ଭୁବନେଶ୍ୱର: ଶେଷରେ ବିଜେପି ଛାଡ଼ିଲେ ବିଜେପୁର ନେତା ଅଶୋକ ପାଣିଗ୍ରାହୀ । ବିଜେପିରେ ଥାଇ ବି ନ ଥିଲା ଭଳି ଥିଲେ । ଦଳ ତାଙ୍କୁ ପଚାରୁ ନ ଥିଲା କି କୌଣସି ଦାୟିତ୍ୱ ଦେଉ ନ ଥିଲା । ଏଥିରେ ଅତିଷ୍ଠ ହୋଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ସେ ଜଣାଇଛନ୍ତି । ବିଜେପିକୁ ଆସୁଥିବା ନେତାଙ୍କୁ ଦଳ ବ୍ୟବହାର କରି ଫିଙ୍ଗି(ୟୁଜ୍ ଆଣ୍ଡ ଥ୍ରୋ) ଦିଏ ବୋଲି ତାଙ୍କର ଅନୁଭବ ହୋଇଥିବା ଗତକାଲି ଗଣମାଧ୍ୟମକୁ କହି ନିଜର ଅସନ୍ତୋଷ ଜଣାଇଥିଲେ ।
୨୦୦୦ ମସିହାରେ ବିଜେଡ଼ି ଟିକେଟରେ ବିଧାୟକ ହୋଇଥିବା ଅଶୋକ ପାଣିଗ୍ରାହୀ ୨୦୧୮ ପର୍ଯ୍ୟନ୍ତ ବିଜେଡ଼ିର ଜଣେ ଟାଣୁଆ ନେତା ଥିଲେ । ତେବେ ୨୦୧୮ ଉପନିର୍ବାଚନରେ ତାଙ୍କୁ ବିଜେଡ଼ି ଟିକେଟ ମିଳିବନି ବୋଲି ଜାଣିବା ପରେ ବିଜେପି ଟିକେଟ ଲୋଭରେ ଦଳ ଛାଡ଼ି ପଳେଇ ଯାଇଥିଲେ । ଅଶୋକ ହିଁ ବିଜେଡ଼ିକୁ ଭଲ ଫାଇଟ୍ ଦେବେ ଏବଂ ଉପନିର୍ବାଚନ ନିଶ୍ଚିତ ଜିତିବେ ବୋଲି ବିଜେପି ନେତୃତ୍ୱ ଆକଳନ କରି ତାଙ୍କୁ ମନାଇଥିଲେ । ତେବେ ଉପନିର୍ବାଚନରେ ୬୦ ହଜାର ଭୋଟ ପାଇ ସେ ଚିତପଟାଙ୍ଗ ମାରିବା ପରେ ବିଜେପି ତାଙ୍କୁ ଭୁଲିଗଲା । ଗତ ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ଆଉ ଟିକେଟ ଦେଲାନି କି ନିର୍ବାଚନ ପ୍ରଚାରରେ ଲୋଡ଼ିଲାନି । ଏବେ ଉପନିର୍ବାଚନରେ ବି ତାଙ୍କୁ ଅନୁରୂପ ଅବସ୍ଥା ଭୋଗିବାକୁ ପଡ଼ିଲା । ନା ଟିକେଟ ପାଇଲେ ନା ଦଳର କୌଣସି କାର୍ଯ୍ୟକ୍ରମରେ ଲୋଡ଼ା ପଡ଼ିଲେ ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ଏକ ୟୁଜ୍ ଆଣ୍ଡ ଥ୍ରୋ ଦଳ ବୋଲି ତାଙ୍କର ମତ ।
ଅଶୋକ ପୁଣି ବିଜେଡ଼ିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ତାଙ୍କ ନିଜର ସ୍ପଷ୍ଟ ମତ ଜଣାଇ ନ ଥିଲେ ମଧ୍ୟ ବିଜେଡ଼ିକୁ ସେ ଫେରିବା ନିଶ୍ଚିତ ବୋଲି କୁହାଯାଉଛି । ଯେ କୌଣସି ମୁହୁର୍ତ୍ତରେ ବିଜେଡ଼ିକୁ ଫେରି ବିଜେପୁର ଉପନିର୍ବାଚନରେ ସାମିଲ ହେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଆଜି ବିଜେପିରୁ ଇସ୍ତଫା ଦେବା ପରେ ସେ ଆଉ କୌଣସି ଦଳରେ ଯୋଗଦେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି । ତେବେ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସମର୍ଥକଙ୍କ ନିଷ୍ପତ୍ତି ଉପରକୁ ଛାଡ଼ି କେଁ ରଖିଦେଇଛନ୍ତି ।
ଗତ ସପ୍ତାହରେ ସେ ଗଣମାଧ୍ୟମ ଆଗରେ ବିଜେପି ଉପରେ ଅସନ୍ତୋଷ ଝାଡ଼ି ଦିନେ ଦି ଦିନ ଭିତରେ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଥିଲେ ମଧ୍ୟ ଦିନକ ପରେ ୟୁ ଟର୍ଣ୍ଣ ମାରିଥିଲେ । ବିଜେପି ସେ ଛାଡୁନାହାନ୍ତି କି ବିଜେଡ଼ିରେ ଯୋଗ ଦେଉନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ତାଙ୍କ ବିଷୟରେ ଯାହା ସବୁ ଚର୍ଚ୍ଚା ଚାଲିଛି ତାହା ଗୁଜବ ବୋଲି ଦର୍ଶାଇଥିଲେ । ତେବେ ଗତକାଲି ସେ ଗଣମାଧ୍ୟମ ସାମନାରେ ପୁଣି ବିଜେପି ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଥିଲେ । ଦଳ ତାଙ୍କୁ ଅଣଦେଖା କରିଛି ବୋଲି କହିଥିଲେ । ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଜଣାଇଥିଲେ ।
ସୂଚନାଯୋଗ୍ୟ, ବିଜେପି ଏକ ୟୁଜ୍ ଆଣ୍ଡ ଥ୍ରୋ ଦଳ ବୋଲି ଅଶୋକଙ୍କ ପୂର୍ବରୁ ବରିଷ୍ଠ ନେତା ଦାମୋଦର ରାଉତ ବି ଅନୁଭବ କରିଥିଲେ । ବିଜେପୁର ଉପନିର୍ବାଚନ ଷ୍ଟାର କ୍ୟାମ୍ପେନର୍ ତାଲିକାରେ ତାଙ୍କ ନାଁ ନଥିବାରୁ ଗଣମାଧ୍ୟମରେ ସେ ମନର କ୍ଷୋଭ ଜଣାଇଥିଲେ । ସାଧାରଣ ନିର୍ବାଚନପରଠୁ ବିଜେପି ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁନି କି ତାଙ୍କୁ କେହି ପଚାରୁନାହାନ୍ତି । ଏପରିକି ତାଙ୍କୁ ବିଜେପିକୁ ଡାକି ନେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତାଙ୍କ ଫୋନ ଉଠାଉନାହାନ୍ତି ବୋଲି ଦାମବାବୁ ଦୁଃଖ କରିଥିଲେ ।