ଭୁବନେଶ୍ୱର: ମଧ୍ୟପ୍ରଦେଶର ଗୁନା ସଂସଦୀୟ କ୍ଷେତ୍ରରୁ ଲୋକେ ଚାରି ଚାରି ଥର ଯେଉଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଲୋକସଭା ପଠାଇଥିଲେ ୨୦୧୯ ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ବିଜେପି ପ୍ରାର୍ଥୀଙ୍କଠାରୁ ସେ ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହେଲେ । ସେତେବେଳକୁ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସି ସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚେହେରା କହୁଥିବା ସିନ୍ଧିଆ ନିଜ ଗଡ଼କୁ ସମ୍ଭାଳି ପାରିଲେନି । ପରେ ରାଜ୍ୟସଭା ଆସନ ଉପରେ ଆଖି ରଖିଲେ । ହେଲେ କଂଗ୍ରେସରୁ ସେହି ସ୍ୱପ୍ନ ପୂରଣ ହୋଇପାରିବନି ଜାଣିଲା ପରେ ବିଜେପି କୋଳ ଉଣ୍ଡିଲେ । ବିଲେଇ କପାଳକୁ ଶିକା ଛିଣ୍ଡିଲା ଭଳି ଏଭଳି ସୁଯୋଗକୁ ଚାହିଁଥିବା ବିଜେପି ତାଙ୍କୁ ଆବୋରି ନେଲା । ବିଜେପିରେ ମିଶିବାର ୩ ଘଣ୍ଟା ନ ପୂରୁଣୁ ମଧ୍ୟପ୍ରଦେଶରୁ ସିନ୍ଧିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ।
ଜ୍ୟୋତିରାଦିତ୍ୟଙ୍କୁ ଖାଲି ରାଜ୍ୟସଭା ଏମପି କରାଯାଇନି । କୁଆଡ଼େ ମନ୍ତ୍ରୀ ପଦର ପ୍ରତିଶ୍ରୁତି ଦିଆଯାଇଛି । ପ୍ରତିବଦଳରେ ବିଜେପି ହାତକୁ ମଧ୍ୟପ୍ରଦେଶ ଦେବାରେ ସହଯୋଗ କରିବେ । ସେଥିପାଇଁ ଜ୍ୟୋତିରାଦିତ୍ୟ ତାଙ୍କ ସହ ୨୩ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ବି କରାଇଛନ୍ତି । ଏବେ କମଲନାଥ ସରକାରଙ୍କ ଭବିଷ୍ୟତ କ’ଣ ହେବ ନ ହେବ ତାହା ଭିନ୍ନ କଥା । ତେବେ ଏହା ସତ୍ୟ ଯେ ଜ୍ୟୋତିରାଦିତ୍ୟଙ୍କ ଯୋଗୁଁ କମଲନାଥ ସରକାର ସମ୍ପୂର୍ଣ୍ଣ ସଙ୍କଟରେ ପଡ଼ିଛି । ପରିସ୍ଥିତି ଏମିତି ହୋଇଛି ଯେ ବିଜେପିର ସମ୍ଭାବ୍ୟ ପୋଚିଂକୁ ଡରି କମଲନାଥ ତାଙ୍କର ୯୧ ବିଧାୟକଙ୍କୁ ଜୟପୁର ନେଇଯାଇଛନ୍ତି । ବିଜେପି ବି ସତର୍କ ରହି ତାର ୧୦୬ ବିଧାୟକଙ୍କୁ ଗୁରୁଗ୍ରାମ ନେଇ ଏକ ହୋଟେଲରେ ରଖିଛି ।
ଜ୍ୟୋତିରାଦିତ୍ୟ ଆଜି ବିଜେପିରେ ମିଶିବା ପରେ କଂଗ୍ରେସକୁ ପ୍ରବଳ ଆଟାକ୍ କରିଛନ୍ତି । କଂଗ୍ରେସର ନୀତି ଆଦର୍ଶ ଉପରେ ପ୍ରଶ୍ନ ଉଠାଇବା ସହ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ତୁତିଗାନ କରିଛନ୍ତି । ମୋଦିଙ୍କ ହାତରେ ଦେଶ ସୁରକ୍ଷିତ କହି ପ୍ରଶଂସା କରିଛନ୍ତି । ରାଜନୀତି ହେଉଛି ଜନସେବାର ମାଧ୍ୟମ ଏବଂ କଂଗ୍ରେସରେ ସେହି ସୁଯୋଗ ନ ମିଳିବାରୁ ବିଜେପିରେ ମିଶିଲେ ବୋଲି ଦୋହରାଇଛନ୍ତି ।
