ଭୁବନେଶ୍ୱର: ବିଜେଡ଼ିରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ଦମଦାର ଚର୍ଚ୍ଚା । ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ନେତାମାନେ ନ ଯିବାକୁ ଅନେକ ସମାଲୋଚନା କରୁଥିବା ବେଳେ ପରଲୋକଗତ ବାପାଙ୍କ ନାଁରେ ସମବେଦନା ତୋଳିବା ପାଇଁ ବୈଜୟନ୍ତଙ୍କ ଚାଲାକିକୁ ମଧ୍ୟ କଟାକ୍ଷ କରୁଛନ୍ତି । ଏଭଳି ଏକ ଗମ୍ଭୀର ଓ ସମ୍ବେଦନଶୀଳ ପ୍ରସଙ୍ଗ ଭିତରୁ ବୈଜୟନ୍ତଙ୍କ ‘ବିଜୁ ଅଙ୍କଲ’ ଡାକରା ଚର୍ଚ୍ଚାର ମନୋରଂଜନ ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ତାଙ୍କ ପରିବାର ସହ ‘ବିଜୁ ଅଙ୍କଲ’ ଙ୍କ ନିବିଡ଼ତା ମନେ ପକାଇଛନ୍ତି ବୈଜୟନ୍ତ । ଶେଷ ଜୀବନରେ ‘ବିଜୁ ଅଙ୍କଲ୍’ ତାଙ୍କ ରାଜନୈତିକ କାର୍ଯ୍ୟକଳାପରେ କିଭଳି ତାଙ୍କୁ ସାମିଲ କରିଥିଲେ ତାହା ମଧ୍ୟ ମନେ ପକାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଖାଲି ଚିଠିରେ ଏହା ଜଣାଇ ନାହାନ୍ତି, ବରଂ ସୋସିଆଲ୍ ମିଡ଼ିଆରେ ‘ବିଜୁ ଅଙ୍କଲ୍’ ଙ୍କ ସହ ତାଙ୍କ ପରିବାରର ନିବିଡ଼ତା ଦେଖାଇବାକୁ ଯାଇ ଅନେକ ଫଟୋ ପୋଷ୍ଟ କରିଛନ୍ତି । ସୁତରାଂ ନିଜର ପରଲୋକଗତ ବାପାଙ୍କ ନାଁରେ ବୈଜୟନ୍ତ ଲୋକଙ୍କଠାରୁ ସମବେଦନା ସାଉଁଟିବାକୁ ଏସବୁ ନାଟକ/ବଦମାସି କରିଥିବା କୁହାଗଲାଣି । ନବୀନ କୁଆଡ଼େ ତାଙ୍କର ମଉସା ପୁଅ ଭାଇ ।
ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡ଼ିରୁ ନିଲମ୍ବିତ ବୈଜୟନ୍ତ ପଣ୍ଡାଙ୍କର ଏହା ଆଉ ଏକ ବଡ଼ ରାଜନୈତିକ ଚାଲ୍ । ବାପାଙ୍କ ମୃତ୍ୟୁରୁ ସେ ବିଜେଡ଼ି ଦମନ ଅସ୍ତ୍ର ଖୋଜିଛନ୍ତି । ସମସ୍ତେ ଜାଣନ୍ତି, ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ସହ ତାଙ୍କର ସମ୍ପର୍କ କେବେଠୁଁ ତୁଟିସାରିଛି । ତାଙ୍କ ବାପାଙ୍କ ଶେଷ ଦର୍ଶନ ପାଇଁ କିଏ ଆସିବେ ନ ଆସିବେ ଏହା