ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ବ୍ଲୁ ସିଡିରେ ରହିଥିବା ବ୍ୟକ୍ତିଜଣଙ୍କ ସେ ନୁହଁନ୍ତି ବୋଲି ମେୟର ଅନନ୍ତ ନାରାୟଣ ଜେନା ଦାବି କରି ଆଇନ ଓ ଆଇନ ବାହାର ଲଢ଼େଇକୁ ଓହ୍ଲେଇଥିବା ବେଳେ ସଂପୃକ୍ତା ମହିଳାଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ନିର୍ଦ୍ଦିଷ୍ଟ ଭିଡ଼ିଓ କ୍ଲିପିଂରେ ଦୁଇ ଦୁଇ ପୁରୁଷଙ୍କ ସହ ଆପତ୍ତିଜନକ ଦୃଶ୍ୟରେ ଥିବା ଏହି ମହିଳାଙ୍କ ସମ୍ପର୍କରେ ଗଣମାଧ୍ୟମ ଖୋଳତାଡ଼ ଆରମ୍ଭ କରିଛନ୍ତି । ତେବେ ମହିଳାଜଣଙ୍କ କେଉଁଆଡେ ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି ।
ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ଚେହେରା ଓ ବେଶଭୂଷାରେ ଆଭିଜାତ୍ୟସମ୍ପନ୍ନ ଦେଖାଯାଉଥିବା ସମ୍ପୃକ୍ତ ମହିଳା ବାସ୍ତବରେ ସେୟା ନୁହଁନ୍ତି । ଗୃହିଣୀ ଆଉ ଛୋଟକାଟିଆ ନେତ୍ରୀ । ସ୍ୱାମୀ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ପିଅନ ଚାକିରି କରିଛନ୍ତି । ୟୁନିଟ୍-୮ରେ ଏକ ସରକାରୀ କ୍ୱାଟର ପାଇଛନ୍ତି ସେ । ୧୯୯୭ ମସିହାରୁ ଏହି କ୍ୱାଟରରେ ପରିବାର ସହ ରହୁଥିଲେ ମଧ୍ୟ ଏବେ ରହୁନାହାନ୍ତି । ଶିରିଡ଼ ସାଇଙ୍କର ପରମ ଭକ୍ତ ଏହି ଦମ୍ପତ୍ତିଙ୍କ ଝିଅ ଆଇନ ଡିଗ୍ରୀ ପଢ଼ୁଛନ୍ତି । ଏହି ଝିଅ ହିଁ ନିଜ ବାପାମାଆଙ୍କର କେଳେଙ୍କାରୀକୁ ବୟଫ୍ରେଣ୍ଡ ଋଷିଙ୍କ ସହାୟତାରେ କ୍ୟାମେରାରେ ଧରିଥିବା କୁହାଯାଉଛି । ସଂଯୋଗ ହେଉ କି ଦୁର୍ଯୋଗ ହେଉ, ସଂପୃକ୍ତା ମହିଳାଙ୍କ ଫେସ୍ ବୁକ୍ ଆକାଉଣ୍ଟ ଫ୍ରେଣ୍ଡଲିଷ୍ଟର ପ୍ରଥମରେ ଅଛନ୍ତି ମେୟର । ତେବେ ଘଟଣା ସମ୍ପର୍କରେ ଗଣମାଧ୍ୟମ ପକ୍ଷରୁ ଏହି ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ମାଆଝିଅଙ୍କର ଖୋଜଖବର ମିଳୁନାହିଁ ।
ତେବେ ସେ ଯାହା ହେଉ, ମେୟରଙ୍କ ସଂପୃକ୍ତି ଅଭିଯୋଗ ଉଠିଥିବା ବିବାଦୀୟ ସେକ୍ସ ସିଡ଼ି ଏବେ ପୁଲିସ ଓ କୋର୍ଟର ବିଚାର ପରିସରକୁ ଚାଲିଯାଇଛି । ଏଥିସହ ଋଷି ମୃତ୍ୟୁ ମାମଲାର ରିଓପନ୍ ପାଇଁ ତାଙ୍କ ପରିବାର ଆବେଦନ କରିବେ ବୋଲି ସୂଚନା ଦେଲେଣି । ଏଭଳି ସମ୍ବେଦନଶୀଳ ମାମଲାର ସତ୍ୟାସତ୍ୟକୁ ଏବେ ସମସ୍ତଙ୍କ ଅପେକ୍ଷା ।