ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣାରେ ମୋଦି ଚମକ ସେଭଳି ଦେଖିବାକୁ ମିଳିନାହିଁ । ବିଜେପି ସେଠାରେ ଆଶାଜନକ ସଫଳତା ପାଇନାହିଁ । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ମଧ୍ୟ ଗତଥର ତୁଳନାରେ ୨୪ ଟି ଆସନ ହରାଇଛି । ସେଥିରୁ କେବଳ ବିଜେପି ହାତରୁ ୨୧ଆସନ ଖସିଛି । ସେହିଭଳି ହରିୟାନାରେ ବିଜେପି ଏକାକୀ ସରକାର ଗଢ଼ିବାକୁ ସମର୍ଥ ହୋଇନାହିଁ । ମ୍ୟାଜିକ୍ ସଂଖ୍ୟାଠାରୁ ଦଳ ୫ଟି ଆସନରେ ପଛରେ ରହିଛି । ଦୁଶ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ୧୦ଟି ଆସନ ସହ କିଙ୍ଗମେକର୍ ଭୂମିକାରେ ଉଭା ହୋଇଛନ୍ତି ।
ବଡ଼କଥା ହେଲା, କଂଗ୍ରେସ ଏହି ଦୁଇରାଜ୍ୟରେ ନିଜର ଚମକ ଦେଖାଇବାରେ ସମର୍ଥ ହୋଇଛି । ମହାରାଷ୍ଟ୍ରରେ କଂଗ୍ରେସ ମେଣ୍ଟକୁ ଗତଥର ତୁଳନାରେ ୧୬ ଅଧିକ ଆସନ ମିଳିଥିବା ବେଳେ ହରିୟାନାରେ କଂଗ୍ରେସର ଆସନ ଦ୍ୱିଗୁଣିତ ହୋଇଛି । ମୋଦି ଓ ଶାହାଙ୍କ ଭଳି ସୋନିଆ ଓ ରାହୁଲ ଗାନ୍ଧୀଙ୍କ ରଣନୀତି ନ ଥାଇ ମଧ୍ୟ କଂଗ୍ରେସକୁ ଏହି ସଫଳତା ମିଳିଛି । ବିଜେପିର କଂଗ୍ରେସମୁକ୍ତ ଭାରତ ଡାକରାକୁ ଏହା ଆଘାତ ଆଣିଛି ।
ଫଳାଫଳ ଅନୁଯାୟୀ, ମହାରାଷ୍ଟ୍ରରେ ୨୮୮ ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟକୁ ୧୬୧ ଆସନ ମିଳିଥିବା ବେଳେ କଂଗ୍ରେସ-ଏନସିପି ମେଣ୍ଟକୁ ୧୦୪ ଆସନ ମିଳିଛି । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ପାଇଛନ୍ତି ୨୩ ଆସନ । ଚଳିତ ଲୋକସଭା ନିର୍ବାଚନରେ ଉଭୟ ଦଳ ୪୮ ଆସନରୁ ୪୧ ଆସନରେ ଜିତିଥିଲେ ହେଁ ବିଧାନସଭାରେ ଏହା ପ୍ରତିଫଳିତ ହୋଇନାହିଁ । ହରିୟାଣାରେ ବିଜେପି ୪୦ ଆସନ ଓ କଂଗ୍ରେସ ୩୧ ଆସନ ପାଇଛି । ଜେଜେପି ୧୦ଟି ଆସନ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିଛି ୯ଟି ଆସନ । ୪ ମାସ ତଳେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପି ସେଠାରେ କ୍ଲିନ୍ ସ୍ୱିପ୍ କରିଥିଲା । ଏବେ ଦଳର ଭୋଟହାର ୨୨ ପ୍ରତିଶତ କମିଯାଇଛି । ଅପରପକ୍ଷେ କଂଗ୍ରେସର ଭୋଟ ଦୁଇଗୁଣା ହୋଇଛି ।
ଏହି ଦୁଇ ରାଜ୍ୟରେ କ୍ଷମତା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଜୋରଦାର ପ୍ରୟାସ କରିଥିଲେ । ମହାରାଷ୍ଟ୍ରରେ ମିସନ୍ ୨୦୦ ଏବଂ ହରିୟାନାରେ ମିଶନ୍ ୭୫ ର ଲକ୍ଷ୍ୟ ରଖିଥିଲେ । ମାତ୍ର ଏହି ମିସନ୍ ର ବହୁତ ପଛରେ ରହିଯାଇଛି ଦଳ । ବିଜେପିର ରଣନୀତି ଫେଲ୍ ମାରିଛି । ସୂଚନାଥାଉକି, ଓଡ଼ିଶାର ବିଜେପୁର ଉପନିର୍ବାଚନରେ ବିଜେପିକୁ ଲୋକହସା ହେବାକୁ ପଡ଼ିଛି । ବିଜେପୁରରେ ବିଜେପିର ଭୋଟହାର ୨୦ ପ୍ରତିଶତକୁ ଖସିଥିବା ବେଳେ ବିଜେଡ଼ିର ଭୋଟହାର ୧୪ ପ୍ରତିଶତ ବଢ଼ିଛି ।
୩୭୦ ଧାରା ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଶାହା ଅର୍ଜିଥିବା ଲୋକପ୍ରିୟତାକୁ ମହାରାଷ୍ଟ୍ର, ହରିୟାନା ଏବଂ ଓଡ଼ିଶାର ବିଜେପୁର ଭୋଟର ଭୋଟରେ ପ୍ରତିଫଳିତ କରିନାହାନ୍ତି । ନିର୍ବାଚନ ଫଳାଫଳ ମୋଦିଙ୍କ ଚମକ୍ ଉପରେ ଚଡ଼କ ପକାଇଥିବା କୁହାଯାଉଛି ।
ଯାହା ବି ହେଉ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବା ବେଳେ ହରିୟାନା ସ୍ଥିତି ଅସ୍ପଷ୍ଟ ରହିଛି । ଜେଜେପି ସେଠାରେ କିଙ୍ଗମେକର ଭୂମିକା ପାଇଥିଲେ ମଧ୍ୟ ସ୍ୱାଧୀନ ବିଧାୟକଙ୍କ ଭୂମିକା ନିର୍ଣ୍ଣାୟକ ହୋଇପାରେ । ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପି ବିଦ୍ରୋହୀ ଥିବାରୁ ସେମାନଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି ବିଜେପି ନେତୃତ୍ୱ ।
ମହାରାଷ୍ଟ୍ର ଓ ହରିୟାନାରେ ଭୋଟର ବିଜେପି ଉପରେ ଆସ୍ଥା ଅତୁଟ ରଖିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।