ଭୁବନେଶ୍ୱର: ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ଦଳକୁ ଫେରାଇ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଉପରେ ଥିବା ବହିଷ୍କାର ଆଦେଶକୁ ଆଜି ଉଠାଇ ଦିଆଯାଇଛି । ୨୦୧୪ ମସିହା ସେପ୍ଟେମ୍ବର ୨୦ ତାରିଖରେ ଘଡାଇ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ । ଘଡ଼ାଇଙ୍କ ଦୋଷ ଥିଲା, ତାଙ୍କ ଘରକୁ ସାକ୍ଷାତକାର ନେବାକୁ ଆସିଥିବା ଜଣେ ସାମ୍ବାଦିକଙ୍କ ସହ ଅନଔପଚାରିକ କଥାବାର୍ତ୍ତା ବେଳେ ନବୀନଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ପ୍ରଫୁଲ୍ଲଙ୍କ ଏହି ମନ୍ତବ୍ୟ ବିଜେଡ଼ିରେ ଝଡ଼ ସୃଷ୍ଟି କରିଥିଲା ।
ତେବେ ନବୀନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଶ୍ରୀ ଘଡ଼ାଇ ପ୍ରତିକ୍ରିୟାଶୀଳ ହୋଇନଥିଲେ । ଏ ପର୍ଯ୍ୟନ୍ତ ସେ ନବୀନ କିମ୍ବା ବିଜେଡ଼ି ବିରୋଧରେ କେଉଁଠି ପଦୁଟିଏ କହି ନ ଥିଲେ । ବରଂ ସୁକିନ୍ଦାରୁ ବିଜେଡ଼ି ବିଧାୟକ ଥିବା ପୁଅ ପ୍ରୀତିରଂଜନଙ୍କୁ ସବୁ ପ୍ରକାର ସହଯୋଗ କରୁଥିଲେ । ନିକଟରେ ଡାକ୍ତର ଦାମୋଦର ରାଉତ ବିଜେଡ଼ିରୁ ତଡ଼ା ଖାଇଲା ପରେ ବିଜୁପ୍ରେମୀଙ୍କୁ ଏକାଠି କରିବାକୁ ଉଦ୍ୟମ କରୁଛି କହି ଗଣମାଧ୍ୟମରେ ପ୍ରଫୁଲ୍ଲ ଘଡ଼ାଇଙ୍କ ନାଁ ନେଇଥିଲେ । ଘଡ଼ାଇଙ୍କ ସହ ସେ କଥା ହୋଇଛନ୍ତି ବୋଲି ଦାମ କହିଥିଲେ । ମାତ୍ର ଦାମଙ୍କ ଏଭଳି ମନ୍ତବ୍ୟରେ ଶ୍ରୀ ଘଡ଼ାଇ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ଦାମଙ୍କ ସହ ତାଙ୍କର କୌଣସି କଥାବାର୍ତ୍ତା ହୋଇନାହିଁ କି ସେ ତାଙ୍କ ସାଙ୍ଗରେ ଯିବାର ନାହିଁ ବୋଲି ସ୍ପଷ୍ଟ କରିଥିଲେ ।
ଶ୍ରୀ ଘଡ଼ାଇ ବିଜେଡ଼ିକୁ ଫେରିବାକୁ ଆଗ୍ରହୀ ବୋଲି ବହୁ ଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲା । ଶେଷରେ ଏହି ଅଭିଜ୍ଞ ପୁରୁଖା ନେତାଙ୍କ ବିଜେଡ଼ି ଓ ନବୀନଙ୍କ ପ୍ରତି ରହିଥିବା ନିରବ ଆନୁଗତ୍ୟକୁ ସ୍ୱୀକୃତି ମିଳିଛି । ସାତ ସାତ ଥର ବିଧାୟକ ତଥା ମନ୍ତ୍ରୀ ବ୍ୟତିରେକେ ଓଡ଼ିଶା ରାଜନୀତିରେ ତାଙ୍କର ଲମ୍ବା ଅଭିଜ୍ଞତା ଦଳ ପାଇଁ ଏବେ ବିଶେଷ ସହାୟକ ହେବ ବୋଲି ବିଜେଡ଼ି ନେତାମାନେ ଆଶା ରଖିଛନ୍ତି । ତେବେ ଶ୍ରୀ ଘଡ଼ାଇ ନିର୍ବାଚନ ଲଢ଼ିବେ ନା ନାହିଁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।