ନୂଆଦିଲ୍ଲୀ: ଶେଷରେ ଦଳୀୟ ଔପଚାରିକତା ପୂରଣ କଲେ । ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପିରେ ତାଙ୍କର ଯୋଗଦାନ ଗତକାଲିଠାରୁ ସ୍ପଷ୍ଟ ହୋଇଥିଲା । ମାତ୍ର ସମୟ ସ୍ଥିର ନ ଥିଲା । ଆଜି ଦିନ ୧୨ଟାରେ ସେ ବିଜେପିରେ ଯୋଗ ଦେଉଥିବା ସକାଳୁ ପ୍ରଚାର ହୋଇଥିଲା । ପରେ ଏହା ସାଢ଼େ ୧୨ଟା ବୋଲି ଶୁଣାଗଲା । ଶେଷରେ ଦିନ ଦୁଇଟା ନିଧାର୍ଯ୍ୟ ସମୟ ବୋଲି କୁହାଗଲା । ତେବେ ୨ଟା ୪୫ ମିନିଟ୍ ରେ ଜ୍ୟୋତିରାଦିତ୍ୟ ବିଜେପି ଅଫିସ୍ ରେ ପହଞ୍ଚି ମୁଖିଆ ଜେ.ପି.ନଡ୍ଡାଙ୍କଠାରୁ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ପଦାଧିକାରୀ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ମଧ୍ୟ ଅମିତ୍ ଶାହା ଆସି ନ ଥିଲେ ।
ବିଜେପି ପରିବାରକୁ ଜ୍ୟୋତିରାଦିତ୍ୟଙ୍କୁ ସ୍ୱାଗତ କରିଥିଲେ ଶ୍ରୀ ନଡ୍ଡା । ଏହି ଅବସରରେ ଜନସଂଘ ଓ ବିଜେପିର ଆଦର୍ଶ ଓ ବିଚାରାଧାରା ବଢ଼ାଇବାରେ ତାଙ୍କ ଜେଜେମାଆ ରାଜମାତା ସିନ୍ଧିଆଙ୍କୁ ସ୍ମରଣ କରିଥିଲେ ନଡ୍ଡା । ଜ୍ୟୋତିରାଦିତ୍ୟଙ୍କ ଠାରୁ ଦେଶ ବହୁତ କିଛି ଆଶା ରଖୁଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହା ଓ ନଡ୍ଡା ତାଙ୍କୁ ବିଜେପିକୁ ଆମନ୍ତ୍ରଣ କରିଥିବାରୁ ଜ୍ୟୋତିରାଦିତ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ତାଙ୍କ ଭାଷଣରେ କହିଥିଲେ, ଦୁଇଟି ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇଛି । ୨୦୦୧ ସେପ୍ଟେମ୍ବର ୨୦ରେ ବାପା ମାଧବରାଓ ସିନ୍ଧିଆଙ୍କ ଆକସ୍ମିକ ମୃତ୍ୟୁ ପରେ ରାଜନୀତିକୁ ଆସିଥିଲେ । ୨୦୨୦ ମାର୍ଚ୍ଚ ୧୦ ତାରିଖରେ ବାପାଙ୍କ ୭୫ତମ ଜନ୍ମ ଦିବସରେ ନିଜ ପରିକଳ୍ପନା ସାକାର କରିବାକୁ ନୂଆ ନିର୍ଣ୍ଣୟ ନେଲେ । ରାଜନୀତି ଜନସେବାର ଏକ ମାଧ୍ୟମ ବୋଲି ସେ ବିଶ୍ୱାସ କରନ୍ତି । ୧୮ବର୍ଷ ଧରି ସେ ଯେଉଁ ଦଳରେ କାମ କରୁଥିଲେ ସେହି କଂଗ୍ରେସ ଲୋକଙ୍କ ଆଶା ଓ ବିଶ୍ୱାସକୁ ପୂରଣ କରିବାରେ ବିଫଳ ହୋଇଥିବାରୁ ସେ ଦୁଃଖିତ । ବାସ୍ତବତାକୁ ସ୍ୱୀକାର କରିବାକୁ କଂଗ୍ରେସ ପ୍ରସ୍ତୁତ ନୁହେଁ । ୨୦୧୮ରେ କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିବା ପରେ ରାଜ୍ୟ ପାଇଁ ତାଙ୍କର ଏକ ଭିଜନ୍ ଥିଲା । ମାତ୍ର ସେହି ସ୍ୱପ୍ନ ଧୂଳିସାତ୍ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ଅମିତ୍ ଶାହାଙ୍କ ଦିଗଦର୍ଶନକୁ ଜ୍ୟୋତିରାଦିତ୍ୟ ଭୂରି ଭୂରି ପ୍ରଶଂସା କରି ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ବୋଲି କହିଥିଲେ । ଜନସେବା ଓ ଦେଶର ବିକାଶ ପାଇଁ ସେମାନେ ଦଳରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।