ସେମାନଙ୍କ ବିବେକାନୁମୋଦିତ ନିଜସ୍ୱ ନିଷ୍ପତ୍ତି । ନିଜକୁ ବିଜୁବାବୁଙ୍କ ପାରିବାରିକ ବନ୍ଧୁ ଦର୍ଶାଇ ତାଙ୍କ ପୁଅଙ୍କଠାରୁ ଜବରଦସ୍ତ ସୌଜନ୍ୟତା ଦାବି କରିବା ନିହାତି ହାସ୍ୟାସ୍ପଦ । ଏକଥାରେ ବାହାର ଲୋକ ସମାଲୋଚନା କଲେ ସୁନ୍ଦର । ହେଲେ ନିଜେ ସୌଜନ୍ୟତା ଦାବି କଲେ ଲୋକ ଟାହିଟାପରା କରିବେ । ବୈଜୟନ୍ତଙ୍କ କ୍ଷେତ୍ରରେ ସେୟା ହିଁ ଘଟିଛି । ନିଜ ବାପାଙ୍କ ମୃତ୍ୟୁର ସମବେଦନାକୁ ରାଜନୀତି ସହ ଯୋଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଆବେଗଭରା ଚିଠି ଲେଖି ଲୋକଙ୍କ ଆବେଗ ସାଉଁଟିବାକୁ ଉଦ୍ୟମ କରିଛନ୍ତି ।
ନିଜ ନାଁ ଗୋପନ ରଖିବା ସର୍ତ୍ତରେ କିଛି ବରିଷ୍ଠ ସାମ୍ବାଦିକ ଓ ରାଜନୈତିକ ସମୀକ୍ଷକ କହିଛନ୍ତି, ଅତୀତରେ ବିଜୁବାବୁଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା ପଣ୍ଡା ପରିବାର ଉଭୟ ବ୍ୟବସାୟିକ ଓ ରାଜନୈତିକ କ୍ଷେତ୍ରରେ ଯଥେଷ୍ଟ ଫାଇଦା ନେଇଛନ୍ତି । ବିଜୁବାବୁଙ୍କ ମୃତ୍ୟୁ ପରେ ପୁଅ ନବୀନ ପଟ୍ଟନାୟକ ମଧ୍ୟ ପଣ୍ଡା ପରିବାରକୁ ସହୃଦୟତାର ହାତ ବଢ଼ାଇଛନ୍ତି । ବ୍ୟବସାୟରୁ ରାଜନୀତିକୁ ଆସିଥିବା ବୈଜୟନ୍ତଙ୍କୁ ଦୁଇ ଦୁଇ ଥର ରାଜ୍ୟସଭା ପଠାଇଛନ୍ତି । ଦୁଇ ଦୁଇ ଥର ଲୋକସଭା ଟିକେଟ ଦେଇ ଜିତାଇଛନ୍ତି । ଏହା ସାଙ୍ଗରେ ତାଙ୍କ ପରିବାରର ବ୍ୟବସାୟକୁ ଯଥେଷ୍ଟ ଫାଇଦା ଦେଇଛନ୍ତି । ୨୩୦୦ କୋଟିର ଋଣ ଛାଡ଼ଠାରୁ ଆରମ୍ଭ କରି ପଣ୍ଡା କାରଖାନାର ପାଣି, ବିଜୁଳି ବିଲ୍ କୁ ଆଖି ବୁଜିଦେଇଛନ୍ତି । ହେଲେ ପ୍ରତିଦାନରେ ନବୀନଙ୍କୁ ବୈଜୟନ୍ତ ଦେଇଛନ୍ତି ଲାଂଛନା, ଅପବାଦ । ଏପରିକି ନିଜର ରାଜନୈତିକ ଉଚ୍ଚାଭିଳାଷ ରଖି ନବୀନ ଅସୁସ୍ଥ ବୋଲି ଗୁଜବ ତିଆରି କରିଥିଲେ । ଖୋଦ୍ ତାଙ୍କର ଜଣେ ବିଶ୍ୱସ୍ତ ସହଯୋଗୀ ଦେବୁ ମଲ୍ଲିକ ଏହା ଖୋଲିଦେବା ପରେ ବୈଜୟନ୍ତ ଯେ କେତେ ମାରାତ୍ମକ ତାହା ପଦାରେ ପଡ଼ିଥିଲା ।