ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା
ଭୁୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁତ୍ ହୋଇ ବଢ଼ିଯାଇଛି । ଆଜି ରାତିରେ ଆଉ ୧୧ ଜଣଙ୍କର କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିଛି । ଏହି ୧୧ ଜଣଙ୍କୁ ମିଶାଇ ଆଜି ଦିନରେ(ଶୁକ୍ରବାର) ୧୫ ଜଣ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଛି ।
ଆଜି ରାତିରେ ଚିହ୍ନଟ ୧୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ପତ୍ନୀ, ଝିଅ ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ୫ ଜଣ ଲୋକ । ଅର୍ଥାତ୍ ଦଳବେହେରାଙ୍କ ଘରୁ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧ ତାରିଖରେ ପ୍ରଦୀପ୍ତ ଦଳବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ ।
କରୋନା ଆକ୍ରାନ୍ତ ଅନ୍ୟମାନଙ୍କ ମଧ୍ୟରେ ପୁରୀରୁ ଜଣେ, ଯାଜପୁରରୁ ଜଣେ ଏବଂ ଭଦ୍ରକରୁ ଦୁଇ ଜଣ ଅଛନ୍ତି । ପୂର୍ବରୁ ସକାଳେ କଟକରୁ ଜଣେ ଏବଂ ସଂଧ୍ୟାରେ ଭୁବନେଶ୍ୱର ବମିଖାଲ ଅଞ୍ଚଳର ତିନି ଜଣ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ଅର୍ଥାତ ଆଜି ଦିନରେ କେବଳ ୧୦ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରୁ ମୋଟ ୧୪ ଜଣ ଚିହ୍ନଟ ହୋଇଛନ୍ତି ।