ଜ୍ୟୋତିରାଦିତ୍ୟଙ୍କ ରାଜନୈତିକ ଇତିହାସ ସାରା ଦେଶବାସୀଙ୍କୁ ଅଜଣା ନାହିଁ । କଂଗ୍ରେସରେ କୋଣଠେସା ହେବାରୁ ବିଜେପିକୁ ବିକଳ୍ପ ଭାବେ ବାଛିବାକୁ ବାଧ୍ୟହେଲେ ବୋଲି ଅନେକ ଯୁକ୍ତି କରୁଛନ୍ତି । ଏହି ଯୁକ୍ତି ସହ ରାଜନୀତିରେ ନୀତି, ଆଦର୍ଶର କୌଣସି ମୂଲ୍ୟ ନାହିଁ ଏକଥା ବି ସ୍ୱୀକାର କରୁଛନ୍ତି । କ୍ଷମତା ଯେଉଁଠି ମନ ସେଇଠି । ଜନସେବା ମିଛ । ରାଜନୀତିର ଏହି ପରିବର୍ତ୍ତିତ ସ୍ରୋତରେ ଜ୍ୟୋତିରାଦିତ୍ୟ ନୂଆ ସାମିଲ ହୋଇନାହାନ୍ତି । ଭାରତୀୟ ରାଜନୀତିରେ ସବୁଆଡ଼େ ଏଭଳି ମାଳ ମାଳ ନେତା । କଦାକ୍ୱଚିତ ନେତାଙ୍କୁ ଛାଡ଼ିଦେଲେ ଅଧିକାଂଶ ନେତା କ୍ଷମତା ଓ ଅର୍ଥ ଉପାର୍ଜନ ନିଶାରେ ବିଭୋର । ରାଜନୀତି ସେମାନଙ୍କ ପାଇଁ ବଢ଼ିଆ ବେପାର । ଜନସାଧାରଣ ବି ଏହି ଧାରାରେ ନିଜକୁ ସାମିଲ କରିଦେଲେଣି । ଏଣ୍ଡୁଅ ରଙ୍ଗ ବଦଳାଇବା ଭଳି ନେତାମାନେ ରଙ୍ଗ ବଦଳୋଉଥିଲେ ବି କେହି ସିରିୟସ୍ ନୁହଁନ୍ତି । ମିଡ଼ିଆରେ ଦିନେ ଓଳିଏ ଚର୍ଚ୍ଚା ହେଲା ପରେ ଲୋକ ବି ସବୁକଥା ଭୁଲିଯାଉଛନ୍ତି । ମଣିଷର କ୍ଷୀଣ ସ୍ତୃତିଶକ୍ତି ହିଁ ଗଣତନ୍ତ୍ରରେ ଏହି ବିପଦକୁ ଜନ୍ମ ଦେଇଛି । ସାମୟିକ ଲୋକଲଜ୍ଜାକୁ ଖାତିର କରୁନାହାନ୍ତି ନେତା ।
ଆଜି ମୋଦିଙ୍କ ସ୍ତୁତିଗାନ ଆରମ୍ଭ କରିଥିବା ଜ୍ୟୋତିରାଦିତ୍ୟ ବର୍ଷ ବର୍ଷ ଧରି ତାଙ୍କୁ ନିର୍ଧୂମ ଗାଳି କରୁଥିଲେ । ବିଜେପିର ଲକ୍ଷ୍ୟ ଗଣତନ୍ତ୍ରକୁ ହତ୍ୟା କରିବା । ବିଜେପି ଯେତେବେଳେ ଏକ ନିର୍ବାଚନ ଜିତିବାକୁ ସମର୍ଥ ହୁଏନାହିଁ, ପଛଦ୍ୱାର ବାଟେ କ୍ଷମତା ଦଖଲ କରିବାକୁ ସୁଯୋଗ ଉଣ୍ଡିଥାଏ । ୮ ମାସ ତଳେ କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ି(ଏସ) ସରକାର ଭାଙ୍ଗୁଥିବା ବେଳେ ସିନ୍ଧିଆ ଏହି ମନ୍ତବ୍ୟ ଦେଇଥିଲେ । ଅରୁଣାଚଳ ପ୍ରଦେଶ, ମଣିପୁର, ଗୋଆ ପରେ ଏବେ କର୍ଣ୍ଣାଟକକୁ ବିଜେପି ଟାର୍ଗେଟ୍ କରିଛି ବୋଲି ସେ କହିଥିଲେ । ବିଡ଼ମ୍ବନା, ଆଜି ଏହି ସିନ୍ଧିଆ ବିଜେପିର ହାତବାରିସି ସାଜି ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାକୁ ବସିଛନ୍ତି ।
