କେନ୍ଦ୍ରାପଡ଼ା: ମହାକାଳପଡ଼ା ଡଙ୍ଗା ବୁଡ଼ି ଘଟଣାରେ ୯ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆଉ ଜଣେ ଏବେ ବି ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୭ ଜଣ ଶିଶୁ ଅଛନ୍ତି । ସମସ୍ତଙ୍କ ଘର କୁଜଙ୍ଗ ହସିଣା ଗ୍ରାମରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଆହତମାନଙ୍କର ମାଗଣା ଚିକିତ୍ସା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ରାତି ୮ ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । କୁଜଙ୍ଗ ନିକଟ ହସିଣା ଗ୍ରାମର ୫୫ ଜଣ ଲୋକ ନୂଆବର୍ଷର ବଣଭୋଜି ପାଇଁ ମହାକାଳପଡ଼ା ବ୍ଲକ୍ ର ହୁକିଟୋଲାକୁ ଯାଇଥିଲେ । ଭୋଜିସାରି ଫେରୁଥିବା ବେଳେ ମହାନଦୀ ଶାଖା ବତିଘର ନଦୀରେ ଡଙ୍ଗାଟି ବୁଡ଼ିଯାଇଥିଲା । ଡଙ୍ଗାରେ ଥିବା ପୁରୁଷ ଯାତ୍ରୀମାନେ ପାଣିରେ ପହଁରି କୂଳକୁ ଆସିବାରେ ସକ୍ଷମ ହୋଇଥିଲେ ବି ମହିଳା ଓ ଶିଶୁ ଗଭୀର ପାଣିରେ ବୁଡ଼ିଯାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ପ୍ରଶାସନ ଅକ୍ଲାନ୍ତ ଉଦ୍ୟମ କରିଥିଲେ । ନିଜେ ଜିଲ୍ଲାପାଳ ଓ ଏସପି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରିଥିଲେ । ପ୍ରବଳ ଶୀତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ୮ ଜଣଙ୍କ ଶବ ମିଳିବା ପରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳକୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା । ଆଜି ସକାଳୁ ଆଉ ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା ।
ସୂଚନା ଅନୁଯାୟୀ, ଡଙ୍ଗାରେ ୧୫ ଜଣ ଯାତ୍ରୀ ବସିବାର କ୍ଷମତା ଥିବା ବେଳେ ବସିଥିଲେ ୫୫ ଜଣ ଯାତ୍ରୀ । ପାଖାପାଖି ୪ ଗୁଣା ଯାତ୍ରୀଙ୍କୁ ନାଉରି କେମିତି ଡଙ୍ଗାରେ ବସାଇବାକୁ ସାହାସ କଲେ ଏବଂ ଯାତ୍ରୀମାନେ ବି ନିର୍ଭୟରେ ବସିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡଙ୍ଗା ଚାଳକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ହସିଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି ।