ଭୁବନେଶ୍ୱର: ଆସନ୍ତାକାଲି ବିଜେଡ଼ି ଛାତ୍ର, ଯୁବ ଓ ମହିଳା ସଂଗଠନ ପକ୍ଷରୁ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ୫ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ ହେବ । ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଏହି ଆନ୍ଦୋଳନ ର ଡାକରା ଦିଆଯାଇଛି । ତେବେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବିଜେପି ବି ନିଜକୁ ତୟାର୍ କରିଛି । ବିଜେଡ଼ି ହରତାଳ ତାଳରେ ଚାଷୀମେଳିର ଆୟୋଜନ କରିଛି ବିଜେପି । ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହୋଇପାରେ ବୋଲି ପୁଲିସକୁ ସତର୍କ କରିଛି ।
ତେଲଦର ବୃଦ୍ଧି ପ୍ରତିବାଦରେ ୧୮ ତାରିଖରୁ ଆନ୍ଦୋଳନ କରିବାକୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଘୋଷଣା କରିଥିଲା । ଆଜି ଆଉ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତାକାଲି ପ୍ରସ୍ତାବିତ ହରତାଳ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲା । ତେବେ ସଂଧ୍ୟାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଗଣମାଧ୍ୟମକୁ ଏକ ପ୍ରେସ୍ ଇସ୍ତାହାର ଦିଆଯାଇଛି । ‘ଋଣମୁକ୍ତ ଚାଷୀ ଓ ସୁଧମୁକ୍ତ ଋଣ’ ଦାବି ନେଇ ଚାଷୀଙ୍କଠାରୁ ମୋର୍ଚ୍ଚା ଦସ୍ତଖତ ସଂଗ୍ରହ କରିଛି । ତାହା ୧୮ ତାରିଖ ଦିନ ରାଜ୍ୟପାଳଙ୍କୁ ଦିଆଯାଇଥାଆନ୍ତା । ମାତ୍ର ରାଜଭବନ ଆଗରେ ଏକାଠି ହେବାକୁ ପୁଲିସ ସେମାନଙ୍କୁ ଅନୁମତି ଦେଇନାହିଁ । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାଷୀ ଆସିବେ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୁଲିସ ଦାୟୀ ରହିବ ବୋଲି ବିଜେପି କୃଷକ ମୋର୍ଚ୍ଚା ଚେତାବନୀ ଦେଇଛି । ବିଜେପିର ଏହି ଛାୟା ଯୁଦ୍ଧ ଡାକରା ରାଜନୀତି ମଇଦାନକୁ ସରଗରମ କରିଥିବା ବେଳେ ବିଜେଡ଼ି ହରତାଳ ଛାଇରେ ହିଂସାକାଣ୍ଡର ଆଶଙ୍କା ଉପୁଜିଛି ।
ମିଳିଥିବା ଖବର ଅନୁଯାୟୀ, ହରତାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡ଼ି ଦମ୍ ଖଟାଇଦେଇଛି । ହରତାଳକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାକୁ ଖୋଦ୍ ନବୀନ ନିବାସରୁ ନିର୍ଦ୍ଦେଶ ଆସିଛି । ତେବେ ସେଥିରେ କେଁ ପୂରାଇ ଆନ୍ଦୋଳନକୁ ଫ୍ଲପ୍ କରିବାକୁ ବିଜେପି ଫୁଲ୍ ପ୍ରସ୍ତୁତି ଚଳାଇଥିବା ଗୁଇନ୍ଦା ବିଭାଗକୁ ଖବର ମିଳିଛି । କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ଢ଼ାଲ୍ କରି ବିଜେଡ଼ିକୁ ବଦନାମ କରିବା ପାଇଁ ବିଜେପି କୁଆଡେ ହିଂସାକାଣ୍ଡର ଯୋଜନା କରିଛି । ବିଜେଡ଼ି କର୍ମୀଙ୍କୁ ତତାଇ ବ୍ୟାପକ ଗଣ୍ଡଗୋଳର ଜାଲ୍ ବିଛାଇଛି । ଗୁଇନ୍ଦା ସୂଚନା ମିଳିଲା ପରେ ଭୁବନେଶ୍ୱର ସମେତ ବିଭିନ୍ନ ଜାଗାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣେ ବିଜେପି ଯୋଜନା ଭଣ୍ଡୁର କରିବାକୁ ବିଜେଡି କର୍ମୀମାନେ ଛକାଛକିରେ ଥିବା ସୂଚନା ମିଳିଛି ।