ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍): ଆଗାମୀ ଦିନରେ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇ ନିର୍ବାଚନ ଲଢ଼ିପାରନ୍ତି । ଏହି ମେଣ୍ଟ ସମ୍ଭାବନା ସମ୍ପର୍କରେ ଉଭୟ ଦଳର ଟୀକା ଟିପ୍ପଣୀ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ରାଜ୍ୟସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଏବଂ କଂଗ୍ରେସ ହାତ ମିଳାଇଥିଲେ । ବିଜେପି ଆଗରେ ହାର୍ ମାନିଥିଲେ ମଧ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଅଛନ୍ତି । ମେଣ୍ଟ ହିଁ ଏକମାତ୍ର ଉତ୍ତର ହୋଇଥିବାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ଗତକାଲି ଏକ ବୟାନ ଏହି ଚର୍ଚା ଆଗକୁ ବଢ଼ାଇଛି । ଆଗାମୀ ଦିନରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ନିର୍ବାଚନୀ ମେଣ୍ଟ ସମ୍ଭାବନାର ଆକଳନ କରି ଉଭୟ ଦଳର ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହାକୁ ଅସ୍ୱୀକାର କରି ନ ଥିଲେ । ସମ୍ଭାବନା ସବୁ କ୍ଷେତ୍ରରେ ରହିଛି, ବିଭିନ୍ନ ବିଷୟରେ ଥାଏ । ପିସିସି ସଭାପତି ଯଦି କହିଛନ୍ତି ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ । ତେବେ ପରିସ୍ଥିତିକୁ ଦେଖି ରାଜ୍ୟ ସ୍ୱାର୍ଥ ଅନୁସାରେ ନବୀନ ବାବୁ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।
ଭକ୍ତ ଓ ଦେବୀଙ୍କର ବୟାନରୁ ଉଭୟ ଦଳର ମେଣ୍ଟ ସମ୍ଭାବନା ବାରିହେଉଛି । ରାଜ୍ୟସଭା ନିର୍ବାଚନରେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ୍ ପ୍ରାର୍ଥୀ କରି ବିଜେପି ଓ କଂଗ୍ରେସର ସମର୍ଥନ ଲୋଡ଼ିଥିଲେ । କଂଗ୍ରେସ ତାହାକୁ ଅବିଳମ୍ବେ ଗ୍ରହଣ କରିଥିଲା ବେଳେ ବିଜେପି ଦିଲ୍ଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା କରାଇଥିଲା । ପ୍ରଥମ ଥର ପାଇଁ ବିଜେଡି ଓ କଂଗ୍ରେସ ଏକାଠି ହୋଇ ଜୋରଦାର ଲଢ଼େଇ କରିଥିଲେ । ସେତେବେଳେ କଂଗ୍ରେସ ସହ ନିର୍ବାଚନୀ ମେଣ୍ଟ ସମ୍ଭାବନା ନେଇ ସାମ୍ବାଦିକମାନେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ । ନବୀନ ଗୋଟିଏ ବାକ୍ୟରେ ଏହାର ଉତ୍ତର ଦେଇଥିଲେ । ଭବିଷ୍ୟତ କହିବ ଇତିହାସର କଥା ବୋଲି ସେ କହିଥିଲେ । ସୁତରାଂ ମେଣ୍ଟ ସମ୍ଭାବନାକୁ ନବୀନ ସେତେବେଳେ ଅସ୍ୱୀକାର କରି ନ ଥିଲେ ।
