ନୂଆଦିଲ୍ଲୀ: ସିବିଆଇକୁ ଚିଟଫଣ୍ଡ ତଦନ୍ତରେ ସହଯୋଗ ପାଇଁ କୋଲକତା ପୁଲିସ କମିଶନର ରାଜୀବ କୁମାର ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି । ସିବିଆଇରେ ହାଜର ହେବାକୁ ସେ କେବେ ମନା କରିନାହାନ୍ତି କି ଲୁଚିବାକୁ ଚେଷ୍ଟା କରିନାହାନ୍ତି । ଦୁଇ ପକ୍ଷଙ୍କ ସହମତିରେ କୌଣସି ଏକ ଜାଗାରେ ସାକ୍ଷାତ ପାଇଁ ସିବିଆଇକୁ ବାରମ୍ବାର ଜଣାଇଛନ୍ତି । ଏ ସମ୍ପର୍କରେ ସିବିଆଇକୁ ୫ ଟି ଚିଠି ମଧ୍ୟ ଲେଖିଛନ୍ତି । ମାତ୍ର ସିବିଆଇ ତାଙ୍କୁ ଧରାଛୁଆଁ ଦେଇନି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ସାମ୍ବାଦିକମାନଙ୍କ ଆଗରେ ଏହି ଗୁମର ଖୋଲିଛନ୍ତି ମମତା ବାନାର୍ଜୀ । ରାଜୀବ କୁମାର ସିବିଆଇରେ ହାଜର ହେବା ଏବଂ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମମତାଙ୍କୁ ଖୁସି କରିଛି । ଏହି ରାୟକୁ ସେ ନୈତିକ ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଜନତାଙ୍କ ବିଜୟ ।
ସେପଟେ ରାୟକୁ ନେଇ ବିଜେପି ବି ଖୁସି ଜାହିର କରିବାକୁ ଉଦ୍ୟମ କରିଛି । ମମତାଙ୍କ ପାଇଁ ଏହା ଝଟକା ବୋଲି ଆକ୍ଷେପ କରିଛି । ରାୟ ଆଧାରରେ ମମତାଙ୍କ ଉପରେ ବର୍ଷିଛନ୍ତି ମୋଦି କ୍ୟାମ୍ପ୍ । ମୋଟାମୋଟି ଭାବେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଉଭୟ ପକ୍ଷ ମଧ୍ୟରେ ରାଜନୀତି ଆହୁରି ଜୋର୍ ହୋଇଛି । ଦୁଇପକ୍ଷ ପରଷ୍ପର ଉପରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରଖିଛନ୍ତି ।
ଆଜି ସୁପ୍ରିମକୋର୍ଟରେ ମାମଲା ଶୁଣାଣି ବେଳେ ଦୁଇପକ୍ଷଙ୍କ ଗରମ ଯୁକ୍ତି ଶୁଣିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋଗୋଇଙ୍କ ଡିଭିଜନ୍ ବେଞ୍ଚ । ସିବିଆଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେ.କେ.ବେଣୁଗୋପାଳ ତାଙ୍କ ଯୁକ୍ତିରେ କହିଥିଲେ ଯେ ବିଭିନ୍ନ ଚିଟଫଣ୍ଡ ସଂସ୍ଥାଠାରୁ ତୃଣମୂଳ କଂଗ୍ରେସ ଆକାଉଣ୍ଟକୁ ଚେକ୍ ରେ ଅର୍ଥ ଆସିଛି । କୋଲକତା ପୁଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ଯଥେଷ୍ଟ ଦସ୍ତାବିଜ୍ ବନ୍ଦ ଲଫାପାରେ ଦାଖଲ କରିବାକୁ କୋର୍ଟଙ୍କ ଅନୁମତି ନେଇଥିଲେ ।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଂହଭି ଯୁକ୍ତି କରିଥିଲେ ଯେ ରାଜୀବ କୁମାରଙ୍କ ଘର ତଲାସି ଉଦ୍ୟମ କରି ସିବିଆଇ ତାଙ୍କୁ ବଦନାମ ଓ ହଇରାଣ କରିବାକୁ ଚାହିଁଛି । ରାଜୀବ କୁମାରଙ୍କ ବିରୋଧରେ ସିବିଆଇର କୌଣସି ଏତଲା ନାହିଁ । ବିଗତ ୪ ବର୍ଷରେ ସେ ସିବିଆଇଠାରୁ ୩ ଟି ନୋଟିସ୍ ପାଇଛନ୍ତି । ଶେଷ ଥର ପାଇଁ ଗତ ଡିସେମ୍ବର ୪ ତାରିଖରେ ତାଙ୍କ ପାଖକୁ ନୋଟିସ୍ ଆସିଥିଲା ।