ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ଏବେ ସମସ୍ୟାରେ ପଡ଼ିଛନ୍ତି । ସୋସିଆଲ ମିଡ଼ିଆ ଓ ନିଜ ଟିଭିରେ ନିଜର କାଟତି ଦେଖାଇ ଚାଲିଥିଲେ ମଧ୍ୟ ନିଜ ପାଇଁ ରାଜନୈତିକ ପ୍ଲାଟଫର୍ମ ଯୋଗାଡ଼ କରିବାରେ ବିଳମ୍ବ ଘଟୁଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ତାଙ୍କ ପାଇଁ ଶ୍ରେଷ୍ଠ ବିକଳ୍ପ କୁହାଯାଉଥିବା ବିଜେପିଠାରୁ ତାଙ୍କୁ ଆକର୍ଷଣୀୟ ପ୍ୟାକେଜ୍ ର ଅଫର୍ ତଥାପି ମିଳିନାହିଁ । ଦିଲ୍ଲୀ ନେତାଙ୍କୁ ପ୍ରଭାବିତ କରିବାରେ ସେ କିଛିଟା ସକ୍ଷମ ହୋଇଛନ୍ତି ସତ ହେଲେ ଓଡ଼ିଶା ନେତାଙ୍କୁ ସେ ନିଜ ମାୟାଜାଲରେ ବାନ୍ଧିପାରିନାହାନ୍ତି । ଖାସ୍ କରି ପାୱାରଫୁଲ୍ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନେଇ ପାରିନାହାନ୍ତି ବୈଜୟନ୍ତ । ଧର୍ମେନ୍ଦ୍ରଙ୍କ ଗ୍ରୀନ୍ ସିଗନାଲ୍ ମିଳୁ ନ ଥିବା ବେଳେ ବୈଜୟନ୍ତ ବି ଶ୍ରେଷ୍ଠ ସମୟକୁ ଅପେକ୍ଷା କରିଛନ୍ତି ।
ବିଜେଡ଼ିରୁ ଇସ୍ତଫା ଦେବା ପରେ ବୈଜୟନ୍ତ ବିଜେପି ଯାଉଛନ୍ତି ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା । ବୈଜୟନ୍ତ ବି ପ୍ରବଳ ବିଜେପିମନା ବୋଲି ପୂର୍ବରୁ ଜଣାପଡୁଥିଲା । ଏମିତିରେ ଦୀର୍ଘ ୪ ବର୍ଷ ହେଲା ବୈଜୟନ୍ତଙ୍କ ମନ ବିଜେପିକୁ ଚାଲିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ତୁତିଗାନ କରି ତାଙ୍କ ମନ ଜିଣିବାକୁ ପ୍ରଥମରୁ ଉଦ୍ୟମ କରୁଛନ୍ତି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସମେତ ସଂଘ ପରିବାରର ବରିଷ୍ଠ ନେତାଙ୍କ ସହ ମଧ୍ୟ ସେ ସୁସମ୍ପର୍କ ରଖି ଆସିଛନ୍ତି । ରାମ ମାଧବଙ୍କ ଭଳି ସଂଘ ପରିବାରର ପାୱାରଫୁଲ୍ ନେତାଙ୍କୁ ସେ ମନେଇ ରଖିଥିବା କୁହାଯାଉଛି । ତେବେ ସବୁ ପରେ ବି ଏଠାରେ ଧର୍ମେନ୍ଦ୍ର ଓ ତାଙ୍କ ଗୋଷ୍ଠୀକୁ କରାୟତ କରିବାରେ ସେ ସଫଳ ହୋଇନାହାନ୍ତି । ଏହା ନ ହେଲେ ତାଙ୍କର ବିଜେପି ଆସିବା ବୃଥା ବୋଲି ସେ କୁଆଡ଼େ ଭାବିନେଇଛନ୍ତି ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ବୈଜୟନ୍ତଙ୍କ ପ୍ରତି ଧର୍ମେନ୍ଦ୍ର ବିଶ୍ୱାସଭାଜନ ନ ହେବା ପଛରେ କାରଣ ବି ସ୍ପଷ୍ଟ । ବୈଜୟନ୍ତ ଜଣେ ଉଚ୍ଚଆକାଂକ୍ଷାମନା ମଣିଷ ବୋଲି ଧର୍ମେନ୍ଦ୍ର ଜାଣିଛନ୍ତି । ଦିଲ୍ଲୀରେ ତାଙ୍କର କାଟତି ଅଛି, ପାଖରେ ପଇସା ଅଛି, ଟିଭି ଟେ ବି ଅଛି । ନିକଟରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସେ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ବୋଲି ଦେଖାଇବାକୁ ଉଦ୍ୟମ କରିଛନ୍ତି । ବିଜେପି ନେତୃବୃନ୍ଦଙ୍କୁ ପ୍ରଭାବିତ କରିବା ପାଇଁ ବୈଜୟନ୍ତଙ୍କର ଏହି ଚାଲ୍ କୁ ଭଲଭାବେ ବୁଝିଛନ୍ତି ଧର୍ମେନ୍ଦ୍ର । ସୁତରାଂ ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରି ନିଜ ପାଇଁ ବିପଦ ଡାକି ଆଣିବାକୁ ଧର୍ମେନ୍ଦ୍ର ନ ଚାହିଁବା ସ୍ୱାଭାବିକ ।
