ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ଫଳାଫଳ ଖାଲି ବିଜେଡ଼ି ସପକ୍ଷରେ ଯାଇନି ବରଂ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପିର ଚେତା ବୁଡ଼ାଇ ଦେଇଛି । ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ଏଠାରେ ବୃହତ୍ତ ବିଜୟ ହାସଲ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନ ୫୭ ହଜାର ଥିଲା ବେଳେ ରୀତାଙ୍କ ବିଜୟ ବ୍ୟବଧାନ ୯୮ ହଜାର ହୋଇଛି । ଗତ ସାଧାରଣ ନିର୍ବାଚନରେ ୫୩ ହଜାର ଭୋଟ ପାଇଥିବା ବିଜେପିକୁ ଉପନିର୍ବାଚନରେ ପାଖାପାଖି ୩୮ ହଜାର ଭୋଟ ମିଳିଛି । ବିଜେପିର ଏଭଳି ଚିତପଟାଙ୍ଗ ଲୋକଙ୍କୁ ହସାଇବାକୁ ବାଧ୍ୟ କରିଛି । ଦଳର ବାହାସ୍ଫୋଟ ଆଗରେ ଜନସମର୍ଥନ ତାଳ ଦେଇନି । ଓଲଟି ବିଜେପିର ପରାଜୟ ବ୍ୟବଧାନ ବହୁମାତ୍ରାରେ ବଢ଼େଇ ଦେଇଛି ।
ବିଜେପୁରରେ ଏକପାଖିଆ ନିର୍ବାଚନ ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା । ସାଧାରଣ ନିର୍ବାଚନ ପରେ ବିଜେଡ଼ି ଓ ବିଜେପି ମଧ୍ୟରେ ଭାବ ବଢ଼ିଥିବାରୁ ଦୁଇ ଦଳ ମଧ୍ୟରେ ଅନ୍ତରର ଲଢ଼େଇ ହେବ ବୋଲି କାହାରି ବିଶ୍ୱାସ ହେଉ ନ ଥିଲା । ତେବେ ପରବର୍ତ୍ତୀ ସମୟରେ ନିର୍ବାଚନ ମଇଦାନରେ ସେଭଳି ଅନୁଭବ ଆସି ନ ଥିଲା । ବିଜେଡ଼ିର ବିଶାଳ ପଲଟନ ବିଜେପୁରରେ ଝାଳନାଳ ଦେଇ ପ୍ରଚାର କରିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ବେଳକୁ ଦୁଇଦିନ ରହି ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ସେହି ଆସନରୁ ଜିତି ଛାଡ଼ିଦେଇଥିବାରୁ ବିଜେଡ଼ି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ ଥିଲା ।
ସେପଟେ ବିଜେଡିକୁ ଟକ୍କର ଦେବାକୁ ବିଜେପି ମଇଦାନ ରେଡ୍ଡି କରିଥିଲା । ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି । ବିଜେପୁର ବିକାଶ ନାଁରେ ବିଜେପୁରବାସୀଙ୍କୁ ଭଣ୍ଡେଇଛନ୍ତି । ଏଭଳି ପ୍ରଚାରକୁ ଆୟୁଧ କରି ବିଜେପି ଲୋକଙ୍କ ସମର୍ଥନ ଯୋଗାଡ଼ର ଉଦ୍ୟମ କରିଥିଲା । ବିଜେପିର ମୁଖ୍ୟ ପ୍ରଚାରକ ଭାବେ ଉଭା ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇଟି ପର୍ଯ୍ୟାୟରେ ବିଜେପୁରରେ ଡେରା ପକାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣ ଛାଡ଼ିଥିଲେ । ଶେଷ ଦୁଇଦିନ ମୁଖ୍ୟମନ୍ତ୍ରୀଙ୍କ ସହ ତାଳ ଦେଇ ପ୍ରଚାର କରିଥିଲେ ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ ବିଜେପୁର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ । ବଳ, କୌଶଳରେ ବିଜେଡ଼ିକୁ ଟକ୍କର ଦେବାକୁ ପଛରେ ପଡ଼ି ନ ଥିଲା ବିଜେପି ।
ମାତ୍ର ବିଜେପିର ଟାଣପଣ ଭୋଟରେ ପ୍ରତିଫଳିତ ହୋଇନାହିଁ । ଜିତିବା ଦୂରେ ଥାଉ, ସମ୍ମାନର ସଂଖ୍ୟା ପାଇବାକୁ ବି ଦଳ ସମର୍ଥ ହୋଇନାହିଁ । ଗତ ସାଧାରଣ ନିର୍ବାଚନ କଥା ଛାଡ଼ନ୍ତୁ, ୨୦୧୮ ଉପନିର୍ବାଚନରେ ବି ଦଳ ଅନୁରୂପ ଅବସ୍ଥା ଭୋଗିଥିଲା । ନିଶ୍ଚିତ ବିଜୟୀ ହେବେ ବୋଲି ପଞ୍ଚାୟତ ନେତାଙ୍କଠାରୁ କେନ୍ଦ୍ରମନ୍ତ୍ରୀଙ୍କ ଯାଏଁ ସମସ୍ତେ ବାହାସ୍ଫୋଟ ମାରିଥିଲେ । ମାତ୍ର ୪୨ହଜାର ଭୋଟରେ ହାରିଲେ । ସାଧାରଣ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ୫୭ ହଜାର ଟପିଲା । ତଥାପି ବି ବିଜେପି ନେତାଙ୍କ ଦମ୍ଭ ଭାଙ୍ଗି ନ ଥିଲା ।
ଉପନିର୍ବାଚନ ଫଳାଫଳ ଆସିଲା ପରେ ବିଜେପି ନେତାଙ୍କ ସେହି ଚିରାଚରିତ ବୟାନ ଆସିଲାଣି । ଜନମତକୁ ନା ସେମାନେ ସମ୍ମାନ ଦେଉଛନ୍ତି ନା କ୍ରମାଗତ ପରାଜୟର କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି । ପ୍ରଭାରୀ ଅରୁଣ ସିଂଙ୍କ ଦମ୍ଭ ପଣ ତଥାପି ଭାଙ୍ଗିଲା ନାହିଁ । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡ଼ିର ରଣକୌଶଳକୁ ସାମନା କରିବାରେ ବିଜେପି ଯେ ଏଯାଏଁ ସମର୍ଥ ହୋଇନାହିଁ ତାହା ହେଉଛି ବାସ୍ତବତା । ମାତ୍ର ଦଳୀୟ ନେତାମାନେ ନିଜ ଅହକାଂର ପାଇଁ ଏହି ବାସ୍ତବତା ବୁଝିବାକୁ ନାରାଜ । ଦଳରେ ରହିଥିବା ପ୍ରବଳ ଅର୍ନ୍ତବିବାଦ ଓ ନେତାଙ୍କ ଅହଂଭାବ ବିଜେପୁର ନିର୍ବାଚନ ବିପର୍ଯ୍ୟସ୍ତର ଅନ୍ୟ ଏକ କାରଣ ଯାହାକୁ ଏଡାଇ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ଅଶୋକ ପାଣିଗ୍ରାହୀ ବିଜେପି ଛାଡ଼ିବା ଦଳ ପାଇଁ ମହଙ୍ଗା ପଡ଼ିବା ଆଉ ଏକ ସତ୍ୟ ।
ସୂଚନାଥାଉକି, ଏହି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ନଥିଲା କହିଲେ ଚଳେ । କଂଗ୍ରେସକୁ ଯେତିକି ଫଳ ମିଳିବ ବୋଲି ଆଶା କରାଯାଉଥିଲା ତାହା ହିଁ ହୋଇଛି ।