ଭୁବନେଶ୍ୱର: ବୈଜୟନ୍ତଙ୍କ ପାଇଁ ଆଉ ବାଟ ନ ଥିଲା । ସାଂସଦ ଭାବେ ୪ ବର୍ଷ ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଆଉ ସମୟ ପୂରିବା ବେଳକୁ ଆଳ ରଖି ପଳେଇଲେ । ବିଜେଡ଼ି ବି ବୈଜୟନ୍ତଙ୍କୁ ବହିଷ୍କାର କରିବାକୁ ବୋଧେ ସାହାସ କରୁ ନ ଥିଲା । ଏମିତି ସମୟ ଆସିଲା ବୈଜୟନ୍ତଙ୍କୁ ଗୋଟେ ଆଳ ଛାଡ଼ିଦେଇ ଶେଷକୁ ବଦନାମ ବୋହିଲା । ବୈଜୟନ୍ତଙ୍କ ପାଇଁ ସହାନୁଭୂତି ଗୋଟାଇବାର ସୁଯୋଗ ଦେଇଦେଲା । ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଅତି ଲଜ୍ଜାହୀନ ହୋଇ କହିଲେ, ଏକାଦଶାହ କାମ ସରୁ । ପ୍ରତିକ୍ରିୟା ଦେବୁ ।
ବାସ୍ତବ କଥାଟି ହେଲା, ୨୦୧୪ ନିର୍ବାଚନ ପରଠୁ ବୈଜୟନ୍ତ କଣ୍ଟା ବାଡ଼ରେ ଲୁଗା ପକେଇ କଳି କଲା ଭଳି ନିଜ ଦଳ ବିଜେଡି ସହ କଳି କରୁଥିଲେ । ବିଜେଡ଼ି କଥାଟି ସତ ହୋଇଥିଲେ, ତାଙ୍କୁ ଲୋକସଭା ଫାଇନାନସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିଶ ନ କରିବାରୁ ତାଙ୍କର ରାଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଦଳ ଉପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ବୈଜୟନ୍ତ । ବିଜେଡ଼ି ସାଂସଦ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ତୁତିଗାନରେ ଲାଗିପଡ଼ିଲେ । କଥାକଥାକେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଉପରକୁ ଅଙ୍ଗୁଳି ଉଠାଇ ଚାଲିଲେ । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ଦଳୀୟ ବିଧାୟକଙ୍କୁ ସାଙ୍ଗରେ ନ ନେଇ ନିଜ ପାଇଁ ସ୍ୱତନ୍ତ୍ର ବଳୟ ସୃଷ୍ଟି ଉଦ୍ୟମରେ ରହିଲେ । ବିଜେଡ଼ିର ସାଂସଦ ହୋଇ ଦଳୀୟ ଶୃଙ୍ଖଳା ଭିତରେ ନିଜକୁ ରଖିଲେନି । ଏକଥା ସମସ୍ତେ ଜାଣନ୍ତି ।
ବୈଜୟନ୍ତଙ୍କ ଏଭଳି କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ବିଜେଡ଼ି ବି ପଛେଇ ନାହିଁ । ଗତବର୍ଷ ମେ ମାସରେ ମାହାଙ୍ଗାରେ ଦଳୀୟ କର୍ମୀଙ୍କ ପକ୍ଷରୁ ତାଙ୍କୁ ବିରୋଧ କରି ହୋଇଥିବା ଅଣ୍ଡାମାଡ଼ ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି କୁହାଯିବ । ଖାଲି ସେତିକି ନୁହେଁ, ଏହି ଘଟଣାର ୩ ମାସ ପରେ ତାଙ୍କ ଉପରେ ପ୍ରଥମ ଦଳୀୟ ଖୁୁର୍ ଲାଗିଥିଲା । ଅଗଷ୍ଟ ମାସରେ ସଂସଦୀୟ ଦଳର ମୁଖପାତ୍ର ପଦରୁ ତାଙ୍କୁ ହଟାଇ ଦିଆଗଲା । ବୈଜୟନ୍ତ ଦଳ ପାଇଁ ଅଲୋଡ଼ା ହୋଇଥିବା ସେବେଠୁଁ ସେ ଜାଣିଯିବା ଉଚିତ ଥିଲା । ହେଲେ ତାଙ୍କୁ ବାଧିଲା ନାହିଁ । ନିଜ ସ୍ୱାଭିମାନ ଓ ଅହଂକାରକୁ ତାହା ସଂକ୍ରମିତ କଲା ନାହିଁ । ଓଲଟି ଦଳରେ ରହି ଅଧିକ ପ୍ରତି ହିଂସାପରାୟଣ ହେଲେ । ତାଙ୍କ ଦଳୀୟ ବିରୋଧୀ ଆଚରଣରେ ଅତିଷ୍ଠ ହୋଇ ଗତ ଜାନୁଆରୀ ୨୪ ତାରିଖରେ ବିଜେଡ଼ି ସଭାପତି ତାଙ୍କୁ ନିଲମ୍ବନ କଲେ ।
ପରେ ପରେ ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ତାଙ୍କ ସଂସଦୀୟ କ୍ଷେତ୍ରର ବିଧାୟକମାନେ । ମାତ୍ର ବୈଜୟନ୍ତଙ୍କୁ ତାହା ବାଧିଲା ନାହିଁ । ଓଲଟି ଜିଦ୍ କଲା ଭଳି ଯୁଦ୍ଧ କରିଚାଲିଲେ । ମୁଖ୍ୟମନ୍ତ୍ରୀଙ୍କୁ ହାତ ନ ମାରି ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ଉପରେ ଆକ୍ରମଣକୁ ଆହୁରି ପ୍ରଚଣ୍ଡ କଲେ । ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍ ବାଟରେ ନିଆଯାଉଛି ଏବଂ ପାଣ୍ଡିଆନ୍ ଙ୍କ ଇଙ୍ଗିତରେ ତାଙ୍କ ବିରୋଧରେ ଚକ୍ରାନ୍ତ ଚାଲିଛି ବୋଲି ଟୁଇଟ୍ ବର୍ଷା କରିଚାଲିଲେ । ଖାଲି ସେତିକି ନୁହେଁ ତାଙ୍କ ଟିଭିକୁ ବି ବିଜେଡ଼ି ଓ ପାଣ୍ଡିଆନ୍ ଙ୍କ ବିରୋଧରେ ସମ୍ପୂର୍ଣ୍ଣ ଲଗାଇଦେଲେ । ସେଥିପାଇଁ ବିଜେଡ଼ି ତାଙ୍କ ଟିଭିକୁ ବୟକଟ୍ ଘୋଷଣା କଲା । ମାତ୍ର ତାହା ବୈଜୟନ୍ତଙ୍କୁ ଅପମାନିତ କଲାନି କି ତାଙ୍କୁ ବାଧିଲାନି । ପରେ ପରେ ତାଙ୍କ ବିରୋଧରେ କୋର୍ଟରେ ମିଥ୍ୟା ସତ୍ୟପାଠ ମାମଲା, ଥେରୁବାଲି ଇମ୍ଫା କାରଖାନାରେ ଶ୍ରମିକ ଆନ୍ଦୋଳନ, ବ୍ରହ୍ମପୁର ଓରଟେଲ୍ ଅଫିସରେ ତାଲା, ଭୁବନେଶ୍ୱର ଓରଟେଲ୍ ଅଫିସ ସାମ୍ନାରେ ଧାରଣା ଆଦି ହେଲା । ଏହା ପଛରେ ତୃତୀୟ ମହଲାର ଇଙ୍ଗିତ ଥିବା ବୈଜୟନ୍ତ କହି ବୁଲିଲେ । ଏସବୁକୁ ସରକାରୀ ପ୍ରାୟୋଜିତ ଆନ୍ଦୋଳନ ବୋଲି କହିଲେ । ମାତ୍ର ସେଥିରେ ଅପମାନିତ ହୋଇ ଦଳ ଛାଡ଼ିବାକୁ ତାଙ୍କ ମନ ବାଧିଲାନି ।