ଏମିତିରେ ଆଜିକା ଦିନରେ ଧର୍ମେନ୍ଦ୍ର ଭାରି ପାୱାରଫୁଲ । ମୋଦି ଓ ଅମିତ୍ ଶାହାଙ୍କ ଉପରେ ତାଙ୍କର ଅଖଣ୍ଡ ପ୍ରଭାବ । ହାତରେ ପେଟ୍ରୋଲିୟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସାଙ୍ଗକୁ ଦଳୀୟ ପାଣ୍ଠି ପରିଚାଳନା ଭାର ବି ତାଙ୍କ ଉପରେ ନ୍ୟସ୍ତ । ଓଡ଼ିଶାରେ ୪ ବର୍ଷ ଧରି ସେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜର ପତିଆରା ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛନ୍ତି । ଧର୍ମେନ୍ଦ୍ରଙ୍କ ବିନା ଇସାରାରେ ଓଡ଼ିଶା ବିଜେପିର ଏବେ ପତ୍ର ବି ହଲୁନାହିଁ । ତେଣୁ ବୈଜୟନ୍ତଙ୍କୁ ଡାକିଆଣି ଧର୍ମେନ୍ଦ୍ର ନିଜ ତପସ୍ୟାକୁ ବାଜିରେ ଲଗାଇବାକୁ ଆଦୌ ଚାହୁଁ ନ ଥିବା ଚର୍ଚ୍ଚା ହେଉଛି ।
ରାଜନୈତିକ ସମୀକ୍ଷକଙ୍କ ମତରେ, ବୈଜୟନ୍ତ ବି କମ ଚାଲାକ ନୁହଁନ୍ତି । ସେ ଦେଖୁଛନ୍ତି, ଧର୍ମେନ୍ଦ୍ର ଏବେ ପାୱାରଫୁଲ୍ ହେଲେ ମଧ୍ୟ ତାଙ୍କ ପାଦତଳୁ ମାଟି ଖସିବାରେ ଲାଗିଛି । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପିର ସ୍ଥିତି ଟାଣ ହେବା ବଦଳରେ ଦୁର୍ବଳ ହେଉଛି । ସଂଘ ପରିବାର ସହ ଧର୍ମେନ୍ଦ୍ରଙ୍କର ପଡୁନି । ଧର୍ମେନ୍ଦ୍ରଙ୍କ ଖାସ୍ ଲୋକ ଭାବେ ପରିଚିତ ଦଳର ସଭାପତି ବସନ୍ତ ପଣ୍ଡାଙ୍କୁ ସଂଘ ପରିବାର ପରିବର୍ତ୍ତନ କରିବାକୁ ଜିଦ୍ ଧରିଛନ୍ତି । ସଂଗଠନ ସମ୍ପାଦକ ମାନସ ମହାନ୍ତି ଧର୍ମେନ୍ଦ୍ରଙ୍କ ଘୋର ବିରୋଧୀ । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଦଳ ଏଠି ୨୦ ଆସନ ଜିତିବା କଷ୍ଟ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ବୁଝାଯାଇଛି । ସୁତରାଂ ରାଜ୍ୟ ବିଜେପିର ଏଭଳି ସ୍ଥିତି ଉପରେ ତୀକ୍ଷ୍ମ ନଜର ରହିଛି ବୈଜୟନ୍ତଙ୍କର । ଧର୍ମେନ୍ଦ୍ରଙ୍କ ସ୍ଥାନ ସେ ଆବୋରିବାକୁ ଚାହିଁ ବସିଛନ୍ତି । ସେଥିପାଇଁ ବିଜେପି ବାର୍ଗେନିଂ ଅପେକ୍ଷାରେ ଅଛନ୍ତି ବୈଜୟନ୍ତ ।
ଇତିମଧ୍ୟରେ ବୈଜୟନ୍ତ ନିଜ ପିଆର କାର୍ଯ୍ୟକ୍ରମକୁ ବଢ଼େଇ ଦେଇଛନ୍ତି । ସାରା ରାଜ୍ୟରେ ନିଜକୁ ଲୋକପ୍ରିୟ କରିବାକୁ ଉଦ୍ୟମ ସାଙ୍ଗକୁ ଲୋକଙ୍କ ସହାନୁଭୂତି ଯୋଗାଡ଼ କରିବାରେ ସବୁ ବଳ, କୌଶଳ ଖଟାଇଛନ୍ତି । ନିଜ ଟିଭିକୁ ବିଜେପିର ମୁଖପାତ୍ର ବନାଇ ସେ ଦଳୀୟ ନେତୃବୃନ୍ଦଙ୍କ ମନ କିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଅପେକ୍ଷା ବିଜେପି ତାଙ୍କୁ ଦଳକୁ ନେଇ ଦଳର ଫେସ୍ ବନାଇବ । ତାଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ୨୦୧୯ ନିର୍ବାଚନ । ଆଉ ସେ ହେବେ କୁଆଡ଼େ ବିଜେପିର ମୁଖ୍ୟମନ୍ତ୍ରୀ ।