ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲକ୍ ଡାଉନ୍ ର ଦ୍ୱିତୀୟ ଦିନରେ ଆଜି କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହି ବଡ଼ ଘୋଷଣା କରିଛନ୍ତି ।
ଦେଶର ୮୦ କୋଟି ଗରିବ, ଖଟିଖିଆଙ୍କୁ ୩ ମାସ ପାଇଁ ମୁଣ୍ଡ ପିଛା ୫ କେଜି ଚାଉଳ/ଗହମ ଏବଂ ପରିବାର ପିଛା ୧ କେଜି ଡାଲି ମାଗଣାରେ ଦିଆଯିବ । ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାସନ୍ ସହିତ ଅତିରିକ୍ତ ଭାବେ ଏହା ଦିଆଯିବ । ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ଏହି ବ୍ୟବସ୍ଥା କରାଯାଇଛି । କରୋନା ଲଗାମ୍ ବେଳେ ଦେଶରେ କାହାରିକୁ ଭୋକିଲାରେ ଶୋଇବାକୁ ଦିଆଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ‘କୋଭିଡ୍ ଯୋଦ୍ଧା’ ଆଖ୍ୟା ଦିଆଯାଇ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରାଯାଇଛି । ୩ ମାସ ପାଇଁ ଏହି ବୀମା ସୁବିଧା କରାଯାଇଛି । ଏଥିରେ ୨୦ ଲକ୍ଷ ଉପକୃତ ହେବେ ।
କରୋନା ପ୍ୟାକେଜ୍ ରେ ଗରିବ, ଖଟିଖିଆ, ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ଚାଷୀ, ମହିଳା ବର୍ଗଙ୍କୁ ଦୃଷ୍ଟି ଦିଆଯାଇଛି ।
ପ୍ୟାକେଜ୍ ର ଅନ୍ୟ ମୁଖ୍ୟାଂଶ
– ପିଏମ୍ କିଷାନ ଯୋଜନାରେ ଅର୍ନ୍ତଭୁକ୍ତ ଦେଶର ୮ କୋଟି ୭୦ ଲକ୍ଷ ଚାଷୀଙ୍କ ଖାତାକୁ ଏପ୍ରିଲ୍ ପ୍ରଥମ ସପ୍ତାହରେ ଯିବ ୨ ହଜାର ଟଙ୍କା ।
– ମନରେଗା ଯୋଜନାରେ ୫ କୋଟି ଶ୍ରମିକଙ୍କୁ ମିଳିବ ଅତିରିକ୍ତ ୨ ହଜାର ଟଙ୍କା । ଏପ୍ରିଲ୍ ପ୍ରଥମ ସପ୍ତାହରେ ଏହି ଟଙ୍କା ସେମାନଙ୍କ ଆକାଉଣ୍ଟ୍ କୁ ଯିବ ।
– ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ଦୁଇଟି କିସ୍ତିରେ ମିଳିବ ଅତିରିକ୍ତ ୧ ହଜାର ଟଙ୍କା । ଏହି ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ ।
– ମହିଳା ଜନଧନ ଯୋଜନାରେ ପ୍ରତି ଆକାଉଣ୍ଟକୁ ଯିବ ୫୦୦ ଟଙ୍କା । ୩ ମାସ ଯାଏଁ ମାସକୁ ୫୦୦ ଟଙ୍କା ଯିବ ।
– ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ଗ୍ୟାରେଣ୍ଟିରେ ଦିଆଯିବ ୨୦ ଲକ୍ଷ ଟଙ୍କା ଋଣ । ପୂର୍ବରୁ ବିନା ଗ୍ୟାରେଣ୍ଟିରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଋଣ ମିଳୁଥିଲା ।
– ଉଜ୍ଜଳା ଯୋଜନାରେ ଗ୍ୟାସ୍ ପାଇଥିବା ୮ କୋଟି ମହିଳାଙ୍କୁ ୩ ମାସ ଯାଏଁ ମିଳିବ ମାଗଣା ଗ୍ୟାସ୍ ସିଲଣ୍ଡର୍ ।
– ସଂଗଠିତ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ୩ ମାସର ଇପିଏଫ୍(୨୪%) ଦେବେ କେନ୍ଦ୍ର ସରକାର । ୧୦୦ରୁ କମ୍ କର୍ମଚାରୀ କାମ କରୁଥିବା ସଂସ୍ଥା ପାଇଁ ଏହା ଲାଗୁ ହେବ ।
ଏହି କରୋନା ପ୍ୟାକେଜ୍ ରେ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କିଛି ସହାୟତା ବ୍ୟବସ୍ଥା ନ ଥିବାରୁ ସେମାନେ ନିରାଶ ହୋଇଛନ୍ତି ।