ଭୁବନେଶ୍ୱର: ରାଜନୀତି ପଶାବାଲିରେ ସିବିଆଇ ପେଶି ହୋଇଯାଇଛି ଏବଂ ମୋଦି ସରକାର ସିବିଆଇକୁ ରାଜନୈତିକ ପ୍ରତିଶୋଧର ଅସ୍ତ୍ର କରିଛନ୍ତି । ଏହି ପ୍ରସଙ୍ଗ ଧରି ମମତା ବାନାର୍ଜୀ ଯୁଦ୍ଧକୁ ଓହ୍ଲାଇଥିବା ବେଳେ ଅବିଭକ୍ତ କୋରାପୁଟ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସିବିଆଇ ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସିବିଆଇ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ପେଶାଦାର ଭାବେ କାମ କରୁ । ସିବିଆଇର କାର୍ଯ୍ୟକ୍ରମ ଉପରେ ନବୀନ କେତେ ଖପ୍ପା ତାହା ତାଙ୍କର ଏହି ପଦେ ଟାଣ କଥାରୁ ସ୍ପଷ୍ଟ ହୋଇଛି ।
ତେବେ ଏ ପ୍ରସଙ୍ଗରେ ସେ ମମତା ବାନାର୍ଜୀଙ୍କୁ ସମର୍ଥନ କରିବେ ନା ନାହିଁ ତାହା ସ୍ପଷ୍ଟ କରିନାହାନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ସହଯୋଗ ମାଗିବେ ବୋଲି କୋଲକତାରେ ଧାରଣାରେ ବସିଥିବା ମମତା ଆଜି କହିଥିଲେ । ସାମ୍ବାଦିକମାନେ ଏ ସମ୍ପର୍କରେ ନବୀନଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କହିଥିଲେ, ଟିଏମସି ପକ୍ଷରୁ ତାଙ୍କ ସହ ଏ ପର୍ଯ୍ୟନ୍ତ କେହି ଯୋଗାଯୋଗ କରିନାହାନ୍ତି । ଗତ ବର୍ଷକ ମଧ୍ୟରେ ଟିଏମସି ପକ୍ଷରୁ କେହି କଥା ହୋଇନାହାନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଛି ବୋଲି ମିଡ଼ିଆରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ସାମ୍ବାଦିକମାନେ ଏହା ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାରୁ ସେ ତାହାକୁ ଆବସୋଲିଟୁ୍ୟଲି ନନସେନସ୍ ବୋଲି କହିଥିଲେ ।