ଭୁବନେଶ୍ୱର: ବିଧାୟକଦଳକୁ ଅଣଦେଖା କରି ପାର୍ଟି ଅଫିସରେ ପ୍ରେସମିଟ୍ କରିବା ବିଜେପିକୁ ମହଙ୍ଗା ପଡିବାକୁ ଯାଉଛି । ‘ମିଡ-ଡେ ଓଡ଼ିଶା’ରେ ଏ ସମ୍ପର୍କିତ ଖବର ବାହାରିବା ପରେ ଦଳ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରଥମରୁ ନିଜର ଅସନ୍ତୋଷ ହାଇକମାଣ୍ଡଙ୍କୁ ଜଣାଇଥିଲେ ମଧ୍ୟ ତାହା ପାସଙ୍ଗରେ ପଡ଼ି ନ ଥିଲା । ମାତ୍ର ସହଯୋଗୀ ବିଧାୟକଙ୍କ ଅସନ୍ତୋଷ ତୀବ୍ର ହେବା ଦେଖି ସଭାପତି ବସନ୍ତ ପଣ୍ଡା ଏଥିରେ ହସ୍ତକ୍ଷେପ କରିଛନ୍ତି ।
ବିଧାନସଭା ଚାଲିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଧାୟକମାନେ ଗୃହରେ ଉତଥାପନ କରୁଛନ୍ତି । ଗଣମାଧ୍ୟମରେ ସେମାନେ ନିଜ କଥା ରଖୁଛନ୍ତି । ମାତ୍ର ସମାନ୍ତରାଳ ଭାବେ ପାର୍ଟି ଅଫିସରେ ପ୍ରେସ୍ ମିଟ୍ ଡାକି ଦଳୀୟ ନେତାମାନେ ସମାନ କଥା କହିବା ଦ୍ୱାରା ଲୋକଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯାଉଛି । ସେଥିସହ ବିଧାୟକମାନେ ନିଜକୁ ଅଣଦେଖା ବି ମନେ କରୁଛନ୍ତି । ଏହା ରୋକିବାକୁ ବିଧାୟକଦଳ ସଭାପତିଙ୍କ ହସ୍ତକ୍ଷେପ ଲୋଡିଥିବା ସୂଚନା ମିଳିଛି ।
ରାଜ୍ୟରେ ବିଜେପି ଫେସ୍ ବନିଥିବା ଅଣବିଧାୟକମାନେ ପାର୍ଟି ଅଫିସରେ ପ୍ରେସ୍ ମିଟ୍ କରି ବିଧାନସଭା ପ୍ରସଙ୍ଗ ଗାଇବା ଦ୍ୱାରା ଦଳୀୟ ବିଧାୟକମାନେ ଅପମାନିତ ମନେ କରୁଛନ୍ତି । ସେମାନଙ୍କର ଗାରିମା ନଷ୍ଟ ହେଉଛି ବୋଲି ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଦଳର ଅନ୍ୟ ଜଣେ ବରିଷ୍ଠ ନେତା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁସି କରାଇବା ପାଇଁ ତାଙ୍କ ବାହିନୀ ଉପରେ ପଡ଼ି ନିଜକୁ ଦେଖେଇ ହଉଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ନିଜର କାଟତି ଦେଖାଇ ଧର୍ମେନ୍ଦ୍ରଙ୍କୁ ଖୁସି କରାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏଥିରେ ଧର୍ମେନ୍ଦ୍ରଙ୍କର ଇସାରା ନ ଥିବା ସେ ସ୍ପଷ୍ଟ କରିଛନ୍ତି ।