ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଫ୍ରାନ୍ସ ନିର୍ମିତ ରାଫେଲ୍ ଏବେ ଭାରତୀୟ ବାୟୁସେନାର ଲଢ଼ୁଆ ସୈନିକ । ଦୀର୍ଘ ୭୦୦୦ କିମି ଉଡ଼ାଣ ପରେ ଭାରତ ମାଟି ଛୁଇଁଛନ୍ତି ୫ଟି ଫାଇଟର୍ ଜେଟ୍ ରାଫେଲ୍ । ଆଜି ଅପରାହ୍ନ ପ୍ରାୟ ୩.୧୫ ମିନିଟ୍ ରେ ହରିଆନାର ଅମ୍ବାଲା ଏୟାର ଫୋର୍ସ ବେସ୍ ରେ ଅବତରଣ କରାଯାଇଛି ।
ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର୍ କୁହାଯାଉଥିବା ଏହି ଶକ୍ତିଶାଳୀ ଯୁଦ୍ଧ ବିମାନକୁ ପାଇ ସାରା ଦେଶରେ ଖୁସି ଓ ଉତ୍ସାହ ର ଲହରୀ ଖେଳିଯାଇଛି । ଭାରତୀୟ ପ୍ରତିରକ୍ଷା ଇତିହାସରେ ଏକ ନୂଆ ଯୁଗର ଆରମ୍ଭ ହେଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରିଛନ୍ତି । ଅମ୍ବଲା ଏୟାର ବେସ୍ ରେ ରାଫେଲ୍ କୁ ସ୍ୱାଗତ କରିଥିଲେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ । ୧୭ ନଂ ସ୍କ୍ୱାର୍ଡନ୍ ‘ଗୋଲଡେନ୍ ଆରୋସ୍’ ରେ ଏଗୁଡ଼ିକ ସାମିଲ ହେବେ ।
ଗତ ସୋମବାର ଦିନ ସିଙ୍ଗଲ୍ ସିଟର୍ ୩ ଟି ଏବଂ ଡବଲ୍ ସିଟର୍ ଦୁଇଟି ରାଫେଲ୍ ବିମାନ ଫ୍ରାନ୍ସର ମେରିଗନାକ୍ ଏୟାରବେସ୍ ରୁ ଉଡାଣ ଆରମ୍ଭ କରିଥିଲା । ଫ୍ରାନ୍ସ ଛାଡ଼ିବା ପରେ ୩୦ ହଜାର ଫୁଟ୍ ଉଚ୍ଚରେ ସମସ୍ତ ବିମାନରେ ଫ୍ରାନ୍ସ ଟ୍ୟାଙ୍କର ଦ୍ୱାରା ଇନ୍ଧନ ଭର୍ତ୍ତି କରାଯାଇଥିଲା । ଲମ୍ବା ଉଡ଼ାଣରେ ଆସୁଥିବା ଏହି ବିମାନଗୁଡ଼ିକ ପାଇଁ ଗତକାଲି ସଂଧ୍ୟାରେ ୟୁଏଇରେ ଏକ ଷ୍ଟପ୍ ଓଭର୍ ରଖାଯାଇଥିଲା । ଧ୍ରାଫ୍ରା ଏୟରବେସ୍ ରେ ଏହା ବିରତି ନେବା ପରେ ଆରବ ସାଗର ଉପର ଦେଇ ଭାରତ ମାଟିକୁ ଆସିଥିଲା ।
ମିରାଜ, ସୁଖୋଇ ପରେ ସର୍ବାଧିକ ଶକ୍ତିଶାଳୀ ଯୁଦ୍ଧ ବିମାନ ହୋଇଛି ରାଫେଲ୍ । ଚୀନ୍ ପାଖରେ ଥିବା ଜେ-୨୦ ଏବଂ ପାକିସ୍ଥାନ ପାଖରେ ଥିବା ଜେଏଫ୍-୧୭ ର ମୁକାବିଲା ପାଇଁ ରାଫେଲ୍ ଲଢ଼ୁଆ ବିମାନ ଯଥେଷ୍ଟ ବୋଲି କୁହାଯାଉଛି । ରାଫେଲ୍ ଘଣ୍ଟାକୁ ସର୍ବାଧିକ ୨୨୨୨.୬ କିମି ବେଗରେ ଉଡିପାରିବା ସହ ଶତ୍ରୁ ପକ୍ଷର ଆକ୍ରମଣ ବେଳେ ୫୪ ହଜାର ଫୁଟକୁ ଉଠିପାରିବାର କ୍ଷମତା ରଖିଛି । ଥରେ ଜାଲେଣି ଭର୍ତ୍ତି ହେଲେ ରାଫେଲ୍ ୩୭୦୦ କିମି ଯାଏ ଯାଇପାରିବ । ଆକାଶରେ ଜାଲେଣି ଭର୍ତ୍ତି ହେଲେ ସେହି ଅନୁସାରେ ଅଧିକ ପଥ ଅତିକ୍ରମ କରିପାରିବ ।
ରାଫେଲ୍ ଜରିଆରେ ଶତ୍ରୁଦେଶ ଚୀନ୍ ଓ ପାକିସ୍ଥାନକୁ ଭାରତ ଉଚିତ ଜବାବ ଦେଇପାରିବ । ରାଫେଲ୍ ଜେଟ୍ ଗୁଡ଼ିକୁ ଚୀନ୍ ସହିତ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ମୁତୟନ କରାଯିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍ ପାଇଛି । ସମୁଦାୟ ୩୬ଟି ରାଫେଲ ବିମାନ କିଣିବା ପାଇଁ ଭାରତ ସରକାର ଫ୍ରାନ୍ସ ସହିତ ୫୯ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ।