ଭୁବନେଶ୍ୱର: କେତେବେଳେ ବିଜେପି ତ ଆଉ କେବେ ବିଜେଡ଼ିମନା । ରାଜନୀତିରେ ବିଫଳତାର ସ୍ୱାଦ ଚାଖି ଚାଖି ନୟାନ୍ତ ହୋଇଯାଇଥିବା ସୌମ୍ୟରଂଜନ ପଟ୍ଟନାୟକଙ୍କର ବିଗତ ବର୍ଷକର ମତିଗତି ଉପରେ ଏଭଳି ଅନେକ ଚର୍ଚ୍ଚା । ତେବେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ସୌମ୍ୟଙ୍କୁ ଏବେ ବିଜେଡ଼ି-ବୈଜୟନ୍ତ ଏପିସୋଡ଼ ନୂଆ ଆଶା ଦେଇଛି । ବିଜେଡ଼ିରେ ପଶିବାକୁ ଏହି ମୌକା ସେ କୁଆଡ଼େ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ନିଜର ଦୁଇ ଦୁଇଟି ମିଡ଼ିଆ ହାଉସ୍ କୁ ପୁଂଜି କରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମନେଇବା ଉଦ୍ୟମ ଆରମ୍ଭ କରିଛନ୍ତି । ରାଜ୍ୟସଭା ଆସନ ଉପରେ ତାଙ୍କରେ ଆଖି । ସାଙ୍ଗକୁ ଶଙ୍ଖ ଚିହ୍ନରେ ଖଣ୍ଡପଡ଼ା କିମ୍ବା ବେଗୁନିଆରୁ ଝିଅକୁ ଏମଏଲଏ କରିବାକୁ ବି ଆଗ୍ରହ ରଖିଥିବା ଚର୍ଚ୍ଚା ହେଉଛି ।
ଦିଲ୍ଲୀରୁ ନିର୍ଭରଯୋଗ୍ୟ ସୂତ୍ରର ଖବର ଅନୁଯାୟୀ ଗତ ୧୪ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ସୌମ୍ୟମ୍ୟରଂଜନ ତାଙ୍କୁ ସାକ୍ଷାତ କରିଥିଲେ । ସୌମ୍ୟଙ୍କ ଅନୁରୋଧରେ ମନ୍ତ୍ରୀ ପ୍ରତାପ ଜେନା ଏହି ଗୋପନ ସାକ୍ଷାତର ବ୍ୟବସ୍ଥା କରିଥିଲେ । ବିଜେଡ଼ି ପାଇଁ ସେ କାମ କରିବାକୁ ଆଗ୍ରହୀ ଏବଂ ତାଙ୍କୁ ଯେଉଁ ଦାୟିତ୍ୱ ଦେବେ ତାହା କରିବାକୁ ପ୍ରସ୍ତୁତ ବୋଲି ଜଣାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସବୁ ଶୁଣିବା ପରେ ହଉ ଦେଖିବା(ୱି ଉଇଲ୍ ସି) କହି ତାଙ୍କୁ ବିଦାୟ ଦେଇଥିଲେ । ଏହି ଖବର ପଦାକୁ ଆସିଯିବା ପରେ ସୌମ୍ୟ ତାହାକୁ ଅସ୍ୱୀକାର କରିଛନ୍ତି । ହେଲେ ଘଟଣାଟି ନିହାତି ସତ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କୁ ସୌମ୍ୟଙ୍କ ଅନ୍ଧାରି ସାକ୍ଷାତ ନୂଆ ନୁହେଁ । ଗତ ମେ ମାସ ୧୩ ତାରିଖ ସଂଧ୍ୟାରେ ନବୀନ ନିବାସରେ ସୌମ୍ୟଙ୍କୁ ଦେଖିବାକୁ ମିଳିଥିଲା । ସେଦିନ ଦ୍ୱିତୀୟ ଶନିବାର ଛୁଟି ଦିନେ ଥିଲେ ବି ସୌମ୍ୟ ଏକା ଏକା ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ବିଜେଡ଼ିରେ ମିଶିବାକୁ ସେ ଅଫର୍ ନେଇଯାଇଥିଲେ ମଧ୍ୟ ନବୀନଙ୍କ ସାମନାରେ କହିପାରି ନ ଥିଲେ ବୋଲି ପରେ ତାଙ୍କ ନିକଟତମ ସୂତ୍ରରୁ ଜଣାଗଲା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଚାଷୀ, ଚିଟଫଣ୍ଡ ଏବଂ ନିଶା ନିବାରଣ ପ୍ରସଙ୍ଗ ଛଡ଼ା ଆଉ କିଛି କହିପାରି ନ ଥିଲେ । ମୁଖ୍ୟମନ୍ତ୍ରୀ କୁଆଡ଼େ ଏଥରେ କ୍ଷୁବ୍ଧ ହୋଇପଡ଼ିଥିଲେ । ପରେ ଆଉ କେତେଥର ମୁଖ୍ୟମନ୍ତ୍ରୀଙ୍କ ଭେଟ ଚାହିଁଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳି ନ ଥିଲା । ତେବେ ଏଥର ଦିଲ୍ଲୀରେ ସେ ମନଖୋଲି କଥା ହୋଇ ତାଙ୍କର ମନସ୍କାମନା ପୂରଣ କରିଛନ୍ତି ।
ସେପଟେ ସୌମ୍ୟଙ୍କୁ ଦଳକୁ ଆଣିବା ସପକ୍ଷରେ ବିଜେଡ଼ିର ଅଧିକାଂଶ ନେତା ନାହାନ୍ତି । ତାଙ୍କୁ ଦଳକୁ ଆଣିବା ଆତ୍ମଘାତୀ ହେବ ବୋଲି କହୁଛନ୍ତି । ଦଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ମତରେ ସୌମ୍ୟଙ୍କର ମତିଗତିରେ କିଛି ଠିକଣା ନାହିଁ । ତାଙ୍କୁ କଳନା କରିବା ମୁସ୍କିଲ୍ । ବୈଜୟନ୍ତ ପଣ୍ଡାଙ୍କ ଉଚ୍ଚାଆକାଂକ୍ଷାଠାରୁ ସୌମ୍ୟ ଦୁଇପାଦ ଆଗରେ । ଥରେ ରାଜ୍ୟସଭା ପଳାଇଲେ ସେ ଇନ୍ଦ୍ରଚନ୍ଦ୍ର ମାନିବେନି । ହାତରେ ଦି ଦିଇଟା ମିଡ଼ିଆ ଥିବାରୁ ନବୀନଙ୍କୁ ବ୍ଲାକ ମେଲିଂ କରିବା ସହଜ ହେବ । ବୈଜୟନ୍ତଙ୍କ କ୍ଷେତ୍ରରେ ବିଜେଡ଼ି କରିଥିବା ଭୁଲ୍ ସୌମ୍ୟଙ୍କ କ୍ଷେତ୍ରରେ ରିପିଟ୍ ହେଲେ ନବୀନ ତାଙ୍କୁ ସମ୍ଭାଳିବା କଷ୍ଟ ହେବ ବୋଲି ସେ କହିଛନ୍ତି । ଆଉ ଜଣେ ବରିଷ୍ଠ ଉପସଭାପତି କହିଛନ୍ତି, ସୌମ୍ୟଙ୍କୁ ଯଦି ବିଜେଡ଼ିକୁ ଆଣିବାକୁ ନିଷ୍ପତ୍ତି ହୁଏ ଆମେ ବିରୋଧ କରିବୁ । କଂଗ୍ରେସ ପରିବାରର ଦାୟାଦ ସୌମ୍ୟଙ୍କ ମୁଣ୍ଡରେ କଳଙ୍କର ଅନେକ ବୋଝ । ସେହି ବୋଝକୁ ବିଜେଡ଼ି ମୁଣ୍ଡାଇଲେ କ୍ଷତି ହିଁ କ୍ଷତି । ସୌମ୍ୟଙ୍କ ବଦଳରେ ବରଂ ବିଜୟ ମହାପାତ୍ର କି ଦିଲ୍ଲୀପ ରାୟ ବିଜେଡ଼ିକୁ ଆସିଲେ ଦଳ ପାଇଁ ଆସେଟ୍ । କିନ୍ତୁ ସୌମ୍ୟ ନୁହଁନ୍ତି ବୋଲି ସେ କହିଛନ୍ତି । ଖାଲି ଏ ଦୁଇଜଣ ନୁହଁନ୍ତି ଦଳର ବରିଷ୍ଠଙ୍କଠାରୁ କନିଷ୍ଠଙ୍କ ପର୍ଯ୍ୟନ୍ତ ଅନେକ ସୌମ୍ୟଙ୍କ ସମ୍ଭାବ୍ୟ ବିଜେଡ଼ି ଯୋଗଦାନକୁ ବିରୋଧ କରିଛନ୍ତି ।