ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଟାକ୍ସଫୋର୍ସ ଓଏସଡ଼ି ସୁକାନ୍ତ କୁମାର ପ୍ରଧାନଙ୍କର ବଦଳି ହୋଇଛି । ବିଡ଼ିଏକୁ ଆସିବାର ବର୍ଷେ ନ ପୂରୁଣୁ ସରକାର ତାଙ୍କୁ ବଦଳି କରିଛନ୍ତି । ମଙ୍ଗଳବାର ଦିନ ତାଙ୍କୁ ମିଶାଇ ୫୦ ଓଏଏସ୍ ଅଫିସରଙ୍କର ବଦଳି ତାଲିକା ବାହାରିଛି । ତେବେ ଅନ୍ୟମାନଙ୍କ ଭଳି ସୁକାନ୍ତଙ୍କ ବଦଳି ଯେ ସ୍ୱାଭାବିକ ତାହା ଜମାରୁ ନୁହେଁ । କାରଣ ବିଡିଏରେ ବେଶ୍ ନିଷ୍ଠାର ସହ କାମ କରୁଥିଲେ ସୁକାନ୍ତ । ଆଉ ଏହି ନିଷ୍ଠାପରତା ତାଙ୍କ ପାଇଁ କାଳ ହୋଇଛି । ହାକିମଙ୍କ ଦେହରେ ହାତ ମାରିଥିବାରୁ ବିଡ଼ିଏରୁ ଚାକିରି ହରାଇଛନ୍ତି ସେ । ସେଇ ବିଡିଏରେ ୧୫ ଜଣ ଓଏଏସ୍ ଅଫିସର ୫ ବର୍ଷରୁ ଅଧିକ ସମୟ ଧରି ଚେୟାର ମାଡ଼ି ବସିଥିବା ବେଳେ ବର୍ଷେ କାର୍ଯ୍ୟକାଳ ନ ପୂରୁଣୁ ସୁକାନ୍ତ ବଳି ପଡ଼ିଛନ୍ତି ।
ବିଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଳରେ ହାତ ମାରିଥିଲେ ସୁକାନ୍ତ । ନିକଟରେ ସେ ରାଜ୍ୟର ୬ ଜଣ ବରିଷ୍ଠ ଆଇଏଏସ୍ ସର୍ବଶ୍ରୀ ସୁରେଶ ମହାପାତ୍ର, ପ୍ରଦୀପ ଜେନା, ବିଶାଲ ଦେବ, ଆର.କେ.ଶର୍ମା, ସତ୍ୟବ୍ରତ ସାହୁ ଏବଂ ପ୍ରଶାନ୍ତ କୁମାର ନାୟକଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍ ଦେଇଥିଲେ । ଅନ୍ୟମାନଙ୍କ ସହ ଏହି ୬ ଜଣ ଆଇଏଏସ୍ ବେଆଇନ ଭାବେ ଇଚ୍ଛାଧୀନ କୋଟାରେ ବିଡ଼ିଏରୁ ପ୍ଲଟ୍ କିମ୍ବା ଘର ନେଇଥିବା ତାରା ଦତ୍ତ ଟାକ୍ସଫୋର୍ସ କମିଟି ଚିହ୍ନଟ କରିଛନ୍ତି । ୨୦୧୫ ରେ ଏହି ବଡ଼ ହାକିମମାନଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍ ହୋଇଥିଲେ ମଧ୍ୟ ସେମାନେ ତାହାକୁ ଖାତିର କରିନଥିଲେ । ତେବେ ପୁନର୍ବାର ଗତ ଏପ୍ରିଲ୍ ୧୦ ତାରିଖରେ ତାଙ୍କୁ ସାନି ନୋଟିସ୍ କରିଥିଲେ ବିଡ଼ିଏ ଟାକ୍ସଫୋର୍ସର ଓଏସଡି ସୁକାନ୍ତ କୁମାର ପ୍ରଧାନ । ଆଉ ଏହି ନୋଟିସ୍ ହିଁ ତାଙ୍କ ପାଇଁ ବିପଦ ଆଣିଥିବା ଓଏଏସ୍ ମହଲରେ ଚର୍ଚ୍ଚା ହେଉଛି । ଯାହାର ଫଳ ବିଡିଏରୁ ସେ ତଡ଼ା ଖାଇଛନ୍ତି ।
ସୂଚନାଯୋଗ୍ୟ, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ବହୁ କ୍ଷମତାଶାଳୀ ନେତା, ଅଫିସର ସଂପୃକ୍ତ ଅଛନ୍ତି । ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡରୁ ମନ୍ତ୍ରୀ ଇଚ୍ଛାଧୀନ କୋଟାରେ ସେମାନେ ପ୍ଲଟ୍ କିମ୍ବା ଘର ହାତେଇଛନ୍ତି । କୋଟାରେ ପ୍ଲଟ୍ ପାଇବାର ଯୋଗ୍ୟତା ନ ଥିଲେ ବି ଏକାଧିକ ଜାଗା ହାତେଇ ନେଇଛନ୍ତି । ଏହି ବ୍ୟାପକ ଅନିୟମିତତାର ତଦନ୍ତ ପାଇଁ ରାଜ୍ୟ ସରକାର ତାରା ଦତ୍ତ ଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସଫୋର୍ସ ଗଠନ କରି ତଦନ୍ତ ଦାୟିତ୍ୱ ଦେଇଥିଲେ । ତାରା ଦତ୍ତ କମିଟି ରିପୋର୍ଟ ଦେଲା ପରେ ତାଙ୍କ ସୁପାରିଶକୁ ରାଜ୍ୟ ସରକାର ଅବିଳମ୍ବେ ଗ୍ରହଣ କରିଥିଲେ । ୨୦୧୪ ଡିସେମ୍ବର ୧୯ ତାରିଖରେ କ୍ୟାବିନେଟ୍ ବୈଠକ ବସି ଇଚ୍ଛାଧୀନ କୋଟାରେ ସବୁ ପ୍ଲଟ୍ ଓ ଘର ଆବଣ୍ଟନ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ତାରା ଦତ୍ତ ତାଙ୍କ ରିପୋର୍ଟରେ ୧୭୫୧ ଜଣଙ୍କୁ ଇଚ୍ଛାଧୀନ କୋଟାରେ ଜାଗା ହାତେଇଥିବା ଚିହ୍ନଟ କରିଥିଲେ । ସେଥିରେ ୫୪ ଜଣ(ବିଡ଼ିଏରୁ ୧୮, ସିଡ଼ିଏରୁ ୩୨ ଏବଂ ହାଉସିଂ ବୋର୍ଡରୁ ୪) ଏକରୁ ଅଧିକ ପ୍ଲଟ୍ ଓ ଘର ନେଇଛନ୍ତି ।
ରାଜ୍ୟ ସରକାର ପ୍ଲଟ୍ ବାତିଲ ନିଷ୍ପତ୍ତି ନେବାର ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ବିଡ଼ିଏ,ସିଡ଼ିଏ ଓ ହାଉସିଂ ବୋର୍ଡ ଶୁଣାଣିରେ ସମୟ ଗଡ଼ି ଚାଲିଛି । ମଞ୍ଜି କଥାଟି ହେଉଛି, ବଡ଼ବଡ଼ିଆଙ୍କ ଘର ବାତିଲ୍ ପାଇଁ କାହାର ଜୁ ପାଉନାହିଁ । ଯିଏ ପ୍ରକ୍ରିୟାକୁ ଆଗୋଉଛନ୍ତି ନାମ ନବାଟା ଥୟ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୁକାନ୍ତ କୁମାର ପ୍ରଧାନ ।