ଭୁବନେଶ୍ୱର: ନବାଗତ ବିଧାୟକମାନଙ୍କୁ ଆଜି ନବୀନ ନିବାସ ଡାକି ସାଙ୍ଗରେ ବ୍ରେକଫାଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତର ପାଞ୍ଚ ଥରର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବୋଧହୁଏ ପ୍ରଥମ ଥର ପାଇଁ ନବୀନ ତାଙ୍କ ଘରେ ନବାଗତ ବିଧାୟକମାନଙ୍କ ପାଇଁ ଏଭଳି ଆୟୋଜନ କରିଥିଲେ । କିଛି ବରିଷ୍ଠ ବିଧାୟକ ଓ ଦଳୀୟ ନେତାଙ୍କୁ ମଧ୍ୟ ସେଠାକୁ ଆମନ୍ତ୍ରିତ କରାଯାଇଥିଲା । ତେବେ ଖାଲି ବ୍ରେକଫାଷ୍ଟ ନୁହେଁ, ଅସଲ କଥାଟି ହେଲା ବିଧାୟକଙ୍କୁ ନୈତିକତାର ପାଠ ପଢ଼ାଇଛନ୍ତି ନବୀନ । ସେମାନଙ୍କ ଆଚରଣ ଓ ଉଚ୍ଚାରଣ ନେଇ ଭଲ ଭାବେ ଟିଉସନ୍ କରିଛନ୍ତି ।
ଆଜି ସକାଳ ସାଢ଼େ ୧୦ଟା ବେଳେ ନବୀନ ନିବାସରେ ପହଞ୍ଚିବା ପାଇଁ ଦଳର ସବୁ ନବାଗତ ବିଧାୟକଙ୍କୁ ଗତକାଲିଠାରୁ ଡକରା ଯାଇଥିଲା । ସେହି ଅନୁଯାୟୀ ପ୍ରାୟ ୩୦ ଜଣ ବିଧାୟକ ଠିକ୍ ସମୟରେ ପହଞ୍ଚି ଯାଇଥିଲେ । ଭୁବନେଶ୍ୱରରେ ଅନୁପସ୍ଥିତ ଥିବା ଅବଶିଷ୍ଟ ବିଧାୟକ ପହଞ୍ଚି ନ ପାରିବାରୁ କ୍ଷମା ମାଗି ନେଇଥିଲେ । ବିଧାୟକମାନଙ୍କୁ ଆପ୍ୟାୟିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଟେଲରୁ ବ୍ରେକଫାଷ୍ଟ ପୁଡ଼ିଆ ମଗାଯାଇଥିଲା । ବିଧାୟକମାନେ ଯାଇ ବସିବା କ୍ଷଣି ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଟିଉସନ୍ ଆରମ୍ଭ କରିଥିଲେ । ବିଧାୟକମାନଙ୍କ କାନରେ ଫୁଙ୍କିଥିଲେ ନୈତିକତାର ଗୁରୁମନ୍ତ୍ର ।