ପରବର୍ତ୍ତୀ ବିଭିନ୍ନ ଘଟଣାବଳୀରେ ବିଜେଡି ଏବଂ କଂଗ୍ରେସ ନିକଟତର ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା, ଚାଷୀ ସମସ୍ୟାଠାରୁ ଆରମ୍ଭ କରି ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଉଭୟ ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଏକାଠି ହୋଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଭିତରେ ଓ ବାହାରେ ଆନେ୍ଦାଳନ ହୋଇଥିଲା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଆମେରିକା ଏଜେଣ୍ଟ କହିଥିବା ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ କଂଗ୍ରେସ କଠୋର ସମାଲୋଚନା କରି ବିଜେଡି ସାଥୀରେ ଛିଡ଼ା ହୋଇଥିଲା । ତେଣୁ ଉଭୟ ଦଳ ମଧ୍ୟରେ କିଛି ନୂଆ ସମୀକରଣ ଘଟିବାକୁ ଯାଉଛି ବୋଲି ବିଶ୍ୱାସ ଦୃଢ଼ ହେବା ସ୍ୱାଭାବିକ ।
ମେଣ୍ଟକୁ ନେଇ ଭକ୍ତ ଦାସଙ୍କ ବୟାନ ଏବଂ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ଏଭଳି ସମୟରେ ଆସିଛି ଯେତେବେଳେ ନବୀନ ପଟ୍ଟନାୟକ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି । ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ଥିବାରୁ ସେ ଦେଖିବାକୁ ଯାଇଛନ୍ତି । ତେବେ ନବୀନଙ୍କର ଏହି ଗସ୍ତକାଳରେ କିଛି ରାଜନୈତିକ ଚର୍ଚ୍ଚା ଆଲୋଚନା ଯେ ହେଉ ନ ଥିବ ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ହୋଇପାରେ, ଦିଲ୍ଲୀରୁ କିଛି ସଙ୍କେତ ପାଇଥିବା ଭକ୍ତ ଦାସ ଉତ୍ସାହବଶତଃ ମିଡିଆକୁ କିଛି କହିଦେଇଛନ୍ତି । ସମାନ ଭାବେ, ଦେବୀ ମିଶ୍ରଙ୍କ ପାଖରେ ବି କିଛି ସୂଚନା ଥାଇପାରେ ।
ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ବିଜେଡି ଓ କଂଗ୍ରେସ ମେଣ୍ଟର ଆବଶ୍ୟକତା ଥିବା ବେଶ୍ ଆଲୋଚନା ହେଉଥିଲେ ମଧ୍ୟ ଏହାର ବାସ୍ତବତାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସନ୍ଦିହାନ ଅଛନ୍ତି । ରାଜ୍ୟସଭା ନିର୍ବାଚନରେ ସାମୟିକ ଭାବେ ବିଜେପି ଓ ବିଜେଡି ମଧ୍ୟରେ ଭୁଲ୍ ବୁଝାମଣା ହୋଇଛି ସତ ହେଲେ ଏହା ଦୀର୍ଘସ୍ଥାୟୀ ନୁହେଁ ବୋଲି ସେମାନେ ମନେ କରୁଛନ୍ତି । କାରଣ, ଚର୍ଚ୍ଚା ଆରମ୍ଭରୁ ହିଁ ସଂତୃପ୍ତ ମିଶ୍ର ତାଙ୍କ ପ୍ରତିକ୍ରିୟାରେ ଏହା ଜଣାଇ ସାରିଛନ୍ତି । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ସହ ବୁଝାମଣା ସାମୟିକ ବୋଲି ସେ କହିଥିଲେ ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ନବୀନ ପଟ୍ଟନାୟକଙ୍କର ସମ୍ପର୍କରେ ସେଭଳି ତିକ୍ତତା ନାହିଁ । କିଛି ବାଧ୍ୟବାଧକତା କାରଣରୁ କଂଗ୍ରେସ ହାତ ଧରି ବିଜେପି ନେତୃତ୍ୱଙ୍କୁ ସେ ଅସନ୍ତୁଷ୍ଟ କରିବାକୁ ଚାହିଁ ନ ପାରନ୍ତି । ଅନ୍ୟପକ୍ଷରେ ବିଜେଡି ପାଖରେ ସରକାର କି ସଂଖ୍ୟା ନ ଥିଲେ ମଧ୍ୟ ନବୀନ ଫ୍ୟାକ୍ଟର ବିଜେପି ପାଇଁ ଗୁରୁତ୍ୱ ବହନ କରୁଛି । ତେଣୁ ନବୀନଙ୍କ ହାତ ଛାଡ଼ିବାକୁ ବି ନେତୃତ୍ୱ ଚାହିଁ ନ ପାରନ୍ତି । ତେବେ ରାଜନୀତିରେ କିଛି ଅସମ୍ଭବ ହୋଇ ନ ଥିବାରୁ ଏବେଠାରୁ ସିଦ୍ଧାନ୍ତରେ ଉପନୀତ ହୋଇପାରିବ ନାହିଁ । ବିଜେଡି ସହିତ ମେଣ୍ଟ କରିବାକୁ କଂଗ୍ରେସ ଆଗ୍ରହୀ ଥିବାରୁ ନବୀନ ବାବୁଙ୍କ ନିଷ୍ପତ୍ତିକୁ ସମସ୍ତଙ୍କର ଅପେକ୍ଷା ରହିଛି ।