ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିନେବାକୁ ବିଜୁ ଜନତା ଦଳ ପକ୍ଷରୁ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନଙ୍କୁ ଚିଠି ଲେଖାଯାଇଛି । ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଆଜି ଏ ସଂକ୍ରାନ୍ତରେ ଚିଠି ଲେଖି ବୈଜୟନ୍ତଙ୍କ ଇସ୍ତଫାପତ୍ରକୁ ତୁରନ୍ତ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
ବୈଜୟନ୍ତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଥିଲା । ଏଥିସହ ନିଜେ ବୈଜୟନ୍ତ ଦଳରୁ ଇସ୍ତଫା ଦେବା ସହ ସାଂସଦ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି । ତେଣୁ ବାଚସ୍ପତି କାଳ ବିଳମ୍ବ ନକରି ସମ୍ବିଧାନ ଓ ଆଇନଗତ ଦୃଷ୍ଟିରୁ ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିନେବାକୁ ଅନୁରୋଧ କରାଯାଇଛି । ଏହା ନହେଲେ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ ବିଜେଡ଼ି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀ ମହତାବ ସଙ୍କେତ ଛାଡ଼ିଛନ୍ତି ।
ସୂଚନାଯୋଗ୍ୟ, ଦଳବିରୋଧୀ କାର୍ଯ୍ୟ ପାଇଁ ଜାନୁଆରୀ ୨୪ ତାରିଖରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡ଼ି । ମେ ୨୮ ତାରିଖରେ ବୈଜୟନ୍ତ ନିଜଆଡୁ ଦଳରୁ ଇସ୍ତଫା ଦେଇଥିଲେ । ଜୁନ୍ ୧୨ ତାରିଖରେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ । ଦଳ ବିରୋଧୀ ଆଇନ ଅନୁଯାୟୀ ସେ ଦଳ ଛାଡ଼ିବା ଦିନୁ ହିଁ ସାଂସଦ ପଦରୁ ଅଯୋଗ୍ୟ ହୋଇସାରିଛନ୍ତି । ତେବେ ତାଙ୍କର ଇସ୍ତଫାକୁ ବାଚସ୍ପତି ଏ ପର୍ଯ୍ୟନ୍ତ ଗ୍ରହଣ କରି ନ ଥିବାରୁ ସଙ୍କଟ ସୃଷ୍ଟି ହୋଇଛି । ବାଚସ୍ପତି ନିଜ ନିଷ୍ପତ୍ତି ପକାଇ ରଖିଲେ ବିଜେଡ଼ି ସମ୍ବିଧାନର ଦଶମ ପରିଚ୍ଛେଦ ପାରା ୨(କ) ଅନୁଯାୟୀ ତାଙ୍କ ସଭ୍ୟପଦ ରଦ୍ଦ କରିବାକୁ ଆବେଦନ କରିପାରିବ ବୋଲି ସମ୍ବିଧାନ ବିଶାରଦମାନେ କହିଛନ୍ତି ।