ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ହେବ ୧୦୦୦ ଶଯ୍ୟା ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ୧୫ ଦିନ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଭୁବନେଶ୍ୱରର ସମ୍ ଏବଂ କିମସ୍ ମେଡ଼ିକାଲ କଲେଜ ହସ୍ପିଟାଲ୍ ରେ ଏହାର ନିର୍ମାଣ ପାଇଁ ତିନି ପକ୍ଷ ମଧ୍ୟରେ ବୁଝାମଣା ହୋଇଛି । ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ୍ ଫିଲଡସ୍ ସେମାନଙ୍କ ସିଏସଆର ପାଣ୍ଠିରୁ ଏଥିପାଇଁ ଅର୍ଥ ଯୋଗାଇ ଦେବାକୁ ସମ୍ମତି ଦେଇଛନ୍ତି । ଆଜି ଲୋକସେବା ଭବନରେ ଏ ନେଇ ଦୁଇଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
କିମସ୍ ରେ ୪୫୦ ଶଯ୍ୟା ଏବଂ ସମ୍ ରେ ୫୦୦ ଶଯ୍ୟା ବିଶିଷ୍ଟ ହେବ ଏହି କୋଭିଡ୍ ହସ୍ପିଟାଲ୍ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିବ । ସଂପୃକ୍ତ ହସ୍ପିଟାଲ୍ ପକ୍ଷରୁ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆୟୋଜନ ସହ ରୋଗୀ ସେବା, ଡାକ୍ତର, ନର୍ସ, ପାରା ମେଡ଼ିକାଲ୍ ଷ୍ଟାଫ୍, ଲାବରେଟୋରି, ରେଡିଓଲୋଜିକାଲ, ଆଇସିୟୁ ଏବଂ ଅନ୍ୟ ସାହାଯ୍ୟ ଯୋଗାଇ ଦେବ । କରୋନା ଚିକିତ୍ସା ପାଇଁ ଦେଶରେ ଏତେବଡ଼ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଆଉ କେଉଁଠି ନାହିଁ ।







