ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଋଷିଙ୍କ ମୃତ୍ୟୁ ପଛରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଅଭିଯୋଗକୁ ଦାନା ଧରେଇଛନ୍ତି ଋଷିଙ୍କ କଲେଜ ସାଙ୍ଗ । ଏକ ଘରୋଇ ଟିଭିରେ ସେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସିଡ଼ିରେ କଏଦ ହୋଇଥିବା ଲୋକଟି ମେୟର ଅନନ୍ତ ଜେନା ଓ ସେହି ମହିଳାଜଣଙ୍କ ତାଙ୍କ ବନ୍ଧୁ ଋଷିଙ୍କ ପ୍ରେମିକାର ବୋଉ ବୋଲି କହିଛନ୍ତି । ତୃତୀୟ ଲୋକଟି ପ୍ରେମିକାର ବାପା ବୋଲି କହିଛନ୍ତି । ବର୍ଷକ ତଳେ ଋଷିଙ୍କ ପ୍ରେମିକା ଘର ବେଡରୁମ୍ ରେ ଏହି ଦୃଶ୍ୟର ରେକର୍ଡିଂ କରାଯାଇଥିଲା । ନିଜେ ଋଷି ଓ ତାଙ୍କ ପ୍ରେମିକା ଗୋପନ କ୍ୟାମେରା ଲଗାଇ ଏହା ରେକର୍ଡିଂ କରିଥିଲେ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଋଷି ତାଙ୍କୁ ସବୁକଥା କହିଥିଲେ ଏବଂ ସିଡ଼ିଟି ଦେଖାଇଥିଲେ । ଏହା ଶତ ପ୍ରତିଶତ ସତ ବୋଲି ଋଷିଙ୍କ ସାଙ୍ଗ କହିଛନ୍ତି । ନିରପେକ୍ଷ ଅନୁସନ୍ଧାନ ହେଲେ ସେ ତାଙ୍କର ବୟାନ ରଖିବେ, ଡରିବେ ନାହିଁ ବୋଲି କହିଛନ୍ତି ।
ସେପଟେ ଋଷିଙ୍କ ମାଆ ଗଣମାଧ୍ୟମକୁ ଦେଇଥିବା ବୟାନ ବି ମେୟରଙ୍କ ଭୂମିକାକୁ ଆହୁରି ସନ୍ଦେହଘେରକୁ ଟାଣିଛି । ସେ କହିଛନ୍ତି, ତାଙ୍କ ଭାଇ(ଋଷିଙ୍କ ମାମୁଁ) ମେୟରଙ୍କ ସାଙ୍ଗ ବୋଲି ସେ ଜାଣନ୍ତି । ତେବେ ପୁଅର ମୃତ୍ୟୁ ସହ ତାଙ୍କର କ’ଣ ସମ୍ପର୍କ ସେ କହିପାରିବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଖୋଳତାଡ଼ରୁ ଏ ନେଇ ଆହୁରି ବିସ୍ଫୋରକ ତଥ୍ୟ ମିଳିଛି । ବିଏମସିରେ ନିମାପଡ଼ା ଅଞ୍ଚଳର ରାଜୁ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଠିକାଦାର କରନ୍ତି । ବିଏମସିର ସବୁ ବଡ଼ ଠିକାଦାରୀ କାମ ସେ କରନ୍ତି । ମେୟରଙ୍କ ସାଙ୍ଗରେ ତାଙ୍କର ଅତି ନିବିଡ଼ ସମ୍ପର୍କ । ମେୟରଙ୍କ ଭଲ ମନ୍ଦ ଯାବତୀୟ ଦାୟିତ୍ୱ ବୁଝନ୍ତି ରାଜୁ ମଲ୍ଲିକ । ଏହି ରାଜୁ ମଲ୍ଲିକ ହେଉଛନ୍ତି ମୃତ ଋଷିଙ୍କର ମାମୁଁ । ତେବେ ଋଷିଙ୍କ ମୃତ୍ୟୁ ପଛରେ ମେୟରଙ୍କ ଭୂମିକା ନେଇ ଉଠିଥିବା ଅଭିଯୋଗ ଓ ଏବେ ତାଙ୍କ ମାମୁଁ ରାଜୁଙ୍କ ସହ ମେୟରଙ୍କ ନିବିଡ଼ ସମ୍ପର୍କ ଭିତରେ ଘଟଣାଟି ଆହୁରି ରହସ୍ୟାବୃତ୍ତ ହୋଇଛି । ପୁଲିସ ଏ ସବୁ ଦିଗରୁ ଅନୁସନ୍ଧାନ କରିବାକୁ ଦାବି ହେଉଛି ।