ଭୁବନେଶ୍ୱର:“କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ସ୍କୁଲ, କଲେଜ ବନ୍ଦ ହେବା ସହିତ ଘରେ ରହି ଅଫିସ୍ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରଫେସନାଲ୍ ମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡ଼ିଶାକୁ ଫେରି ଆସିବାର ସମ୍ଭାବନା ରହିଛି । ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ହିଁ ସଂକ୍ରମଣର ପ୍ରମୁଖ କାରଣ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ମୂଳକ ଭାବେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ପାଇଁ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ କରାଯାଇଛି ।”
କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି । ବିଦେଶରୁ ଫେରୁଥିବା ବ୍ୟକ୍ତିମାନଙ୍କ ରେଜିଷ୍ଟ୍ରେସନ୍ କୁ ବାଧ୍ୟତାମୂଳକ କରାଯାଇଛି । ଆସିବାର ୨୪ ଘଣ୍ଟା ପୂର୍ବରୁ ନଚେତ୍ ଆସିବାର ୨୪ ଘଣ୍ଟା ମଧ୍ୟରେ ଏହି ରେଜିଷ୍ଟ୍ରେସନ୍ କରିବେ । ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି କିମ୍ବା ଅନଲାଇନ୍ ପୋର୍ଟାଲ୍ htpp://covid19.odisha.gov.in ରେ ସେମାନେ ରେଜିଷ୍ଟ୍ରେସନ୍ କରିପାରିବେ ।
ଆସନ୍ତାକାଲି ମଙ୍ଗଳବାର ସକାଳ ୬ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ କରିପାରିବେ । ମାର୍ଚ୍ଚ ୪ ପରେ ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି । ଅର୍ଥାତ୍ ୪୮ ଘଣ୍ଟା ମଧ୍ୟରେ ସେମାନେ ରେଜିଷ୍ଟ୍ରି କରିବାକୁ ବାଧ୍ୟ । ସେମାନଙ୍କ ତଥ୍ୟ ଆଧାରରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ । ଆବଶ୍ୟକତାକୁ ଚାହିଁ ନିଜ ଘରେ ବା ହସ୍ପିଟାଲ୍ ରେ ସେମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ହେବ । ରେଜିଷ୍ଟ୍ରେସନ୍ ଏବଂ ଘରୋଇ ଆଇସୋଲେସନ୍ ବ୍ୟବସ୍ଥା ପାଇଁ ସରକାରଙ୍କ ପକ୍ଷରୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହାର ନିଦେ୍ର୍ଦଶନାମା ଜାରି ହୋଇଛି । ଏହି ନିୟମ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆବଶ୍ୟକତାକୁ ଦେଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ । କେହି ନିୟମ ଉଲ୍ଲଂଘନ କଲେ ଆଇପିସି ଏବଂ ସିଆରପିସି ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ‘ଆପଣଙ୍କ ପଦକ୍ଷେପ ଆପଣଙ୍କୁ ରକ୍ଷା କରିବ..ଆପଣଙ୍କ ପରିବାର..ଆପଣଙ୍କ ପଡ଼ୋଶୀ ଏବଂ ରାଜ୍ୟକୁ ରକ୍ଷା କରିବ ବୋଲି ରାଜ୍ୟ ସରକାର ଅପିଲ୍ କରିଛନ୍ତି ।