ଭୁବନେଶ୍ୱର: ମନ୍ତ୍ରୀ ନ ହେଲେ କ’ଣ ହେଲା? ଟିକେ ଅପେକ୍ଷା କରନ୍ତୁ, ଜଣେ ମନ୍ତ୍ରୀର କାଟତିଠାରୁ ମୋର କାଟତି ଅଧିକ ନା ନାହିଁ ତାହା ଅଳ୍ପଦିନ ମଧ୍ୟରେ ଓଡ଼ିଶାବାସୀ ଦେଖିବେ । ଆଜି ନିଜ ଟିଭି ଜରିଆରେ ଏହି ଦମ୍ଭ ଦେଖାଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ପିଠିରେ ମନ୍ତ୍ରୀ ଷ୍ଟାମ୍ପ୍ ବାଜିଲେ ଯେ ଗୁରୁତ୍ୱ ରହିବ, ନ ବାଜିଲେ ରହିବନି ସେଇ ଧାରଣା ସମ୍ପୂର୍ଣ୍ଣ ଭୁଲ୍ । ଅତୀତରେ ମୁଁ କଂଗ୍ରେସରେ ଥିଲା ବେଳେ କୌଣସି ପଦପଦବୀରେ ନ ଥିଲି । ମାତ୍ର କଂଗ୍ରେସରେ ମୋର ଗୁରୁତ୍ୱ ଦୃଷ୍ଟିରୁ ଦଳର ନେତୃତ୍ୱ କୌଣସି କାରଣରୁ ବହିଷ୍କାର କରିବା ଭଳି ପଦକ୍ଷେପ ନେଇଥିଲେ । ତେଣୁ ଏବେ ମନ୍ତ୍ରୀ ନ ହୋଇ ବି ବିଧାୟକ ଭାବେ ଗୁରୁତ୍ୱ ରହିବନି ଏହା ଭାବିବା ଭୁଲ୍ ହେବ ।
ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କାଳରେ ସୌମ୍ୟ କହିଥିଲେ ଯେ ବିଜେଡ଼ି ନିରଙ୍କୁଶ ସଂଖ୍ୟା ଗରିଷ୍ଠତାକୁ ଧରି ଅହଂକାରୀ ହେବା ଠିକ୍ ନୁହେଁ । ବରଂ ବିନମ୍ର ରହିଲେ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ସୌମ୍ୟଙ୍କ ଏଭଳି ବକ୍ତବ୍ୟ ରାଜନୈତିକ ମହଲରେ ଗୁଂଜରଣ ସୃଷ୍ଟି କରିଥିବା ବେଳେ ରାତିରେ ଟିଭି ବୟାନ ଚର୍ଚ୍ଚାକୁ ଅଧିକ ଖୋରାକି ଦେଇଛି ।
ମନ୍ତ୍ରୀ ନ ହେବାରୁ ସେ ଅସନ୍ତୁଷ୍ଟ କି? ସମ୍ଭବତଃ ଏହି ପ୍ରାୟୋଜିତ ପ୍ରଶ୍ନର ସ୍ପଷ୍ଟୀକରଣ ଆଳରେ ସୌମ୍ୟ କହିବାକୁ ଚାହିଁଛନ୍ତି ଯେ ଦଳର ଜଣେ ସାଧାରଣ ବିଧାୟକ ଭାବେ ତାଙ୍କୁ ମନେ କରିବା ଠିକ୍ ନୁହେଁ । ସେ କେବେ ମନ୍ତ୍ରୀ ହେବାକୁ ଆଶାୟୀ ନ ଥିଲେ । ମାତ୍ର ମନ୍ତ୍ରୀ ହୋଇଥିଲେ ତାଙ୍କର ଯେ ଗୁରୁତ୍ୱ ବଢ଼ିଥାଆନ୍ତା ସେକଥା ଭାବିବା ଭୁଲ୍ । ସେ ଯୋଉ ଦଳରେ ଥିଲେ ବି ତାଙ୍କର ଗୁରୁତ୍ୱ ରହିଛି ଏବଂ ରହିବ ବୋଲି ଜଣାଇଛନ୍ତି । ତେବେ ଏହି ଗୁରୁତ୍ୱର ରହସ୍ୟ ଖବରକାଗଜ, ଟିଭି ନା ଆଉ କିଛି ତାହା ଖୋଲିନାହାନ୍ତି ସୌମ୍ୟ ।
ସୂଚନାଯୋଗ୍ୟ, ସୌମ୍ୟ ରାଜ୍ୟସଭା ଛାଡ଼ି ଖଣ୍ଡପଡ଼ା ଆସନରୁ ବିଧାୟକ ଟିକେଟ ନେବା ବେଳେ ମନ୍ତ୍ରୀ ପଦ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଚର୍ଚ୍ଚା ହୋଇଥିଲା । ଖଣ୍ଡପଡ଼ାରୁ ସୌମ୍ୟ ବିପୁଳ ଭୋଟରେ ବିଜୟୀ ହେବା ପରେ ତାଙ୍କର ଏକାନ୍ତ ସମର୍ଥକମାନେ ଅତ୍ୟଧିକ ଉତ୍ସାହିତ ହୋଇଥିଲେ । ଅତୀତରେ ବସନ୍ତ ବିଶ୍ୱାଳଙ୍କ ପରି ସୌମ୍ୟ ଉପମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିବେ ବୋଲି ପ୍ରଚାର କରିଥିଲେ । ବିଜେଡ଼ିରେ ନବୀନ ପଟ୍ଟନାୟକଙ୍କ ପରେ ସୌମ୍ୟ ହିଁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ଏହି ଧାରଣା ସୃଷ୍ଟି କରିଥିଲେ । ତେବେ ସମର୍ଥକମାନଙ୍କ ଆଶା ଆଶାରେ ରହିଗଲା ।
ସେପଟେ ମନ୍ତ୍ରୀ ପଦ ପାଇଁ ତାଙ୍କର ଅଭିଳାଷ ନ ଥିଲା ବୋଲି ସୌମ୍ୟଙ୍କ ସଫେଇ ଉପରେ ତାଙ୍କ ନିକଟତମ ମହଲରୁ ମୁରୁକା ହସ ଦେଖିବାକୁ ମିଳିଛି । ତାହା ଉପରେ ଅଧିକ ଆଲୋଚନା କରିବାକୁ ସେମାନେ ଚାହିଁନାହାନ୍ତି ।