ଭୁବନେଶ୍ୱର() ବହୁ ପ୍ରତୀକ୍ଷିତ ମନ୍ତ୍ରୀମଣ୍ଡଳ ଅଦଳବଦଳ ରବିବାର ଦିନ ପୂର୍ବାହ୍ନରେ ହେବ । ଏଥିପାଇଁ ରାଜଭବନ ପ୍ରସ୍ତୁତ ରହିବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଯୋଗାଯୋଗ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆସନ୍ତାକାଲି ସକାଳ ସାଢ଼େ ଆଠଟାରେ ରାଜ୍ୟପାଳ ଏସ.ସି.ଜମିର୍ ଭୁବଶ୍ୱେର ଫେରିବେ । ଆଉ ରବିବାର ଦିନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରି ମୁଖ୍ୟମନ୍ତ୍ରୀ ସଂଧ୍ୟାରେ ଦିଲ୍ଲୀ ଯିବେ । ଆଜି ସଂଧ୍ୟାରୁ ଏହାର ପ୍ରକ୍ରିୟା ଆରମ୍ଭ ବି ହୋଇଯାଇଛି । ଶୁକ୍ରବାର ସଂଧ୍ୟାରେ ବାଚସ୍ପତି ନିରଞ୍ଜନ ପୂଜାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ୭ ଜଣ ମନ୍ତ୍ରୀ ମଧ୍ୟ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ସାରିଥିବା ଅମର୍ଥିତ ସୂତ୍ରରୁ ଜଣାପଡ଼ିଛି । ତେବେ ଏ ନେଇ ରାତି ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।
ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରୁ ଯୁବମନ୍ତ୍ରୀଙ୍କୁ ହଟାଇ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରୁଥିବା ନେଇ କିଛି ଦିନ ଧରି ଚର୍ଚ୍ଚା ଚାଲିଛି । ଏହି ଗୋଷ୍ଠୀରେ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂହଦେଓ ଓ ପ୍ରଦୀପ ପାଣିଗ୍ରାହୀ । ଏମାନଙ୍କ ସହ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ଲାଲବିହାରୀ ହିମିରିକା, ଯୋଗେନ୍ଦ୍ର ବେହେରା, ସୁଦାମ ମାରାଣ୍ଡି ଓ ସ୍ନେହାଙ୍ଗୀନ ଛୁରିଆ ମନ୍ତ୍ରୀମଣ୍ଡଳରୁ ହଟିବେ ବୋଲି ଚର୍ଚ୍ଚା ହେଉଛି । ନାଁକୁ ସଂଗଠନ ଦାୟିତ୍ୱ ହେଲେ ଅସଲରେ ଏହି ମନ୍ତ୍ରୀମାନଙ୍କ କାର୍ଯ୍ୟକଳାପକୁ ନେଇ ନବୀନ କ୍ଷୁବ୍ଧ ଥିବାରୁ ସେମାନଙ୍କୁ ଛାଞ୍ଚିବାକୁ ନବୀନ ଯୋଜନା କରିଥିବା କୁହାଯାଉଛି । ତେବେ ସେ ଯାହା ହେଉ, ଶନିବାର ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ଏବଂ ରବିବାର ଦିନ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବେ ବୋଲି ଏକରକମ ଚୂଡ଼ାନ୍ତ ହୋଇଛି । ଏଥିସହ ମନ୍ତ୍ରୀମାନଙ୍କ ବିଭାଗରେ ସମ୍ପୂର୍ଣ୍ଣ ଅଦଳବଦଳ ହେବ ବୋଲି ଜଣାପଡ଼ିଛି ।