ନିର୍ବାଚନ ସଭା ହେଉ କି ପାର୍ଲିଆମେଣ୍ଟ । ବିଜେପି ବିରୋଧରେ ଜ୍ୟୋତିରାଦିତ୍ୟ ସବୁବେଳେ କଟୁ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ଦ୍ୱିତୀୟ ପାଳି କ୍ଷମତାକୁ ଆସିବା ପରଠାରୁ ଏହି ସିନ୍ଧିଆ ମୋଦି ସରକାରଙ୍କ ଅର୍ଥନୀତିଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗରେ ଜୋରଦାର ହମଲା କରୁଥିଲେ । ବେଶୀ ଦୂର କଥା ନୁହେଁ, ୧୫ ଦିନ ତଳେ ଦିଲ୍ଲୀ ଦଙ୍ଗା ଉପରେ ସେ ଏକ ଟୁଇଟ୍ କରି ବିଜେପି ଘୃଣା ରାଜନୀତି ପରିହାର କରୁ ବୋଲି ପରାମର୍ଶ ଦେଇଥିଲେ । ଦିଲ୍ଲୀ ପରିସ୍ଥିତି ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ସମାଲୋଚନା କରିଥିଲେ । ତା’ର ୧୫ ଦିନ ପୂର୍ବରୁ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ଘଟଣାର ବର୍ଷେ ପୂର୍ତ୍ତି ଅବସରରେ ସେ ମୋଦି ସରକାରଙ୍କୁ ପ୍ରଶ୍ନଜାଲରେ ଛନ୍ଦିିଥିଲେ । ବିଭିନ୍ନ ସମୟରେ ମୋଦି ସରକାରଙ୍କ ବିରୋଧରେ ସିନ୍ଧିଆଙ୍କ କଟୁ ମନ୍ତବ୍ୟ ଓ ସମାଲୋଚନା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ବିଜେପିର ହାତ ଧରିବା ପରେ ଯେଉଁ ସୋନିଆ କି ରାହୁଲ ଗାନ୍ଧୀଙ୍କୁ ସିନ୍ଧିଆ ସମାଲୋଚନା ଆରମ୍ଭ କରିଛନ୍ତି, ସେହି ସୋନିଆ ଗାନ୍ଧୀଙ୍କୁ ପାର୍ଲିଆମେଣ୍ଟରେ ‘ଶେରନୀ’ ଆଖ୍ୟା ଦେଇ ଗର୍ବରେ ଫାଟି ପଡ଼ିଥିଲେ ସିନ୍ଧିଆ । ଅଗଷ୍ଟ ୱେଷ୍ଟଲ୍ୟାଣ୍ଡ୍ ହେଲିକପଟର୍ ସ୍କାମ୍ ଚର୍ଚ୍ଚା ପରିପ୍ରେକ୍ଷୀରେ ସିନ୍ଧିଆ ପ୍ରଭାବୀ ଯୁକ୍ତି ଉପସ୍ଥାପନ କରି ସୋନିଆଙ୍କ ନାଁ ଶୁଣିଲେ ମୋଦି ଡରିଯାଉଛନ୍ତି ବୋଲି ଗଳା ଫଟାଇ କହିଥିଲେ ।
ଆଜି ସେହି ସିନ୍ଧିଆଙ୍କ ପାଟିରୁ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ବିଜେପିର ସ୍ତୁତିଗାନ୍ ଶୁଣିବା ପରେ ଲୋକଙ୍କୁ କୌତୁହଳ ଲାଗିବା ସ୍ୱାଭାବିକ । ହେଲେ କାଲିକି ଲୋକେ ତାହା ଭୁଲିଯିବେ ଏବଂ କ୍ଷମତା ପାଇ ସିନ୍ଧିଆ ପୁଣି ଉପରକୁ ଉପରକୁ ଯାଉଥିବେ । ଆମ ଓଡ଼ିଶାରେ ଏଭଳି ଚରିତ୍ରଙ୍କ ଅଭାବ ନାହିଁ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ଭଳି ଅନେକ ସୁବିଧାବାଦୀ ଚରିତ୍ରଙ୍କୁ ଓଡ଼ିଶାବାସୀ ଦେଖିଛନ୍ତି । କ୍ଷମତା ଲାଳସାରେ କିଭଳି ନୀତି, ଆଦର୍ଶ ଜଳାଞ୍ଜଳି ଦେଇ ଅନ୍ଧ ହେବାକୁ ପଡ଼େ ସେମାନେ ତାହାର ଜ୍ୱଳନ୍ତ ଉଦାହରଣ ।
ଏଭଳି ଆଦର୍ଶର ନେତାଙ୍କଠାରୁ ଜନସାଧାରଣ କିଭଳି ସେବା ପାଆନ୍ତି କି ପାଉଛନ୍ତି ତାହା କହିବାର ଆବଶ୍ୟକତା ନାହିଁ । ଜନସେବା ନାଁରେ ରାଜନୀତି ଏକ ଡ୍ରାମାବାଜି ଛଡ଼ା କିଛି ନୁହେଁ । ଭାରତୀୟ ଗଣତନ୍ତ୍ରରେ ଏହି ପ୍ରଚଳିତ ଧାରାରେ ସାଧାରଣ ଜନତା ଯେ ଭକୁଆ ତାହା ସମସ୍ତେ ସ୍ୱୀକାର କରିବାକୁ ବାଧ୍ୟ ।