ଭୁବନେଶ୍ୱର: ବିଜେପିର ମିଶନ୍ ୧୨୦ ସମରସଜ୍ଜା ବିଜେଡ଼ିକୁ ବାଉଳା କରିଛି । ଯେତେ ଦମ୍ଭ ଦେଖାଇଲେ ବି ଛାତି ଥରୁଛି । ପଶ୍ଚିମାଞ୍ଚଳର ଜିଲ୍ଲା ପରିଷଦ ଭୋଟ ଫଳ ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ସାରା ରାଜ୍ୟକୁ ମାଡ଼ିଯିବନି ତ ? ବିଜେପିର ବ୍ୟାପକ ପ୍ରଚାର ଓ ଅର୍ଥବଳ ଭୋଟରଙ୍କୁ ଆପଣାର କରି ନେବନି ତ ? ୧୭ ବର୍ଷ ଧରି କ୍ଷମତାରେ ଥିବାରୁ ଆଣ୍ଟି ଇନକମ୍ବେନ୍ସୀ ଫ୍ୟାକ୍ଟର୍ କାମ କରିବନି ତ ? ଏମିତି ଗୁଡ଼ାଏ ପ୍ରଶ୍ନରେ ଛନ୍ଦି ହୋଇଯାଇଛି ବିଜେଡ଼ି । ସାଧାରଣ ନିର୍ବାଚନର ବିଜେପି ଅଙ୍କକୁ ଗାଲୁ ପେଲିଲେ ବି ଡର ଗୋଡ଼ାଇଛି । ମୋଦି ମାନିଆ ଓ ଅମିତ୍ ଶାହାଙ୍କ ମାଷ୍ଟର ଷ୍ଟ୍ରାଟେଜି ବିଜେଡ଼ି ନେତାଙ୍କ ନିଦ ହଜାଇଦେଇଛି । ଶାହାଙ୍କ ମିଶନ୍ ୧୨୦କୁ ଖୋଦ୍ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ‘ନା’ କହିପାରିନାହାନ୍ତି । ସେଥିନେଇ ତାଙ୍କ ମନରେ ସନ୍ଦେହ ରହିଥିବା ନବୀନ କହିଛନ୍ତି । ଆଉ ନବୀନଙ୍କ ମନ୍ତବ୍ୟରୁ ତାଙ୍କର ଦୁର୍ବଳତା ଧରାପଡ଼ିଛି ।
ଏଥିପୂର୍ବରୁ ବିଜେପିର ମିଶନ୍ ୧୨୦ କ୍ୟାମ୍ପେନ୍ ବିଜେଡ଼ି ନେତାଙ୍କୁ କିଭଳି ବାଉଳା କରିଛି ତାହା ସୂର୍ଯ୍ୟ ପାତ୍ର ଓ ପ୍ରଶାନ୍ତ ନନ୍ଦଙ୍କ ବୟାନରୁ ବାରି ହୋଇଯାଇଛି । ଦୁଇଦିନ ତଳେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଶାହାଙ୍କ ୧୨୦ ଅଙ୍କକୁ ତାତ୍ସଲ୍ୟ କରିଥିଲେ । କହିଥିଲେ, ଆମେ ୧୨୩ଟି ଆସନରେ ଜିତିବୁ । ବିଜୁବାବୁ ୧୨୩ ପାଇଥିଲେ ଏଥର ନବୀନ ବାବୁ ସେଇ ୧୨୩ ପାଇବେ । ହେଲେ ସୂର୍ଯ୍ୟଙ୍କ ବୟାନକୁ ଖୋଦ୍ ଦଳୀୟ ମୁଖପାତ୍ର ପ୍ରଶାନ୍ତ ନନ୍ଦ ଖଣ୍ଡନ କଲେ । କହିଲେ, ସୂର୍ଯ୍ୟ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ । ସେଥିରେ ଦଳର ସ୍ୱୀକୃତି ନାହିଁ । ଓଲଟି କହିଲେ, ବିଜେଡ଼ି ଚାହେଁ ୧୪୭ରୁ ୧୪୭ ଆସନ ଜିତିବାକୁ । ଏମିତିକା ମନ୍ତବ୍ୟ ଦେଇ ସେ ସୂର୍ଯ୍ୟଙ୍କୁ କାର୍ଟୁନ୍ କରିଦେଇଥିଲେ । ସେହିଭଳି କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଦିନ ଟିଭି ଷ୍ଟୁଡ଼ିଓରେ ବସି ବିଜେପିକୁ ଗାଳି କରୁଥିଲେ ବିଜେଡ଼ି ପାନେଲିଷ୍ଟ ତେଜେଶ୍ୱର ପରିଡ଼ା । ନୂଆ ମନ୍ତ୍ରୀମାନେ କେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରୁଛନ୍ତି ନ ଜାଣି ଗୁଡ଼ାଏ ବକବାସ୍ କଲେ । ତାଙ୍କ ସୌଭାଗ୍ୟକୁ ଟିଭି ଆଙ୍କର ବି ଜ୍ଞାନ ଅଭାବରୁ ତାଙ୍କୁ ଘେରିପାରିଲେନି । ନହେଲେ ସେଦିନ ବହେ ପାଣି ପିଇ ଫେରିିଥାନ୍ତେ ତେଜେଶ୍ୱର ।
ଦଳର ଜଣେ ବରିଷ୍ଠ ନେତା ଏହାକୁ ନେଇ ନିଜର କ୍ଷୋଭ ଝାଡ଼ିଛନ୍ତି । ତାଙ୍କର କହିବା କଥା, ଦଳରେ କାହା କଥାରେ କାହାରି ତାଳମେଳ ନାହିଁ । ସୂର୍ଯ୍ୟ ଯାହା କହିଥିଲେ ତାକୁ ଗଣମାଧ୍ୟମରେ କାଉଣ୍ଟର କରିବାର କି ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଦଳର ଜଣେ ମୁଖପାତ୍ରଙ୍କ ଏପରି ଆଚରଣକୁ ସେ ନାପସନ୍ଦ କରିଛନ୍ତି । ସେହିଭଳି ଜଣେ ପାନେଲିଷ୍ଟ ତଥ୍ୟ ନ ଜାଣି ଟିଭି ବିତର୍କରେ ବସିବାକୁ ସେ ପସନ୍ଦ କରିନାହାନ୍ତି । ଏହାଦ୍ୱାରା ବିଜେଡ଼ିର ଛବି ମଳିନ ପଡୁଥିବା ସେ କହିଛନ୍ତି । ଗୁଡାଏ ଅପାଣ୍ଡୁଙ୍କୁ ଆଣି ମୁଖପାତ୍ର କି ପାନେଲିଷ୍ଟ କଲେ ଏମିତିକା ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଯାହା ବି ହେଉ, ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଦୁହାଁଳିଆ ତେଲ ଓ ଦକ୍ଷତା ବିକାଶ ବିଭାଗର କ୍ୟାବିନେଟ୍ ମୋହର ଦେଇ ତାଙ୍କୁ ରାଜ୍ୟ ବିଜେପିର ଅଘୋଷିତ ନେତା ବନେଇଥିବା ମୋଦି-ଅମିତ୍ ଶାହା ଯୋଡି ସାଧାରଣ ନିର୍ବାଚନରେ ଛକ୍କା ମାରିବାକୁ ଯୋଜନା କରିଛନ୍ତି । ଅମିତ୍ ଶାହାଙ୍କ ଗୁରୁମନ୍ତ୍ର, ସୌଦାନ ସିଂହଙ୍କ ଗୋଟିଚାଳନା ଓ ଧର୍ମେନ୍ଦ୍ରଙ୍କ କ୍ଷେତ୍ର ପ୍ରସ୍ତୁତି(ମାଲପାଣି)ରେ ବିଜେପି ୧୨୦ ବିଧାନସଭା ଆସନ ଦଖଲର ସ୍ୱପ୍ନ ଦେଖୁଛି । ବିଜେଡ଼ି ଏହାକୁ ଉପରେ ସନ୍ଦେହ କି ତାତ୍ସଲ୍ୟ କଲେ ବି ଭିତରେ ଭୀଷଣ ଭୟ କରିଛି । ଖାଲି ସରକାରୀ ଯୋଜନାରେ ନୁହେଁ ସଂଗଠନକୁ ବଞ୍ଚେଇବା ପାଇଁ କସରତ ଆରମ୍ଭ କରିଛି । ଆଗକୁ ଲଢ଼େଇ ଜମିବ ଏହା ଏବେଠୁଁ ଜଳ ଜଳ ଦିଶିଲାଣି ।