ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଯୌନ କେଳେଙ୍କାରୀରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଲା ପରେ ମୁଖ୍ୟମନ୍ତ୍ରୀ ବିବ୍ରତ ହୋଇପଡ଼ିଛନ୍ତି । ଖୁବ ଶୀଘ୍ର ଏହା ଉପରେ ମୁଖ୍ୟମନ୍ତ୍ରୀ କଠୋର ପଦକ୍ଷେପ ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ସେକ୍ସ ସିଡ଼ିର ସମ୍ପୂର୍ଣ୍ଣ ଯାଞ୍ଚ ପର୍ଯ୍ୟନ୍ତ ଅପେକ୍ଷା ନ କରି ଅନନ୍ତଙ୍କୁ ମେୟର ପଦରୁ ହଟାଇ ଦେଇପାରନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ବିଚାର କରୁଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ମେୟରଙ୍କ ବିରୋଧରେ ଆସିଥିବା ଯୌନ କେଳେଙ୍କାରୀର ସତ୍ୟତା ଥାଉ କି ନ ଥାଉ ହେଲେ ଦଳକୁ ଯେ ଭୀଷଣ କ୍ଷତିଗ୍ରସ୍ତ କରୁଛି ମୁଖ୍ୟମନ୍ତ୍ରୀଙ୍କର ଅନୁଭବ ହୋଇଛି ।
ସେପଟେ ମେୟର ନିଜକୁ ବଞ୍ଚାଇବା ପାଇଁ ନିଜ ସମର୍ଥକଙ୍କୁ ଧରି ରାଜରାସ୍ତାରେ ନାରାବାଜି କରିବା ଦଳର ଅନେକ ବରିଷ୍ଠ ନେତାଙ୍କୁ ହଜମ ହୋଇନାହିଁ । ଦଳୀୟ ଶୃଙ୍ଖଳାର ଏହା ପରିପନ୍ଥୀ ବୋଲି ସେମାନେ ମନେ କରୁଛନ୍ତି । ଦଳର ବିନା ଅନୁମତିରେ ଗୁରୁବାର ରାତିରେ କ୍ୟାପିଟାଲ୍ ଥାନା କବଜା କରି ମେୟର, କର୍ପୋରେଟର ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯେଭଳି ନାରାବାଜି କଲେ ମୁଖ୍ୟମନ୍ତ୍ରୀଙ୍କୁ ତାହା ମଧ୍ୟ କ୍ଷୁବ୍ଧ କରିଛି । ଏତିକିବେଳେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସଂପୃକ୍ତ ସେକ୍ସ ସିଡ଼ି ଉପରେ ଦଳ ପକ୍ଷରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି ଏବଂ ମେୟରଙ୍କ ସଂପୃକ୍ତିର ଠୋସ୍ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତୃତୀୟ ମହଲା ଅନୁମୋଦିତ ମୁଖପାତ୍ରଙ୍କ ଏହି ବୟାନରେ ମେୟରଙ୍କ ଭବିଷ୍ୟତ ବିପଦର ସ୍ପଷ୍ଟତା ବାରିହୋଇପଡ଼ିଛି ।
ସୂଚନାଯୋଗ୍ୟ, ସେକ୍ସ ସିଡ଼ିରେ ରହିଥିବା ବ୍ୟକ୍ତିଜଣଙ୍କ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ବୋଲି ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି କହିବା ପରେ ରାଜନୈତିକ ଝଡ ବୋହିବା ଆରମ୍ଭ କରିଛି । କଂଗ୍ରେସ ଓ ବିଜେପି ମେୟରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲା ବେଳେ ସିଡି ପ୍ରସାରଣକାରୀ ନ୍ୟୁଜ୍ ୱେବ୍ ନିଆଁଖୁଣ୍ଟା. କମ୍ ମୁଖ୍ୟ ପ୍ରଦୀପ ପାଣ୍ଡେ ଓ ଇତିଶ୍ ପ୍ରଧାନଙ୍କ ବିରୋଧରେ ମେୟର କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି । କୋର୍ଟରେ ୧ କୋଟି ଟଙ୍କାର ମାନହାନି ମକଦ୍ଦମା ବି କରିଛନ୍ତି । ସେପଟେ ପ୍ରଦୀପ ପାଣ୍ଡେ ଓ ଇତିଶ୍ ପ୍ରଧାନଙ୍କୁ ପୁଲିସ ନୋଟିସ୍ ଦେବା ପରେ ସେମାନେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବାର ଦମ୍ଭ ଦେଖାଇବା ଘଟଣାକୁ ସଙ୍ଗୀନ ମୋଡ ଦେଇଛି । ବ୍ଲୁ ସିଡ଼ିରେ ଥିବା ଲୋକ ସେ ନୁହଁନ୍ତି ବୋଲି ମେୟରଙ୍କ ଦମ୍ଭର ଜବାବ ଦେବା ପାଇଁ ଉଭୟ ପ୍ରସ୍ତୁତ ବୋଲି ଜଣାଇ ଦେଇଛନ୍ତି । ତେବେ ତଦନ୍ତର ଫଳ କ’ଣ ହେବ ତାକୁ ସମସ୍ତେ ଅପେକ୍ଷା କରିଥିଲା ବେଳେ ମେୟରଙ୍କ ରାଜନୈତିକ ଭବିଷ୍ୟତ ନେଇ ଅଙ୍କକଷା ଆରମ୍ଭ ହୋଇଛି ।