ଭୁବନେଶ୍ୱର: ଦୀର୍ଘ ୪୪ ବର୍ଷର ରାଜନୈତିକ କ୍ୟାରିୟର୍ ରେ ବିଜୁବାବୁ ଓ ନବୀନ ବାବୁ ଥିଲେ ତାଙ୍କର ପୁଂଜି । ବାପପୁଅଙ୍କ ଆର୍ଶିବାଦରେ ସଫଳତାର ଶୀର୍ଷ ଛୁଇଁଲେ । ମାତ୍ର ବୟସର ଅପରାହ୍ନରେ ନିଜ ସ୍ୱାର୍ଥରେ ଆଞ୍ଚ ଆସିବାରୁ କଡ଼ ଲେଉଟାଇ ଦେଲେ । ଦୀର୍ଘ ୧୮ ବର୍ଷ ଧରି ଯାହାଙ୍କୁ ଗୁରୁ କରି ତାଙ୍କ ଶାସନର ଅଂଶୀଦାର ଥିଲେ ତାଙ୍କୁ ଦୁର୍ନୀତି ଓ ଭ୍ରଷ୍ଟାଚାରର ମହାନାୟକ ବୋଲି ବୋବାଲ୍ ପକାଇଲେ । ଟିଭିରେ ତୁଣ୍ଡ ଲଗାଇ ମନେ ମନେ ନିଜକୁ ଆଦର୍ଶବାନ୍ ରାଜନେତା ବୋଲାଇଲେ । ଯେଉଁ ନରେନ୍ଦ୍ର ମୋଦି, ଅମିତ୍ ଶାହା, ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଶୁଣି ଚିହୁଁକୁ ଥିଲେ କ୍ଷମତା ଲୋଭରେ ସେମାନଙ୍କ ହାତ ଧରି ପକାଇଲେ । ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ମାଟିରୁ ହଟାଇବାକୁ ବାରମ୍ବାର ସଂକଳ୍ପ ନେଲେ । ମାତ୍ର ବର୍ତ୍ତମାନ ତାଙ୍କର ସ୍ଥିତି କ’ଣ ତାହା ଓଡ଼ିଶାବାସୀ ଦେଖୁଛନ୍ତି । ନିଜ ଜନ୍ମମାଟିରୁ ଶୋଚନୀୟ ପରାଜିତ ହୋଇ ରାଜନୀତିରୁ ହଜି ଯିବା ପରେ ବୁଦ୍ଧି ଶିଖିଛନ୍ତି ଡାକ୍ତର ଦାମୋଦର ରାଉତ । ବିଜେଡ଼ି ଫେରି ଆସିବାକୁ ବାଉଳା ହୋଇ ସମ୍ଭବତଃ ପୁଅକୁ ଅସ୍ତ୍ର କରିଛନ୍ତି ।
ବିଜେଡ଼ିରୁ ଦାମଙ୍କ ପ୍ରସ୍ଥାନ ପରେ ତାଙ୍କ ଗଡ଼ ପାଲଟିଥିବା ପାରାଦ୍ୱୀପରୁ ପୁଅ ସମ୍ବିତ ରାଉତରାୟ ବିଜେଡ଼ି ପ୍ରାର୍ଥୀ ହୋଇ ଜିତିଛନ୍ତି । ବାପା ବିଜେପିକୁ ଗଲା ବେଳେ ମୁକ ପାଲଟିଥିବା ପୁଅ ସମ୍ବିତ ଏବେ ବାପାଙ୍କ ଦୁର୍ଦ୍ଦଶା ଦେଖି ପାଟି ଖୋଲିଛନ୍ତି । ଅବଶ୍ୟ ଲଜ୍ଜାବଶତଃ ସେ ସିଧାସଳଖ କଥାଟି ନ କହି ଟିକିଏ ବୁଲେଇକି କହିଛନ୍ତି । ସମ୍ବିତ କହିଛନ୍ତି, ବାପା ବିଜେପିକୁ ଯାଇ ଖୁସି ନ ଥିବା ମୁଁ ଅନୁମାନ କରୁଛି । ସୁପ୍ରିମୋ ( ନବୀନ ପଟ୍ଟନାୟକ) ଚାହିଁଲେ ସେ ବିଜେଡ଼ିକୁ ଫେରିପାରନ୍ତି । ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ ବୋଲି ସମ୍ବିତ୍ ଜଣାଇ ସୁପ୍ରିମ୍ ଙ୍କ କୋର୍ଟକୁ ବଲ୍ ଛାଡ଼ିଛନ୍ତି । ନିର୍ବାଚନ ଫଳ ଆସିବା ପରେ ବାପା ଯେଉଁ ସଫେଇ ଦେଇଥିଲେ ତାହାକୁ ପାଳି ଧରିଛନ୍ତି ସମ୍ବିତ୍ । ଦୀର୍ଘ ଦିନ ଧରି ଜନତା ଦଳ ଓ ବିଜେଡ଼ି ସହ ସେ ଜଡ଼ିତ ଥିଲେ । ବିଜୁବାବୁଙ୍କ ନୀତି ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିଥିଲେ । ମାତ୍ର ବିଜେଡ଼ି ଛାଡ଼ି ହଠାତ୍ ବିଜେପିରେ ମିଶିବାକୁ ଲୋକ ଗ୍ରହଣ କଲେ ନାହିଁ ବୋଲି ସମ୍ବିତ କହିଛନ୍ତି ।
ଦାମଙ୍କ ପରେ ପୁଅ ସମ୍ବିତ୍ ଙ୍କ ଏହି ବୟାନରୁ ଏହା ସ୍ପଷ୍ଟ ଯେ ଦାମ ବିଜେଡ଼ିକୁ ଫେରିବାକୁ ଏକ ପ୍ରକାର ବ୍ୟାକୁଳ ହୋଇପଡ଼ିଛନ୍ତି । ତେବେ ଏ ସମ୍ପର୍କରେ ଦାମଙ୍କ ପ୍ରତିକ୍ରିୟା ମିଳିନାହିଁ । ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ ମୁହଁ ଲଜ୍ଜା ଯୋଗୁଁ ଦାମ ଏକଥା ନିଜ ପାଟିରେ ନ କହି ପୁଅ ପାଟିରେ କୁହାଇଛନ୍ତି । ମୁଖ୍ୟମନ୍ତ୍ରୀ ଇଙ୍ଗିତ ଦେଲା ମାତ୍ରେ ଚଟାପଟ ସେ ବିଜେଡ଼ିକୁ ଫେରି ଆସିବେ । ମାସେ ଦି ମାସ ତଳେ ଯେଉଁ ନବୀନ ପଟ୍ଟନାୟକଙ୍କୁ ଖଳନାୟକ ଆଖ୍ୟା ଦେଇଥିଲେ ତାଙ୍କୁ ପୁଣି ମହାନାୟକ କହି ଆବୋରି ନେବେ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏହି ପ୍ରସ୍ତାବ ଆସିଲେ ସେ କିଭଳି ତାହାକୁ ବିଚାର କରିବେ ଏବେ ଦେଖିବାର କଥା । ଡାକ୍ତର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ପୁଣି କ’ଣ ବିଶ୍ୱାସକୁ ନେଇପାରିବେ? ତାଙ୍କ ଉପରେ ହୋଇଥିବା ଗାଳିକୁ ସେ କ’ଣ ଏତେ ଶୀଘ୍ର ଭୁଲିଯିବେ? ସର୍ବୋପରି ନିଜର ଲଗାମହୀନ ତୁଣ୍ଡରେ ଦାମ ବିଜେଡ଼ି ଓ ତାଙ୍କର ଯେଉଁ କ୍ଷତି କରିଛନ୍ତି ମୁଖ୍ୟମନ୍ତ୍ରୀ କ’ଣ କ୍ଷମା କରିଦେବେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ରାଜନୀତିରେ କିଛି ଅସମ୍ଭବ ହୋଇ ନ ଥିବାରୁ ଏହି ପ୍ରସଙ୍ଗଟି ଉତ୍କଣ୍ଠା ଓ କୌତୁହଳ ସୃଷ୍ଟି କରିଛି ।