ଭୁବନେଶ୍ୱର: ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଛତ୍ରପୁର ଥାନାରେ ହାଜର ହେବା ପାଇଁ ପୁଲିସ ସମନ ପାଇଥିଲେ । ମାତ୍ର ସେ ହାଜର ହୋଇନାହାନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇପାରୁ ନ ଥିବା ଓକିଲଙ୍କ ଜରିଆରେ ଜଣାଇଛନ୍ତି । ଗୋଲକଙ୍କ ପକ୍ଷରୁ ତାଙ୍କ ଦୁଇ ଓକିଲ ଆଜି ଛତ୍ରପୁର ଥାନାରେ ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ଏହା ଅବଗତ କରାଇଛନ୍ତି । ଗୋଲକଙ୍କ ହାଜର ପାଇଁ ମାସେ ସମୟ ମାଗିଛନ୍ତି । ହାଜିରାର ପରବର୍ତ୍ତୀ ତାରିଖ ଏସଡ଼ିପିଓ ସ୍ଥିର କରିବେ ।
ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ମର୍ଡର କେସ୍ ରେ ଥାନାରେ ହାଜର ପାଇଁ ଗତ ୨୯ ତାରିଖ ରାତିରେ ଗୋଲକଙ୍କୁ ସମନ ଜାରି ହୋଇଥିଲା । ତାଙ୍କ ସହ ଭୃଗୁ ବକ୍ସିପାତ୍ରଙ୍କୁ ମଧ୍ୟ ସମନ ଜାରି କରାଯାଇଥିଲା । ଭୃଗୁ ଆସନ୍ତା ୯ ତାରିଖରେ ହାଜର ହେବାକୁ କୁହାଯାଇଛି ।
ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁଯାୟୀ, ଛତ୍ରପୁର ଥାନାରେ ଗୋଲକ ହାଜିରା ଦେବାକୁ ଦୁଇଦିନ ତଳୁ ସ୍ଥିର ହୋଇସାରିଥିଲା । ଦଳର ଥିଙ୍କ ଟ୍ୟାଙ୍କ୍ ଏଥିପାଇଁ ମନ୍ତ୍ରଣା ସାରିଥିଲେ । ଏୟା ସ୍ଥିର ହୋଇଥିଲା ଯେ ଗୋଲକ ଓକିଲଙ୍କୁ ଧରି ଥାନାରେ ହାଜର ହେବେ । ପୂର୍ବଥର ଭଳି ତାଙ୍କ ସାଙ୍ଗରେ ଦଳର ପଲଟନ ଯିବନି । ତେବେ ଗତକାଲି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା । ସତରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲା ନା ଆଉ କିଛି ରାଜନୀତି ତାହା ଜଣାପଡ଼ିନାହିଁ ।
ସୂଚନାଯୋଗ୍ୟ, ଗୋଲକ ଓ ଭୃଗୁଙ୍କୁ ପୁଲିସ ସମନ ପଛରେ ବିଜେଡ଼ିର ଦୁଇ ହେଭିୱେଟ୍ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ କୁମାର ସାହୁଙ୍କୁ ସିବିଆଇ ସମନର ସମ୍ପର୍କ ଥିବା ଚର୍ଚ୍ଚା ହୋଇଛି । ଚିଟଫଣ୍ଡ ମାମଲାକୁ ଆଳ କରି ଠିକ ନିର୍ବାଚନ ପୂର୍ବରୁ ବିଜେପି ସିବିଆଇକୁ ଲଗାଇଛି ଏବଂ ଅତନୁ ଓ ଅରୁଣଙ୍କୁ ସମନ କରାଯାଇ ବିଜେଡ଼ିକୁ ବଦନାମ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସିବିଆଇ ସମନ ରେ ପ୍ରତିଶୋଧପରାୟଣ ହୋଇ ବିଜେଡ଼ି ପୁଲିସକୁ ଲଗାଇ ଗୋଲକ ଓ ଭୃଗୁଙ୍କୁ ସମନ କରିଥିବା ଅଭିଯୋଗ ହୋଇଛି ।
ଉଭୟ ପକ୍ଷକୁ କାଗଜ ସମନ ନେଇ ରାଜନୈତିକ ଛକାପଂଝା ଚାଲିଥିବା ବେଳେ ଅସଲ ଡ୍ରାମା କିନ୍ତୁ ଏଯାଏଁ ଦେଖିବାକୁ ମିଳିଲାନି । ସିବିଆଇରେ ହାଜର ପାଇଁ ଅତନୁଙ୍କୁ ୨୮ ତାରିଖ ଓ ଅରୁଣଙ୍କୁ ୩୦ ତାରିଖକୁ ସମନ ଦିଆଯାଇଥିଲା । ମାତ୍ର ସେମାନେ ହାଜର ହେଲେନି । ସ୍ୱାସ୍ଥ୍ୟଗତ ନା ଆଉ କିଛି କାରଣ ଜଣାପଡ଼ିଲାନି ।ସମୟ ଗଡ଼ିଗଲା ପରେ ଯାଇ ଦୁହେଁ ମିଡ଼ିଆ ଆଗରେ ମୁହଁ ଖୋଲିଲେ ଏବଂ ସିବିଆଇରେ ହାଜର ହେବେ ବୋଲି ନିଶ୍ଚିତ କରାଇଲେ । ତେବେ ସିବିଆଇଠାରୁ ସେମାନେ କେବେ ସମୟ ନେଇଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏପଟେ ଆଜି ଗୋଲକ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ପୁଲିସ ସମନକୁ ଫାଙ୍କିଦେଇଥିବା ସାଧାରଣରେ ଚର୍ଚ୍ଚା ହେଲାଣି । ଭୃଗୁଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି ନା ନାହିଁ ତାହା ୯ ତାରିଖରେ ଜଣାପଡ଼ିବ ।