ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଯୌନ କେଳେଙ୍କାରି ଫାସରେ ପଡ଼ିଥିବା ମେୟର ଅନନ୍ତ ନାରାୟଣ ଜେନା ନିଜକୁ ସ୍ୱଚ୍ଛ ଦେଖାଇବା ପାଇଁ ଗୋଟେଇ ଗାଟେଇ ଯେତେ ପାରୁ ମିଛ କହୁଛନ୍ତି । ଅବାଟରେ ନିଜେ ଯାଉଛନ୍ତି ଏବଂ ସମର୍ଥକଙ୍କୁ ନେଉଛନ୍ତି । ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମେୟର କିଭଳି ସାଂଘାତିକ ମିଛ କହନ୍ତି ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିପାରନ୍ତି ତାହାର ଏକ ନିଚ୍ଛକ ଉଦାହରଣ ସାମନାକୁ ଆସିଛି ।
ସେକ୍ସ ସିଡିର ନାୟକ ମେୟର ଶ୍ରୀ ଜେନା ବୋଲି ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଅଭିଯୋଗ ଆଣିବାର କେଇଁ ଘଣ୍ଟା ପରେ ମେୟର ନିଜ ସମର୍ଥକଙ୍କୁ ଧରି ବେଶ୍ ତୁମ୍ବିତୋଫାନ କରିଥିଲେ । କିନ୍ନର ଓ ଆଲବମ୍ ହିରୋଇନ୍ ଙ୍କୁ ଆଗରେ ରଖି କ୍ୟାପିଟାଲ୍ ଥାନାକୁ ୪ ଘଣ୍ଟା କାଳ କବଜାରେ ରଖଥିିଲେ । ତାଙ୍କର ମାନହାନି ହୋଇଥିବା ଅଭିଯୋଗ କରି ନିଆଁଖୁଣ୍ଟା ଡଟ୍ କମ୍ ମୁଖ୍ୟ ପ୍ରଦୀପ ପାଣ୍ଡେ ଓ ଛାତ୍ରକଂଗ୍ରେସ ସଭାପତି ଇତିଶ୍ ଙ୍କ ବିରୋଧରେ କୋଟିଏ ଟଙ୍କାର ମାନହାନି ମକଦ୍ଦମା ଘୋଷଣା କଲେ । ସବୁ ଟିଭି ସାମନାରେ ମେୟର ଏକଥା କହିଲେ । ପରଦିନ ସିଭିଲ୍ ଜଜ୍(ସିନିୟର ଡିଭିଜନ)ଙ୍କ କୋର୍ଟରେ ମାନହାନି ମକଦ୍ଦମା ରୁଜୁ କଲାବେଳେ ବି ସେଇ କୋଟିଏ ଟଙ୍କା କଥା ଗଣମାଧ୍ୟମକୁ କହିଲେ । ମାତ୍ର କୋର୍ଟ ଦେଇଥିବା ଅନ୍ତରୀଣ ରହିତାଦେଶ ଅର୍ଡର କପିରୁ ମେୟରଙ୍କ ଡାହା ମିଛ ଧରାପଡ଼ିଛି । ମେୟର କୋଟିଏ ନୁହେଁ ବରଂ ୧ ଲକ୍ଷ ୧୦ ହଜାର ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି । ତାହାପୁଣି ପ୍ରଦୀପ ପାଣ୍ଡେ, ଇତିଶ୍ ପ୍ରଧାନ ଓ ୫ ଟି ଟିଭି ଚାନେଲ ବିରୋଧରେ । ଅର୍ଥାତ୍ ପ୍ରତ୍ୟେକଙ୍କ ବିରୋଧରେ ପ୍ରାୟ ୧୫ ହଜାର ଟଙ୍କାର ମାନହାନି ମକଦ୍ଦମା । ମକଦ୍ଦମାର କୋର୍ଟ ଫି ବାବଦକୁ ମେୟର ୫ ହଜାର ଟଙ୍କା ଦାଖଲ କରିଛନ୍ତି ।
ତେବେ ଏହି ସତ୍ୟକୁ ମେୟର ମହାଶୟ ଗଣମାଧ୍ୟମ ଓ ସାଧାରଣରେ ଲୁଚାଇବାର ଉଦେ୍ଦଶ୍ୟ କ’ଣ ? କ’ଣ ପାଇଁ କୋଟିଏ ଟଙ୍କାର ମିଛ କହିଛନ୍ତି ମେୟର? ଏତେ ବଡ଼ ମିଛ କହିବାକୁ ସାହାସ କଲେ କେମିତି ? ଲୋକଙ୍କୁ ଏଭଳି ଭୂଆଁ ବୁଲାଇବା ପଛରେ ରହସ୍ୟ କ’ଣ ? ଏକଥା ଜାଣିଲା ପରେ ସାଧାରଣରେ ମେୟରଙ୍କ ପ୍ରତି ବିଶ୍ୱାସନୀୟତା ରହିବ ତ ? ରବିବାର ଦିନ ମେୟର କୋର୍ଟ ଅନ୍ତରୀଣ ରହିତାଦେଶ ଶୁଣାଇବାକୁ ଯେଭଳି ସାମ୍ବାଦିକ ସମ୍ମିଳନୀ କଲେ ଏବଂ ବିଶ୍ୱବିଜୟୀର ସନ୍ତର୍ପଣ କଲେ ତାହା ସମଗ୍ର ଓଡ଼ିଶାବାସୀଙ୍କୁ ଲଜ୍ଜିତ କରିଛି । କୋର୍ଟ ଏମିତି କିଛି କହିନାହାନ୍ତି ଯାହା ମେୟରଙ୍କ ପାଇଁ ଐତିହାସିକ ହୋଇଛି । ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ମେୟରଙ୍କର ଏଭଳି ଆଚରଣ ଜାଣିବାଶୁଣିବା ଲୋକଙ୍କ ଆଗରେ ଲୋକହସା ହୋଇଛି । ଏଭଳି ସମ୍ବେଦନଶୀଳ ମାମଲାରେ ମେୟର ଯେଭଳି ମିଛ କହୁଛନ୍ତି ତାହା ତାଙ୍କର ସ୍ୱଚ୍ଛତା ଓ ବିଶ୍ୱନୀୟତା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଛି ।