ଭୁବନେଶ୍ୱର: କଂଗ୍ରେସର ବହୁ ଚର୍ଚ୍ଚିତ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କୋରାପୁଟର ଏହି ବିଧାୟକ ଆଜି ଏକ ପ୍ରେସ୍ ମିଟ୍ କରି ବିଧାୟକ ପଦରୁ ନିଜର ଇସ୍ତଫା ସଂକ୍ରାନ୍ତରେ ଘୋଷଣା କରିଛନ୍ତି । ବାଚସ୍ପତିଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ଦେବାକୁ ଯାଇଛନ୍ତି ।
କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାକୁ ନେଇ ସେ ଇସ୍ତଫା ଦେଉଥିବା ପ୍ରେସ୍ ମିଟ୍ ରେ ଘୋଷଣା କରିଛନ୍ତି ଶଗରିଆ । ସେ କହିଛନ୍ତି, ଏକ ସାମ୍ବିଧାନିକ ପଦରେ ଥାଇ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସେ ଅସମର୍ଥ ହୋଇଛନ୍ତି । ତାଙ୍କ ବିବେକ ଡାକରାରେ ସେ ଇସ୍ତଫା ଦେଉଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ହେଲା ଶଗରିଆ ତାଙ୍କ ଦଳ ଭିତରେ ଚର୍ଚ୍ଚାରେ ଅଛନ୍ତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହ ତାଙ୍କର ଖୋଲା ଯୁଦ୍ଧରୁ ବିବାଦ ତାଙ୍କ ପିଛା ଧରିଥିଲା । ବାହିନୀପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ସେ ଦଳ ଛାଡ଼ିବେ ବୋଲି ମଧ୍ୟ ଧମକ ଦେଇଥିଲେ । ତେବେ ପିସିସି ନେତୃତ୍ୱ ଏହି ମାମଲାରେ ଏକ ତାଳିପକା ସମାଧାନ କରିଥିଲେ ମଧ୍ୟ ପିସିସି ଦଳିତ ସାମ୍ମୁଖ୍ୟ ଅଧ୍ୟକ୍ଷ୍ୟ ପଦରୁ ତାଙ୍କୁ ଅଚାନକ ହଟାଇ ଦିଆଯାଇଥିଲା । କୁନ୍ଦୁଲି ଘଟଣାର ବର୍ଷକ ପରେ ଏବେ ବିଧାୟକ ପଦରୁ ତାଙ୍କର ଇସ୍ତଫା ଚର୍ଚ୍ଚାର ବିଷୟ ହୋଇଛି ।