ ଅମରେଶ ପତ୍ରୀ । ସଂଜୀତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା ବେଳେ ଶଶିର ପରିଜାଙ୍କୁ ମହାସଚିବ ନିଯୁକ୍ତ କରାଯାଇଥିଲା । ୪ ବିଧାୟକ ସର୍ବଶ୍ରୀ ବ୍ୟୋମକେଶ(ବାପି) ରାୟ, ପ୍ରଣବ ବଳବନ୍ତରାୟ, ଅନୁଭବ ପଟ୍ଟନାୟକ ଏବଂ ମାନସ ମାଡ଼କାମୀଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ଦଳ ସଭାପତିଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଘୋଷଣାନାମା ଜାରି କରିଥିଲେ ବିଜେଡ଼ି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ।
ତେବେ ୧୫ ଦିନ ପରେ ମେ ୧ ତାରିଖରେ ପୁଣି ସେହି ସୂର୍ଯ୍ୟ ପାତ୍ରଙ୍କ ଦସ୍ତଖତରେ ବିଜୁ ଯୁବ ଜନତା ଦଳର ପୁର୍ନଗଠନ ସଂକ୍ରାନ୍ତୀୟ ଆଉ ଏକ ଘୋଷଣାନାମା ପ୍ରକାଶ ପାଇଛି । ତାହା ପୁଣି ସଭାପତିଙ୍କ ଅନୁମୋଦନକ୍ରମେ । ଆଶ୍ଚର୍ଯ୍ୟର କଥା, ୧୫ ଦିନ ତଳର ଏହି ଛାମୁଆ ସଂଗଠନ ପୁର୍ନଗଠନକୁ ବାତିଲ କରାଯାଇଥିବା ନେଇ ସେଥିରେ ସୂଚନା ନାହିଁ । ଏ ସମ୍ପର୍କରେ ପଚାରିଲେ ସୂର୍ଯ୍ୟ ପାତ୍ର ବି ଝୁୁଣ୍ଟୋଇଛନ୍ତି । ତାଙ୍କ ପାଟିରୁ ନିର୍ଦ୍ଦିଷ୍ଟ ଉତ୍ତର ମିଳିନାହିଁ । ଓଲଟି କଥା ବାଆଁରେଇଛନ୍ତି । ସାନି ପୁର୍ନଗଠନ ତାଲିକାରେ ପୂର୍ବଘୋଷିତ ସଭାପତି ଅମରେଶ ପତ୍ରୀଙ୍କୁ ଭୁବନେଶ୍ୱର ଜୋନ୍ ସଭାପତି ଘୋଷଣା କରାଯାଇଛି । ତାଙ୍କୁ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ସାଂଗଠନିକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିଭଳି କାର୍ଯ୍ୟକାରୀ ସଭାପତି ସଂଜୀତ ମହାନ୍ତିଙ୍କୁ ସମ୍ବଲପୁର ଏବଂ ମହାସଚିବ ଶିଶିର ପରିଜାଙ୍କୁ କଟକ ଜୋନ୍ ସଭାପତି ଘୋଷଣା କରାଯାଇଛି ।
ସାନି ତାଲିକାରେ ସ୍ଥାନ ପାଇଥିବା ୪ ଉପଦେଷ୍ଟା ହେଉଛନ୍ତି ରଂଜିତ ମହାପାତ୍ର, ସଞ୍ଜୟ ବାବୁ, ଅମରେଶ(ବାଇଁଆ) ଜେନା ଏବଂ କୁନବିହାରୀ ଦାସ । ଯୁବ ସାଂଗଠନିକ ଦକ୍ଷତା ଥିବା ଏହି ଅଭିଜ୍ଞ ନେତାଙ୍କୁ ଉପଦେଷ୍ଟା କରାଯିବା ଠିକ୍ ନିଷ୍ପତ୍ତି କୁହାଯାଉଥିଲେ ମଧ୍ୟ ୪ ବିଧାୟକଙ୍କୁ ତାହା କ୍ଷୁବ୍ଧ କରିଛି । ସେମାନଙ୍କୁ ଚିତା କଟାଯାଇଛି ବୋଲି ସେମାନଙ୍କ ଗୋଷ୍ଠୀ ରାଗ ତମ ତମ ହୋଇଛନ୍ତି । ଏ ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ପ୍ରିଣ୍ଟିଂ ମିଷ୍ଟେକ୍ କହି ନିଜ ଲଜ୍ଜା ଲୁଚାଇବାକୁ ଉଦ୍ୟମ କରିଛନ୍ତି । ସତ କଥାଟି ହେଉଛି, ସେମାନଙ୍କ ପଦ ଅଛି କି ନାହିଁ ବିଧାୟକମାନେ ଜାଣିନାହାନ୍ତି ।
