ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସିବିଆଇ-ପୁଲିସ ମୁହାଁମୁହିଁ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କୋଲକତା ପୁଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇକୁ ସହଯୋଗ କରି ତଦନ୍ତର ସାମନା କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେଘାଳୟର ସିଲଂଠାରେ ସିବିଆଇ ନିକଟରେ ସେ ବ୍ୟକ୍ତିଗତ ଭାବେ ହାଜର ହେବେ । ତେବେ ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରିପାରିବନି ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସିବିଆଇ ଅବମାନନା ମାମଲାରେ ପଶ୍ଚିମବଙ୍ଗ ସରକାର, ଡିଜିପି ଓ ପୁଲିସ କମିଶନରଙ୍କୁ ନୋଟିସ୍ ଜାରି କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୦ ତାରିଖରେ ହେବ ।
ସୁପ୍ରିମକୋର୍ଟଙ୍କ ରାୟକୁ ମମତା ବାନାର୍ଜୀ ସ୍ୱାଗତ କରିଛନ୍ତି । ତାଙ୍କ ପ୍ରତିକ୍ରିୟାରେ ମମତା, ସୁପ୍ରିମକୋର୍ଟଙ୍କ ରାୟକୁ ନୈତିକ ବିଜୟ ବୋଲି କହିଛନ୍ତି । ଏହା ଟିମଏମସିର ବିଜୟ ନୁହେଁ । ସାଧାରଣ ଜନତାଙ୍କ ବିଜୟ ବୋଲି ସେ କହିଛନ୍ତି । ରାଜୀବ କୁମାର ସିବିଆଇ ତଦନ୍ତର ସାମନା କରିବାରେ ତାଙ୍କର ଆପତ୍ତି ନ ଥିଲା କି ନାହିଁ ବୋଲି ମମତା କହିଛନ୍ତି ।