ଭବାନୀପାଟଣା/ରାଉରକେଲା: ରାହୁଲ ଗାନ୍ଧୀ ଗତ ୨୫ ତାରିଖରେ ଭୁବନେଶ୍ୱରରେ ଯାହା ଭାଷଣ ଦେଇଥିଲେ ଆଜି ଭବାନୀପାଟଣା ଓ ରାଉରକେଲାରେ ଏହା ରିପିଟ୍ କରିଛନ୍ତି । ‘ଚୌକିଦାର ଚୋର, ନବୀନ ରିମୋଟ୍ କଣ୍ଟ୍ରୋଲ ’ । ଏହି ଡାଇଲଗ୍ ଜରିଆରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିତିରି ସମ୍ପର୍କ ଜୁଟାଇ ଜବରଦସ୍ତ ଚାର୍ଜ କରିଛନ୍ତି । ଚୌକିଦାର(ମୋଦି) ଯାହା କହିବେ, ନବୀନ ସେଥିରେ ହଁ ଭରିବେ । ରିମୋଟ୍ କଣ୍ଟ୍ରୋଲ୍ ଫିଙ୍ଗନ୍ତୁ, କଂଗ୍ରେସକୁ ଭୋଟ ଦିଅନ୍ତୁ । ଆଜି ଭବାନୀପାଟଣା ଓ ରାଉରକେଲାରେ ଅନୁଷ୍ଠିତ ଭରପୁର କର୍ମୀ ସମାବେଶରେ ଏହି ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ ।
ଉଭୟ ଜାଗାରେ ରାହୁଲ ତାଙ୍କ ଭାଷଣରେ କେନ୍ଦ୍ରର ମୋଦି ସରକାର ଓ ଓଡ଼ିଶାର ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । କହିଥିଲେ, ଉଭୟ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି ପାଳନ୍ତି ନାହିଁ । ମୋଦି ସରକାର ୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ । କୁଆଡ଼େ ଗଲା ସେ ପ୍ରତିଶ୍ରୁତି ? ପ୍ରତି ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍ ର ପ୍ରତିଶ୍ରୁତି ଦେଇଥିଲେ । କୁଆଡ଼େ ଗଲା ସେ ପ୍ରତିଶ୍ରୁତି ? ମୋଦି ଯେମିତି, ଏଠି ନବୀନ ସେମିତି । ନବୀନ-ମୋଦି ଯୁଆଡ଼େ ଯାଉଛନ୍ତି ମିଛ କହୁଛନ୍ତି । ଓଡ଼ିଶା ଏକ ଧନୀ ରାଜ୍ୟ । କିନ୍ତୁ ଲୋକ ଏଠି ଗରିବ । ରାଜ୍ୟରେ ଗରିବୀ, ବେକାରୀ ସମସ୍ୟା ଭରପୁର । ଆଦିବାସୀଙ୍କ ସୁରକ୍ଷା ନାହିଁ ।
ରାହୁଲ କହିଥିଲେ, ନରେନ୍ଦ୍ର ମୋଦି ଆପଣଙ୍କୁ ରାଫେଲ୍ ଦୁର୍ନୀତି ଦେଇଛନ୍ତି । ନବୀନ ପଟ୍ଟନାୟକ ଆପଣଙ୍କୁ ଚିଟଫଣ୍ଡ ଭ୍ରଷ୍ଟାଚାର ଦେଇଛନ୍ତି । କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ଆପଣଙ୍କୁ ସର୍ବନିମ୍ନ ରୋଜଗାରର ଗ୍ୟାରେଣ୍ଟି ଦେବ । ଚାଷୀଙ୍କ ଉପରୁ କୃଷିଋଣ ଛାଡ଼ ହେବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା କରାଯିବ । ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାରର ସୁରକ୍ଷା ଦିଆଯିବ । ଓଡ଼ିଶାରେ ପରିବର୍ତ୍ତନ ଆସିବ, ଲୋକ ସେଥିପାଇଁ ମନ ବଳାଇଲେଣି ବୋଲି ରାହୁଲ କହିଥିଲେ ।
ପ୍ରଥମେ ଭବନାପାଟଣା ଓ ପରେ ରାଉରକେଲାରେ ଭାଷଣ ଦେଇଥିବା ରାହୁଲ ଆଜି ଆରମ୍ଭରୁ ହିଁ ଆକ୍ରମଣାତ୍ମକ ହୋଇଥିଲେ । ମୋଦି ଓ ନବୀନଙ୍କୁ କଠୋର ଭାଷାରେ କଟାକ୍ଷ କରିଥିଲେ । ରାଉରକେଲା ସଭାରେ ରାହୁଲ ସେ ବହୁ ଚର୍ଚ୍ଚିତ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଓ ଆଇଜିଏଚ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ନିର୍ମାଣ ପ୍ରସଙ୍ଗର ଅବତାରଣା କରିଥିଲେ । ମୋଦି ସରକାର ରାଉରକେଲାବାସୀଙ୍କୁ ଭଣ୍ଡାଇଛନ୍ତି ଏବଂ କଂଗ୍ରେସ କ୍ଷମତାକୁ ଆସିଲେ ଏହା କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଉରକେଲାରେ ଆଦିବାସୀ କଳାକାରଙ୍କଙ୍କ ସ୍ୱାଗତ ବେଳେ ରାହୁଲ ତାଙ୍କ ନୃତ୍ୟ ସହ ତାଳଦେଇ କିଛି ସମୟ ନାଚିବା ବେଶ୍ ଉପଭୋଗ୍ୟ ହୋଇଥିଲା । ରାହୁଲ ନାଚୁଥିବା ଦେଖି ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ର ମଧ୍ୟ ସେଠି ଆଦିବାସୀଙ୍କ ସହ ନାଚିଥିଲେ ।