ଭୁବନେଶ୍ୱର: ବିଜେପି ସହ କୃଷ୍ଣ ଶଗରିଆଙ୍କ କୁଆଡ଼େ ମୂଲଚାଲ ସରିଯାଇଛି । ଖୁବ ଶୀଘ୍ର କଂଗ୍ରେସ ଛାଡ଼ି ସମ୍ଭବତଃ ସେୟାଡ଼େ ଯୋଗଦେବେ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି । ବିଧାୟକ ପଦରୁ ଆଜି ସେ ଇସ୍ତଫା ଘୋଷଣା କରିଛନ୍ତି । ଦଳ ଛାଡ଼ି ନ ଥିଲେ ମଧ୍ୟ ଦଳ ଛାଡ଼ିବାର ସଙ୍କେତ ଦେଇଛନ୍ତି । କଂଗ୍ରେସରେ ଦଳିତ,ଆଦିବାସୀଙ୍କୁ ଉପେକ୍ଷା କରାଯାଉଥିବା ତାଙ୍କର ହୃଦବୋଧ ହେଉଛି । ତେଣୁ ଆବଶ୍ୟକ ପଡ଼ିଲେ ସେ ଦଳ ଛାଡ଼ିବେ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି । ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଛାଡ଼ିବାକୁ ଶଗରିଆ ମନସ୍ଥ କରିସାରିଛନ୍ତି । ଖୁବ୍ ଶୀଘ୍ର ତାଙ୍କର ନିଷ୍ପତ୍ତି ଘୋଷଣା କରିବେ ।
୨୦୧୪ ମସିହାରେ ପ୍ରଥମ ଥର ପାଇଁ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଟିକେଟରେ କୋରାପୁଟ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ବିଧାୟକ ହେବା ପରେ ଦଳୀୟ ନେତୃତ୍ୱ ସହ ତାଙ୍କର ଭଲ ପଡ଼ି ନ ଥିଲା । ପ୍ରସାଦ ହରିଚନ୍ଦନଙ୍କୁ ସେ ବିରୋଧ କରିଥିଲେ । ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ତାଙ୍କ ସହ ମଧ୍ୟ ପଡ଼ିଲାନି । ଜିଲ୍ଲାର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ତାଙ୍କର କଳିକଜ୍ଜା ଚରମ ସୀମାକୁ ଗଲା । ନିକଟରେ ତାଙ୍କୁ ପିସିସି ଦଳିତ ସେଲ୍ ଅଧ୍ୟକ୍ଷ ପଦରୁ ହଟାଯାଇ ସାଧାରଣ ସମ୍ପାଦକ ପଦବୀ ଦିଆଯାଇଥିଲା । ମାତ୍ର ସେ ଅପମାନବୋଧ କରି ପଦବୀଟିକୁ ଗ୍ରହଣ କରି ନ ଥିଲେ । ଦଳ ଛାଡ଼ିବେ ଛାଡ଼ିବେ ବୋଲି ବହୁ ଆଗରୁ ଚର୍ଚ୍ଚାରେ ଅଛନ୍ତି ।
କଂଗ୍ରେସ ମହଲର ଚର୍ଚ୍ଚା ଅନୁଯାୟୀ, ଶଗରିଆ ନାଁକୁ କଂଗ୍ରେସରେ ରହିଥିଲେ ମଧ୍ୟ ମନ ତାଙ୍କର ଅନ୍ୟ ଦଳକୁ ପଳେଇଛି । ଜିଲ୍ଲା ରାଜନୀତିରେ ଅନ୍ୟମାନଙ୍କୁ ପଛରେ ପକାଇ ନିଜ ପତିଆରା ବଢ଼ାଇବା ଉଦ୍ୟମରେ ବିଫଳ ହେବା ପରେ ସେ ଏଭଳି ଅନ୍ୟମନସ୍କ ହୋଇଛନ୍ତି । ଶଗରିଆ ଓ ବାହିନୀପତିଙ୍କ ମଧ୍ୟରେ ବିବାଦର ମୂଳମଂଜି କୁଆଡ଼େ ଠିକାଦାରି ବେପାର । ବେପାର ଓ ରାଜନୀତି ଉଭୟରେ ଶଗରିଆ ଏକଚାଟିଆ ହେବାକୁ ମନ । ଯାହାକି ବାହିନୀପତିଙ୍କୁ ସହ୍ୟ ହେଉନି । ସେମିତି ଦଳ ଭିତରେ ତାଙ୍କର ସବୁବେଳେ ଭିନ୍ନ ଗୋଠ । ପ୍ରସାଦ ହରିଚନ୍ଦନଙ୍କୁ ନିଜର କଲେନି । ଏବେ ନିରଞ୍ଜନ ପଟ୍ଟନାୟକଙ୍କୁ ବି ନିଜର କରିପାରିନାହାନ୍ତି । ସୁତରାଂ କଂଗ୍ରେସରେ ନିଜର ଭବିଷ୍ୟତ ତାଙ୍କୁ ସୁରକ୍ଷିତ ଲାଗୁନି ।
ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, କୁନ୍ଦୁଲି ଘଟଣା ପରଠାରୁ ଶଗରିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କରେ ଅଛନ୍ତି । ବିଜେଡ଼ି ସହ ଯୋଗସୂତ୍ର ବି ରଖିଛନ୍ତି । ବିଜେଡ଼ି ଟିକେଟରେ ଲଢ଼ିବାକୁ ସେ ପ୍ରାଧାନ୍ୟ ଦେଇଥିଲେ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ମିଳୁନି । ସେପଟେ ବିଜେପିଠାରୁ କୋରାପୁଟ ଟିକେଟ୍ ପ୍ରତିଶ୍ରୁତି ପକ୍କା ହୋଇଛି । ସାଙ୍ଗକୁ ତାଙ୍କ ବ୍ୟକ୍ତିଗତ କାରବାରର ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀଠାରୁ ପ୍ରତିଶ୍ରୁତି ବି ପାଇଛନ୍ତି । ସୁତରାଂ ତାଙ୍କର ବିଜେପିରେ ଯୋଗଦେବା ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି ବୋଲି ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଏହି ନେତା କହିଛନ୍ତି । ଯଦି କୌଣସି କାରଣରୁ ତାହା ନହୁଏ, ତେବେ ବିଜେପି ସମର୍ଥନରେ ଶଗରିଆ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି ।
ତେବେ ଅନ୍ୟ ଦଳରେ ଯୋଗଦେବାର ସମ୍ଭାବନାକୁ ଶଗରିଆ ଆଜି ଅସ୍ୱୀକାର କରିଛନ୍ତି । ତାଙ୍କ ବିରୋଧରେ ହେଉଥିବା ପ୍ରଚାରକୁ ମଧ୍ୟ ଖଣ୍ଡନ କରିଛନ୍ତି । ତେବେ ସେ ଯାହା ହେଉ, ପ୍ରଥମ ପର୍ଯ୍ୟାୟରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଉ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ପ୍ରସଙ୍ଗକୁ ବାହାନା କରିଛନ୍ତି । କୁନ୍ଦୁଲି ଘଟଣାର ବର୍ଷେ ପରେ ନିଜ ବିବେକର ଦ୍ୱାହି ଦେଇଛନ୍ତି । ଦଳିତ ଓ ଅନୁସୂଚିତ ବର୍ଗ ପ୍ରତି କଂଗ୍ରେସ ଦଳର ଅବହେଳାକୁ ସେ ପରୋକ୍ଷରେ ଇଙ୍ଗିତ କରିଥିବାରୁ ଆଗକୁ କଂଗ୍ରେସ ଦଳ ଉପରେ ଦୋଷ ଲଦି ପୂରା ଖସିଯିବାର ବାଟ ରଖିଛନ୍ତି ବୋଲି କୁହାଯାଉଛି ।
He will not go to bjp. He is an Ambedkirite .