ମୋଟୋମୋଟି ଭାବେ ପରିବର୍ତ୍ତିତ ପୁର୍ନଗଠନ ତାଲିକା ଯୁବ ଗୋଷ୍ଠୀ ବିବାଦକୁ ଆହୁରି ଦ୍ୱନ୍ଦ ଓ ରୋଚକ ମୋଡ଼ ଦେଇଛି । ୧୫ ଦିନରେ ଏଭଳି ବଦଳି ତାଲିକାକୁ ପୂର୍ବଘୋଷିତ ନେତାମାନେ ଗ୍ରହଣ କରିନାହାନ୍ତି । ସଭାପତି ଘୋଷିତ ଅମରେଶ ପତ୍ରୀ ଓ ତାଙ୍କ ଗୋଷ୍ଠୀ କ୍ଷୁବଧ ହୋଇ ବିଦ୍ରୋହ ଧମକ ଦେଇଥିବା ସୂଚନା ମିଳିଛି । ତାଙ୍କ ସାଙ୍ଗରେ ସଂଜୀତ ମହାନ୍ତି ଓ ଶିଶିର ପରିଜା ବି ରାଗରେ ଲାଲ ପଡ଼ିଯାଇଛନ୍ତି । ରାଜ୍ୟ କାର୍ଯ୍ୟକର୍ତ୍ତା ପଦରୁ ଜୋନ୍ ସଭାପତିର ଅବନ୍ନତିକୁ ସେମାନେ ଗ୍ରହଣ କରିନାହାନ୍ତି । ଉଲ୍ଲେଖଯୋଗ୍ୟ, ୩୨ଟି ସାଂଗଠନିକ ଜିଲ୍ଲାକୁ ୬ ଟି ଜୋନ୍ ରେ ବିଭକ୍ତ କରାଯାଇ ୬ ଜଣ ଜୋନ୍ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ପରିବର୍ତ୍ତିତ ତାଲିକାରେ ୯ ଜଣ ରାଜ୍ୟ ଉପସଭାପତି, ୨୪ ଜଣ ସାଧାରଣ ସମ୍ପାଦକ, ୧୬ ସମ୍ପାଦକ ଓ ୭ ଜଣଙ୍କୁ ସାଂଗଠନିକ ପଦବୀରେ ନିଯୁକ୍ତି କରାଯାଇଛି । ଏଥିସହ ୨୭ ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି ।
ତାଲିକାରେ କାର୍ଯ୍ୟକର୍ତ୍ତାଙ୍କ ବୟସ ମଧ୍ୟ ଅନ୍ୟ ଏକ ଅସନ୍ତୋଷର କାରଣ ହୋଇଛି । ନୂଆ ତାଲିକାରେ ସ୍ଥାନ ପାଇଥିବା ଅଧିକାଂଶ ଯୁବନେତାଙ୍କ ବୟସ ୨୫ ରୁ ୩୦ ବୟସ ଭିତରେ । ଅପରପକ୍ଷରେ ପୁର୍ନଗଠିତ ଛାତ୍ର ସଂଗଠନରେ ଅଧିକାଂଶ ନେତାଙ୍କ ବୟସ ୩୦ ରୁ ଅଧିକ ରହିଥିବାରୁ ସମୀକରଣରେ ଗୋଳମାଳିଆ ଧରିଛି । ଅର୍ଥାତ୍ ଯୁବ ସଂଗଠନରେ କମ୍ ବୟସର ନେତା ସ୍ଥାନ ପାଇଥିବା ବେଳେ ଛାତ୍ର ସଂଗଠନରେ ଅଧିକ ବୟସର ନେତା ହୋଇଛନ୍ତି କର୍ମକର୍ତ୍ତା । ଚିନ୍ମୟ ସାହୁ ଛାତ୍ର ସଂଗଠନର ଉପଦେଷ୍ଟା ଥିବା ବେଳେ ତାଙ୍କ ଶିଷ୍ୟ ତନ୍ମୟ ସ୍ୱାଇଁ ଯୁବ ସଂଗଠନରେ ସାଧାରଣ ସମ୍ପାଦକ ରହିବା ତାହାର ଗୋଟିଏ ଉଦାହରଣ ।
ଯୁବ ସଂଗଠନର ସାନି ପୁର୍ନଗଠନ ତାଲିକାରେ ବିଜେଡ଼ି ବସ୍ ମାନଙ୍କ ଭିତରେ ସନ୍ତୁଳନ ରଖିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଅମରେଶ ପତ୍ରୀ ଓ ତାଙ୍କ ଗୋଷ୍ଠୀର ବିଦ୍ରୋହ ଧମକର ସୂଚନା ନେତାଙ୍କ ପାଇଁ ମୁଣ୍ଡବ୍ୟଥା ବଢ଼ାଇଛି । ପରିସ୍ଥିତି ଆଗକୁ ଭଲ କି ଖରାପ ହେବ ତାହା ଏବେଠୁଁ କହିବା ମୁସ୍କିଲ । ତେବେ ଉପରମହଲର ଅସ୍ପଷ୍ଟ ନିଷ୍ପତ୍ତି ଯୁବ ସଂଗଠନରେ ବିଷ ମଂଜି ଛାଡ଼ିଛି । ୧୫ ଦିନରେ ଦୁଇ ଦୁଇଟି ପୁର୍ନଗଠନ ତାଲିକାରୁ ଅନ୍ତତଃ ଦ୍ୱନ୍ଦ ବୁଝାପଡ଼ିଯାଉଛି ।