ଭୁବନେଶ୍ୱର: ସୁନ୍ଦରଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ଆଜି ଶଙ୍ଖ ଧରିଛନ୍ତି । ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ଯୋଗଦେଇଛନ୍ତି । ଯୋଗେଶ ବିଜେଡ଼ିରେ ଯୋଗଦେବେ ବୋଲି ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା । ନିକଟରେ କଂଗ୍ରେସ ତାଙ୍କୁ ସସପେଣ୍ଡ କଲା ପରେ ସେ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କର ବିଜେଡ଼ି ଯୋଗଦାନ ସ୍ପଷ୍ଟ ହୋଇଯାଇଥିଲା । ଆଜିର ମିଶ୍ରଣ ପର୍ବ ପାଇଁ ଯୋଗେଶ ସୁନ୍ଦରଗଡ଼ରୁ ବହୁ ସମର୍ଥକ ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ପ୍ରତି ଆକୃଷ୍ଟ ହୋଇ ସେ ବିଜେଡ଼ିରେ ମିଶିଲେ ବୋଲି କହିଛନ୍ତି । ଯୋଗେଶଙ୍କ ଯୋଗଦାନ ସୁନ୍ଦରଗଡ଼ରେ ବିଜେଡ଼ିକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।
ମିଶ୍ରଣପର୍ବରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ, ବିଜେଡ଼ି ନେତ୍ରୀ କୁସୁମ ଟେଟେ, ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ସେପଟେ ସୁନ୍ଦରଗଡ଼ର ବିଜେଡ଼ି ଆଶାୟୀ ଶ୍ରୀମତୀ କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇଛି । ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇ ବର୍ଷ ପାଇଁ ସେ ଏହି ପଦବୀରେ କାର୍ଯ୍ୟ କରିବେ ।
ସୂଚନାଯୋଗ୍ୟ, ଯୋଗେଶଙ୍କ ବିଜେଡ଼ି ଆଗମନରେ ଉତକ୍ଷିପ୍ତ ଥିଲେ ଶ୍ରୀମତୀ ଟେଟେ । ଗତଥର ସେ ସୁନ୍ଦରଗଡ଼ ଆସନରୁ ବିଜେଡ଼ିର ପ୍ରାର୍ଥୀ ହୋଇ ଯୋଗେଶଙ୍କଠାରୁ ହାରିଥିଲେ । ଯୋଗେଶ ବିଜେଡ଼ିକୁ ଆସିବା ପରେ ସେ ଟିକେଟ ହରାଇବାର ଆଶଙ୍କା କରି ବିଦ୍ରୋହୀ ହୋଇପଡ଼ିଥିଲେ । ତାଙ୍କୁ ବୁଝାସୁଝା କରିବା ପାଇଁ ନିକଟରେ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ଓ ପୂର୍ବତନ ମନ୍ତ୍ରୀ ପ୍ରଣବ(ବବି) ପ୍ରକାଶ ଦାସ ତାଙ୍କ ଘରକୁ ଯାଇଥିଲେ ।